• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ପୂରଣ ହେଉନି ସିଟ୍, ମାଗି ହଉନି ଅଧିକ ଭଡ଼ା ।


  • ଡେଲି ଡିଜେଲ ଦର ବଢୁଥିବାରୁ ବସ୍ ଚଳାଇବା ସମ୍ଭବ ନୁହେଁ-ମାଲିକ ସଂଘ ।

  • ତେଲ ଦର ନକମିଲେ ନଭେମ୍ବର ୧୬ରୁ ଅନିର୍ଦ୍ଦିଷ୍ଟ କାଳ ଚକାବନ୍ଦ ଚେତବାନୀ ।

ଭୁବନେଶ୍ୱର (ରିପୋର୍ଟର: ପ୍ରଭାତ ବିଶୋଇ, ସୌମ୍ୟ ରଞ୍ଜନ ସାହୁ): ଦାବି ପୂରଣ କର, ନହେଲେ ୧୬ରୁ ବସ୍ ବନ୍ଦ । ଆଜି ରାଜ୍ୟ ସରକାରଙ୍କୁ ଏମିତି ଚରମବାଣୀ ଶୁଣାଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । କରୋନା ମାଡ଼ରେ ଏଯାଏଁ ୪୦ ପ୍ରତିଶତ ବସ୍ ଚାଲିପାରିନଥିବା ବେଳେ ଚିନ୍ତା ବଢାଇଛି ଉପରମୁହାଁ ଡିଜେଲ ଦର । ଫଳରେ କ୍ଷତି ସହୁଛନ୍ତି ବସ୍ ମାଲିକ । ଡିଜେଲ ଦର ଅନ୍ୟ ରାଜ୍ୟରେ କମ୍ ଥିବାରୁ ଓଡ଼ିଶାରେ ବି ଦର କମ୍ କରାଯାଉ ବୋଲି ଦାବି କରିଛି ସଂଘ । ସେହିପରି ବନ୍ଦ ପଡିଥିବା ବସ୍ ଚଳାଇବା ଲାଗି ମାଲିକଙ୍କୁ ଲକ୍ଷେ ଟଙ୍କା ଲେଖାଏଁ ଋଣ ଦେବାକୁ ବି ଦାବି କରାଯାଇଛି । ଆସନ୍ତା ମାସ ୧୫ ସୁଦ୍ଧା ସରକାର ଏ ସଂକ୍ରାନ୍ତରେ ନିଷ୍ପତ୍ତି ନନେଲେ ୧୬ ନଭେମ୍ବରୁରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଘରୋଇ ବସ୍ ଚଳାଚଳକୁ ବନ୍ଦ ରଖିବା ଲାଗି ଆଜି ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି ।

ରାଜ୍ୟ ପରିବହନ ସେବା ଉପରେ କରୋନାର ନିର୍ଘାତ ପ୍ରହାର । ଲକ୍‌ଡାଉନ୍ ହଟି ସ୍ଥିତି ସ୍ୱାଭାବିକ ଆଡକୁ ଯାଉଥିଲେ ବି ଏବେ ରାଜ୍ୟରେ ଚାଲୁଛି ମୋଟ ଘରୋଇ ବସ୍‌ର ମାତ୍ର ୬୦ ପ୍ରତିଶତ । ପ୍ରଥମତଃ ଯାତ୍ରୀ ହେଉନାହାନ୍ତି, ଦ୍ୱିତୀୟ ଡିଜେଲ୍ ଦରରେ ରେକର୍ଡ ବୃଦ୍ଧି ଯୋଗୁ ତେଲ ଓ ଷ୍ଟାଫଙ୍କ ପଇସା ଉଠୁନଥିବା କହିଛନ୍ତି ବସ୍ ମାଲିକ । ଦୈନିକ ଡିଜେଲ ଦର ବଢିବା ନୂଆ ଅସୁବିଧା ସୃଷ୍ଟି କରିଛି । କାରଣ ଯାତ୍ରୀ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ରେଟ୍‌ଠାରୁ ଅଧିକ ଦେବାକୁ ରାଜି ହେଉନାହାନ୍ତି ।

ରାଜ୍ୟରେ ଭଡା ଉଚ୍ଚା ଥିବାରୁ ଯାତ୍ରୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏବେ ଆଉ ବଢାଯିବା ସପକ୍ଷରେ ନାହିଁ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ତେଣୁ ଡିଜେଲ ଦର କମାଇବା ଲାଗି ସଂଘ ରାଜ୍ୟ ସରକାରଙ୍କୁ ନିବେଦନ କରିଛି । ସଂଘର ଯୁକ୍ତି ପଡୋଶୀ ରାଜ୍ୟରେ ଡିଜେଲ ଦର ଓଡ଼ିଶା ଅପେକ୍ଷା ୫ରୁ ୬ ଟଙ୍କା କମ୍ ରହିଛି । ତେଣୁ ରାଜ୍ୟ ସରକାର ଏହାକୁ ବିଚାରକୁ ନେବା କଥା । ଆସନ୍ତା ମାସ ୧୫ ସୁଦ୍ଧା ସରକାର ଯଦି ଏ ସଂକ୍ରାନ୍ତରେ କୌଣସି ନିଷ୍ପତ୍ତି ନେଉନାହାନ୍ତି ତେବେ ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।

ଘରୋଇ ବସ୍ ମାଲିକ ସଂଘର ଦାବି ଭିତରେ ପରିବହନ ସେବାକୁ ସ୍ୱାଭାବିକ କରିବାକୁ ସରକାର ଡିଜେଲ ଉପରେ ଶୁଳ୍କ କମାଉଛନ୍ତି ନା ବସ୍ ଭଡା ବଢାଇ ଯାତ୍ରୀଙ୍କ ଉପରେ ଆଉ ବୋଝ ଲଦି ଦେଉଛନ୍ତି । ତାହା ଦେଖିବା କଥା ।