• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ମମିତାଙ୍କୁ ନ୍ୟାୟ ଓ ମନ୍ତ୍ରୀଙ୍କ ବିରୋଧରେ ଆକ୍ସନ ଦାବି ।


  • ରାଜ୍ୟବ୍ୟାପୀ ବିରୋଧୀଙ୍କ ଆନ୍ଦୋଳନ ଓ ପ୍ରତିବାଦ ।

  • ନବୀନ ନିବାସରେ ପଶିବାକୁ ଛାତ୍ର କଂଗ୍ରେସର ଉଦ୍ୟମ ।

  • ଡିଜି ଅଫିସ୍ ଆଗରେ ଯୁବ କଂଗ୍ରେସର ହଲ୍ଲାବୋଲ୍ ।

ଭୁବନେଶ୍ୱର: ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନ୍ୟାୟ । ଆଉ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଗଲା କିଛି ଦିନ ଧରି ଏ ଦାବି ନେଇ ବିରୋଧୀ ରଣହୁଙ୍କାର ଦେଇ ଆସୁଥିବା ବେଳେ ଆଜି ରାଜ୍ୟବ୍ୟାପୀ ଆନ୍ଦୋଳନ ଓ ପ୍ରତିବାଦକୁ ଆହୁରି ଜୋରଦାର କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି । ଦାଗି ମନ୍ତ୍ରୀଙ୍କୁ ତୁରନ୍ତ ଗିରଫ, ମନ୍ତ୍ରୀମଣ୍ଡଳ ଓ ଦଳରୁ ବହିଷ୍କାର ସହ ଘଟଣାର ସିବିଆଇ ତଦନ୍ତ ଦାବିରେ ସବୁଠି ଦେଖିବାକୁ ମିଳିଛି ତୀବ୍ର ପ୍ରତିବାଦର ସ୍ୱର ।

ରାଜଧାନୀ ଭୁବନେଶ୍ୱରରେ ଆଜି ଦିନ ଠିକ୍ ସାଢେ ୧୨ଟା ବେଳକୁ ପୂର୍ବ ଯୋଜନା ମୁତାବକ ନବୀନ ନିବାସ ଘେରାଉ ପାଇଁ ଅଭିଯାନ ଆରମ୍ଭ କରିଥିଲା ଛାତ୍ର କଂଗ୍ରେସ । ଫରେଷ୍ଟ ପାର୍କରେ ଏକାଠି ହୋଇଥିଲେ ସଂଗଠନର ଛାମୁଆ ନେତା । ସେଠାରୁ ପୁରୁଣା ଏୟାରପୋର୍ଟ ଛକ ଦେଇ ନବୀନ ନିବାସ ଆଡ଼କୁ ମୁହାଁଇଥିଲେ ଶତାଧିକ କର୍ମୀ । ଏପଟେ ଆନ୍ଦୋଳନକୁ ମୁକାବିଲା ପାଇଁ ପୂର୍ବରୁ ପ୍ରସ୍ତୁତ ରହିଥିଲା କମିଶନରେଟ୍ ପୋଲିସ । ତେଣୁ ସକାଳୁ ନବୀନ ନିବାସ ଚତୁପାର୍ଶ୍ୱ ସହ ସବୁ ସଂଯୋଗ ରାସ୍ତାକୁ ସିଲ୍ କରିଥିଲା ପୋଲିସ ।

ହେଲେ ଛାତ୍ର କଂଗ୍ରେସ କର୍ମୀ ପୋଲିସକୁ ଚକମା ଦେବା ସହ ଫରେଷ୍ଟ ପାର୍କ ଗଳି ଦେଇ ବ୍ୟାରିକେଡ୍ ଡେଇଁ ଯିବାକୁ ଉଦ୍ୟମ କରିବାରୁ ସୃଷ୍ଟି ହୋଇଥିଲା ମୁହାଁମୁହିଁ ସ୍ଥିତି । ପରସ୍ପର ମଧ୍ୟରେ ଚାଲିଥିବା ପ୍ରାୟ ୩୦ ମିନିଟ୍‌ର ଠେଲା ପେଲା । ଉତ୍ୟକ୍ତ ଛାତ୍ର କଂଗ୍ରେସ କର୍ମୀ ପୋଲିସ ଉପରକୁ ଟମାଟୋ ମାଡ଼ ବି କରିଥିଲେ । ଏଠୁ ପ୍ରାୟ ୧୦୦ରୁ ଅଧିକ କର୍ମୀଙ୍କୁ ଅଟକ ପରେ ବି ଶାନ୍ତ ପଡ଼ିନଥିଲା ସ୍ଥିତି । କିଛି ସମୟ ପରେ ଛାତ୍ର କଂଗ୍ରେସର ଆଉ ଏକ ଗୋଷ୍ଠୀ ନବୀନ ନବାସ ଆଡ଼କୁ ଧସେଇ ପଶିବାକୁ ଉଦ୍ୟମ କରିବାରୁ ପୋଲିସ ବାଧା ଦେବା ବେଳେ ସୃଷ୍ଟି ହୋଇଥିଲା ଉତ୍ତେଜନାମୂଳକ ସ୍ଥିତି ।

