• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ତାମିଲନାଡୁର ସଙ୍କରାପୁରମରେ ଭୟାବହ ଅଗ୍ନିକାଣ୍ଡ

  • ୫ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା

କାଲାକୁରୁଚି : ତାମିଲନାଡୁର କାଲାକୁରୁଚି ଜିଲ୍ଲା ସଙ୍କରପୁରମରେ ଥିବା ଏକ ହୋଲସେଲ ବାଣ ଦୋକାନରେ ଭୟାବହ ଅଗ୍ନିକାଣ୍ଡ । ଏହି ବିସ୍ଫୋରଣ ଯୋଗୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଗୁରୁତର ହୋଇଛନ୍ତି । ଗତକାଲି ରାତିରେ ଏହି ଅଘଟଣ ହୋଇଛି । ବାଣ ଦୋକାନରେ ଏହି ଅଗ୍ନିକାଣ୍ଡର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ବିସ୍ଫୋରଣ ପରେ ଆକାଶ ଧୂଆଁ ଧୂଆଁ ହୋଇଯାଇଥିବା ଭିଡିଓରେ ଦେଖିବାକୁ ମିଳୁଛି । ଏହାସହ ଭିଡିଓରେ ବାଣ ଫୁଟିବାର ଶବ୍ଦ ମଧ୍ୟ ଶୁଣାଯାଉଛି ।

ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ନିଆଁ ପାଖ ଦୋକାନ ଗୁଡିକୁ ବ୍ୟାପିଯାଇଥିଲା । ଏହାସହ ନିକଟ ଦୋକାନରେ ଏଲପିଜି ସିଲିଣ୍ଡର ଫାଟି ଯିବାରୁ ନିଆଁକୁ ଆୟତ୍ତ କରିବା ମୁସ୍କିଲ ହୋଇପଡ଼ିଥିଲା । ଦୀପାବଳି ପୂର୍ବରୁ ବାଣ କିଣିବା ପାଇଁ ଦୋକାନରେ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ । କାଲାକୁରୁଚି ଏବଂ ତିରୁକୋଇଲୁରୁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ଅଗ୍ନିକାଣ୍ଡ ଯୋଗୁଁ ଏହି ଅଞ୍ଚଳରେ କିଛି ସମୟ ପାଇଁ ଟ୍ରାଫିକ ଚଳାଚଳ ବ୍ୟାହତ ହୋଇଥିଲା ।

 

ଏହି ଦୁର୍ଘଟଣାକୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଏବଂ ଜରୁରୀକାଳୀନ ୱାର୍ଡରେ ଚିକିତ୍ସିତ ହେଉଥିବା ଆହତଙ୍କ ପାଇଁ ୧ ଲକ୍ଷ ଟଙ୍କା ଘୋଷଣା ହୋଇଛି । ବିସ୍ଫୋରଣରେ ଆହତମାନଙ୍କୁ ବର୍ତ୍ତମାନ କାଲାକୁରିଚି ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ନିକଟରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଦିଲ୍ଲୀ, ଓଡିଶା, ରାଜସ୍ଥାନ ଏବଂ ହରିୟାଣାର ମୁଖ୍ୟମନ୍ତ୍ରୀଙ୍କୁ ବାଣ ବିକ୍ରୟ ଉପରେ ପ୍ରତିବନ୍ଧକ କୋହଳ କରିବାକୁ ଅନୁରୋଧ କରିଥିଲେ । କରୋନା କାଳରେ ଏମ୍ଏସ୍ଏମ୍ଇ ବହୁତ ପ୍ରଭାବିତ ହୋଇଥିବା ବେଳେ ବାଣକୁ ପୁରା ବ୍ୟାନ କଲେ ୮ ଲକ୍ଷ ଲୋକ ପ୍ରଭାବିତ ହେବାର ଆଶଙ୍କା ଥିବା ନେଇ ଚିଠି ଲେଖିଥିଲେ । ତାମିଲନାଡୁର ଶିବକାଶୀରୁ ଦେଶର ବିଭିନ୍ନ ସ୍ଥାନକୁ ବାଣ ରପ୍ତାନି ହୋଇଥାଏ, ତେବେ ବାଣକୁ ସମ୍ପୂର୍ଣ୍ଣ ନିଷେଧ କରାଗଲେ ବହୁ କାରିଗର ରୋଜଗାର ହରାଇବେ ବୋଲି କହିଥିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ।