• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସା ମାମଲା

  • କ୍ରାଇମବ୍ରାଞ୍ଚ ଅଫିସରେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା

  • ତଦନ୍ତରେ ସହଯୋଗ ଲାଗି ଘରେ ନୋଟିସ ମାରିଥିଲା ୟୁପି ପୋଲିସ

  • ତେଣେ ତଦନ୍ତ ପ୍ରକ୍ରିୟାକୁ ନେଇ ଅସନ୍ତୋଷ ଝାଡ଼ିଥିଲେ ସୁପ୍ରିମକୋର୍ଟ

ଲକ୍ଷ୍ନୌ : କ୍ରାଇମବ୍ରାଞ୍ଚ ନିକଟରେ ହାଜର ହୋଇଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା । ବାପାଙ୍କ ସହ କ୍ରାଇମ ବ୍ରାଞ୍ଚରେ ହାଜର ହୋଇଛନ୍ତି ଆଶିଷ ମିଶ୍ରା  । ଉତ୍ତରପ୍ରଦେଶ ଲଖିମପୁର ଖେରିରେ ଚାଷୀଙ୍କ ଉପରେ ଗାଡ଼ି ମାଡ଼ିଯିବା ଘଟଣା ଓ ପରବର୍ତ୍ତୀ ହିଂସା ମାମଲାରେ ସେ ହାଜର ହୋଇଛନ୍ତି । ଏଥିପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସବୁ ସ୍ଥାନରେ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଆଶିଷ ମିଶ୍ରଙ୍କ ହାଜର ହେବା ପୂର୍ବରୁ ସଂପୃକ୍ତ ସ୍ଥାନ ପୋଲିସ ଛାଉଣୀରେ ପରିଣତ ହୋଇଛି । ସବୁ ସ୍ଥାନରେ ବ୍ୟାରିକେଡ୍ ଲଗାଯାଇଛି ।

କ୍ରାଇମବ୍ରାଞ୍ଚ ପକ୍ଷରୁ ଦିଆଯାଇଥିବା ସମୟସୀମାର ପ୍ରାୟ ୨୨ ମିନିଟ୍ ପୂର୍ବରୁ ଆଶିଷ ମିଶ୍ରା ସକାଳ ୧୦.୩୮ରେ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ପୋଲିସ ବିଭାଗର ବରିଷ୍ଠ ଅଧିକାରୀ ଏବଂ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଟିମ୍ ମଧ୍ୟ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ପହଞ୍ଚି ସାରିଛନ୍ତି । ଆଶିଷ ମିଶ୍ରଙ୍କ ପଚରାଉଚରା ଆରମ୍ଭ ହୋଇଛି ।

ଆଶିଷ ମିଶ୍ରଙ୍କ ସହ ତାଙ୍କ ଓକିଲ ମଧ୍ୟ ଉପସ୍ଥିତ ଅଛନ୍ତି। ମାଜିଷ୍ଟ୍ରେଟଙ୍କ ସାମ୍ନାରେ ଆଶିଷଙ୍କର ଏକ ଷ୍ଟେଟମେଣ୍ଟ ରେକର୍ଡ କରାଯାଉଛି । ଆଶିଷ ତାଙ୍କ ସହ ଏକ ଡଜନ ଲୋକଙ୍କ ଆଫିଡେଭିଟ୍ ଆଣିଛନ୍ତି, ଯେଉଁଥିରେ କୁହାଯାଇଛି ସେ ଘଟଣାସ୍ଥଳରେ ନଥିଲେ। ଆଶିଷ ତାଙ୍କ ଇଲେକ୍ଟ୍ରୋନିକ୍ ପ୍ରମାଣ ସହିତ ମଧ୍ୟ କ୍ରାଇମବ୍ରାଞ୍ଚ୍ ପହଞ୍ଚିଛନ୍ତି । ତଦନ୍ତରେ ସହଯୋଗ ଲାଗି କ୍ରାଇମବ୍ରାଞ୍ଚ ଅଫିସରେ ହାଜର ହେବାକୁ ଆଶିଷ ମିଶ୍ରଙ୍କୁ ନୋଟିସ କରାଯାଇଥିଲା । ହେଲେ ଗତକାଲି ସେ ହାଜର ହୋଇନଥିଲେ । ତେଣୁ ତାଙ୍କ ଘରେ ୟୁପି ପୋଲିସ ପୁଣି ଏକ ନୋଟିସ୍ ଲଗାଇଥିଲା । ସୁପ୍ରିମକୋର୍ଟ ମଧ୍ୟ ୟୁପି ପୋଲିସର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇ ଭର୍ତ୍ସନା କରିଥିଲେ । ଏହା ପରେ ଆଶିଷ ଆଜି କ୍ରାଇମବ୍ରାଞ୍ଚ ଅଫିସରେ ହାଜର ହୋଇଛନ୍ତି ।

ସୂଚନାଯୋଗ୍ୟ ଲଖିମପୁର ଖେରିରେ ହୋଇଥିବା ହିଂସାରେ ୪ ଚାଷୀଙ୍କ ସମେତ ୮ ଜଣଙ୍କର ଜୀବନ ଯାଇଥିଲା । କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆନ୍ଦୋଳନକାରୀଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିବା ଚାଷୀ ସଂଗଠନ ଅଭିଯୋଗ କରିଥିଲେ । କିନ୍ତୁ ଏଭଳି ଅଭିଯୋଗକୁ ଖଣ୍ଡନ କରିଥିଲେ ଅଜୟ ମିଶ୍ରା ।