• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବଲାଙ୍ଗିର: ବଲାଙ୍ଗିର ପୋଲିସ ଓ ମମିତା ହତ୍ୟା ଅଭିଯୁକ୍ତ ଗୋବିନ୍ଦ ମଧ୍ୟରେ ରହିଛି ମଧୂଚନ୍ଦ୍ରିକା । ମମିତାଙ୍କ ପରିବାରକୁ ବିଜେପିର ୧୫ ଜଣିଆ ପ୍ରତିନିଧି ଦଳ ଭେଟିବା ପରେ ସାମ୍ବାଦିକ ସମ୍ମିଳନୀରେ ଏକଥା କହିଛନ୍ତି ବିଜେପି ନେତା ତଥା ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର । ସେ କହିଛନ୍ତି ସମଗ୍ର ଘଟଣାକୁ ଅନୁଧ୍ୟାନ କଲେ ପୋଲିସର ଭୂମିକା ସନ୍ଦେହ ଘେରକୁ ଆସୁଛି । ମର୍ଡର ସିନ୍ ରିକ୍ରିଏଟ କରି ଏହାର ଭିଡିଓ ଗଣମାଧ୍ୟମକୁ ଦେବା, ମମିତାକୁ କେବେ ଓ କେଉଁଠି ହତ୍ୟା କରାଗଲା, ଅଭିଯୁକ୍ତକୁ ଅନ୍ୟତ୍ର ରଖାଯିବା, ପାଚେରୀ ଡେଇଁବା, ବିଳମ୍ବରେ ଧରାପଡ଼ିବା ଆଦି ଅନେକ ଘଟଣା ପୋଲିସ ଭୂମିକା ଉପରେ ସନ୍ଦେହ ଜାତ କରୁଛି । ପୋଲିସ ଏ ମାମଲାରେ ପ୍ରମାଣ ନଷ୍ଟ ପାଇଁ ତଦନ୍ତ କରୁଛି ବୋଲି ପ୍ରକାଶ ମିଶ୍ର କହିଛନ୍ତି । ସେପଟେ ଗୋବିନ୍ଦ ଗୋଡ଼ ଭଲ ନଥିବା ବେଳେ ସେ ପାଚେରୀ କିଭଳି ଡେଇଁଲା ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା ପଛରେ ରହିଛି ବଡ଼ଧରଣର ଷଡ଼ଯନ୍ତ୍ର । ଯାହାକୁ ବର୍ତ୍ତମାନ ଯାଏ ତଦନ୍ତ ପରିସରକୁ ଅଣାଯାଇନି । କେବଳ ଗୋବିନ୍ଦକୁ ଧରି ପକାଇଲେ ହେବନି । ଏହା ପଛରେ ଯେଉଁ ପ୍ରଭାବଶାଳୀ ବ୍ୟକ୍ତିମାନେ ଅଛନ୍ତି, ସେମାନଙ୍କ ସମ୍ପର୍କରେ ମଧ୍ୟ ତଦନ୍ତ ଆରମ୍ଭ କରାଯିବା ଉଚିତ୍‌ ବୋଲି ବିଜେପି ନେତା ତଥା ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର କହିଛନ୍ତି ।

ଆଜି ଦଳୀୟ କର୍ମକର୍ତ୍ତାଙ୍କ ସହ ଗ୍ରାଉଣ୍ଡ ଜିରୋକୁ ଯାଇ ବିଜେପି ନେତା ପ୍ରକାଶ ମିଶ୍ର ବାସ୍ତବ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହି ଘଟଣାରେ କେବଳ ଜଣଙ୍କର ସମ୍ପୃକ୍ତି ମାନିବା ଠିକ୍ ନୁହେଁ, ଏଥିରେ ଏକାଧିକ ବ୍ୟକ୍ତିଙ୍କ ହାତ ରହିଛି ବୋଲି ପ୍ରକାଶ ମିଶ୍ର କହିଛନ୍ତି । ପୋଲିସ ହେପାଜତରେ ଥିବାବେଳେ କେମିତି ଖସିଗଲେ ଗୋବିନ୍ଦ ? କାହିଁକି ଗୋବିନ୍ଦକୁ ଅଣାଯାଇଥିଲା ଟିଟିଲାଗଡ଼ ? ଏତଲା ପଞ୍ଜୀକରଣଠୁ ମୁଦାଲାକୁ ସ୍ଥାନାନ୍ତର ଯାଏ, ସବୁକିଛିକୁ ଦେଖିଲେ ବଡ଼ ରହସ୍ୟ ଲୁଚି ରହିଥିବା ଆଶଙ୍କା ଦୃଢ଼ୀଭୁତ ହେଉଛି । ତେଣୁ ଏ ଦିଗକୁ ତଦନ୍ତ ପରିସରକୁ ଅଣାଯିବା ଉଚିତ୍‌ ବୋଲି ପୂର୍ବତନ ଡିଜିପି ପ୍ରକାଶ ମିଶ୍ର କହିଛନ୍ତି ।