ସେପଟେ କଟକରେ ପୋଲିସ ମୁଖ୍ୟାଳୟକୁ ଘେରାଉ କରିଥିଲା ଯୁବ କଂଗ୍ରେସ । ଶହ ଶହ ସଂଖ୍ୟାରେ ଯୁବ କଂଗ୍ରେସ କର୍ମୀ ଡିଜି ଅଫିସ ଆଗରେ ଧାରଣାରେ ବସିଥିଲେ । ତେଣେ ମନ୍ତ୍ରୀଙ୍କ ଜିଲ୍ଲା କଳାହାଣ୍ଡିରେ ବି ଦେଖିବାକୁ ମିଳିଥିଲା ପ୍ରତିବାଦ । ଜିଲ୍ଲାପାଳ ଅଫିସ ଆଗରେ ଧାରଣା ଦେଇଥିଲେ କଂଗ୍ରେସ ନେତା ଓ କର୍ମୀ । ଖୋର୍ଦ୍ଧାରେ ବି ଏକ ବିଶାଳ ଶୋଭାଯାତ୍ରା ବାହାରିଥିଲା । ଖୋର୍ଦ୍ଧା ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥ ନୂଆ ବସଷ୍ଟାଣ୍ଡ ଛକରେ ଧାରଣା ଦେଇଥିଲେ ଶହ ଶହ କଂଗ୍ରେସ କର୍ମୀ ।

ଏଣେ ମନ୍ତୀ ବିରୋଧୀ ଆନ୍ଦୋଳନକୁ ତେଜିବା ସହ ବିଜେପିର ଏକ ୧୫ ଜଣିଆ ଟିମ୍ ଆଜି ବଲାଙ୍ଗିର କଣ୍ଟାବାଞ୍ଜୀର ଝରଣୀ ଗାଁ ଯାଇ ମମିତାଙ୍କ ପରିବାର ଲୋକଙ୍କୁ ଭେଟିଛି । ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଯାଇଥିବା ଏ ଟିମ୍ ମୃତା ମମିତାଙ୍କ ବାପାମାଆଙ୍କୁ ସମବେଦନା ଜଣାଇବା ପରେ ମହାଲିଙ୍ଗ ଯାଇ ହତ୍ୟାକାଣ୍ଡ ସ୍ଥଳରେ ସ୍ଥିତି ଅନୁଧ୍ୟାନ କରିଥିଲା ।

ସେହିଭଳି ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ପୁରୀରେ ପ୍ରତିବାଦ ଜଣାଇଥିଲା ବିଜେପି ମହିଳା ମୋର୍ଚ୍ଚା । ବଡଦାଣ୍ଡରେ ବଡ଼ ଶୋଭାଯାତ୍ରା, ଧାରଣା ଓ ଦୀପଦାନ ସହ ମମିତା ମେହରଙ୍କ ପରିବାରକୁ ନ୍ୟାୟ ଦାବି କରିଥିଲା । ତେଣେ ନୂଆପଡ଼ାରେ ଏସ୍‌ପି ଅଫିସ୍ ଘେରାଉ କରିଥିଲା ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା । ଏସ୍‌ପିଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ ସହ ଅଫିସ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିବାରୁ ମୁହାଁମୁହିଁ ହୋଇଥିଲେ ବିଜେପି ଯୁବ ମୋର୍ଚ୍ଚାର କର୍ମୀ ଓ ସୁରକ୍ଷା ବଳ । ସମ୍ବଲପୁରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରିଥିଲା ବିଜେପି । ସହରର ସମସ୍ତ ସରକାରୀ ଅଫିସ ଓ ଦୋକାନ ବଜାର ବନ୍ଦ ରହିଥିଲା । ସକାଳ ୬ରୁ ସଂଧ୍ୟା ୬ଟା ଯାଏଁ ବନ୍ଦ ରହିଥିଲା ଚକ, ଅଖ ।

ମମିତା ହତ୍ୟାକୁ ନେଇ ବିରୋଧୀଙ୍କ ଘନ ଘନ ଆକ୍ରମଣ ଜାରି ରହିଥିବା ବେଳେ ଏପଟେ ସରକାରୀ ଦଳରୁ ଶୁଭିଛି ବିରୋଧାଭାସର ସ୍ୱର । ବରିଷ୍ଠ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ମମିତା ହତ୍ୟା ଘଟଣାକୁ ଓଡ଼ିଶା ପାଇଁ ଲଜ୍ଜାଜନକ କହିବା ସହ ଦଳୀୟ କଥା ବୋଲି ଏହାକୁ ଲୁଚାଇବା ଉଚିତ୍ ନୁହେଁ ବୋଲି କହିଛନ୍ତି ।