• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ବ୍ରହ୍ମପୁର ପୋଲିସର ମଦୁଆ ଧରା ଅଭିଯାନ

  • ପାର୍ବଣରେ ଲୋକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

ବ୍ରହ୍ମପୁର(ଜଗନ୍ନାଥ ସାହୁ) : ସାବଧାନ ମଦୁଆ । ମଦୁଆ ଓ ନିଶାଖୋର ଲୋକଙ୍କୁ ଧରିବା ପାଇଁ ବୁଲୁଛି ‘ମଦୁଆ ଧରା ଗାଡ଼ି’। ସର୍ବସାଧାରଣ ସ୍ଥାନରେ ମଦ ପିଇଲେ ଗଣିବେ ତଣ୍ଡ, ଖାଇବେ ଜେଲ୍ ହାଓ୍ୱା । ପର୍ବ ପର୍ବାଣୀ ସମୟରେ ମଦୁଆମାନେ ପ୍ରବଳ ଉତ୍ପାତ କରିଥାଆନ୍ତି । ନିଶାସକ୍ତ ଅବସ୍ଥାରେ ନାନା ବିଭ୍ରାଟ୍‌ ମଧ୍ୟ ଘଟାଇ ଥାଆନ୍ତି । ଏଥିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ପାର୍ବଣ ଋତୁରେ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଏଭଳି ଅଭିନବ ଉପାୟ ଆପଣାଇଛି ବ୍ରହ୍ମପୁର ପୋଲିସ ।

ଛକ ଛକରେ କଡ଼ା ଚେକିଂ । ରାସ୍ତା ଘାଟ ଗଳି କନ୍ଦିରେ ପଇଁତରା ମାରୁଛି ପୋଲିସ । ବ୍ରହ୍ମପୁର ସହରର ସଂଧ୍ୟା ହେଲେ ଘାଇଁ ଘାଇଁ ବୁଲୁଛି ମଦୁଆ ଧରା ଗାଡ଼ି । ସର୍ବସାଧାରଣ ସ୍ଥାନରେ ମଦ ପିଉଥିଲେ କି ମାତାଲ ହୋଇ ଗଡ଼ୁଥିଲେ ତୁରନ୍ତ ସେମାନଙ୍କୁ ଧରି ଥାନାକୁ ନେଉଛି, ଫାଇନ୍ ବି କାଟୁଛି । ମଦୁଆଙ୍କୁ ସାବାଡ଼ କରିବାକୁ ପାର୍ବଣ ଋତୁରେ ଏଭଳି ଅଭିଯାନ ଆରମ୍ଭ କରିଛି ପୋଲିସ । ବ୍ରହ୍ମପୁରର ୪ଟି ଥାନା ଅଞ୍ଚଳ ତଥା ଫାଷ୍ଟଗେଟ୍ ଅଞ୍ଚଳରୁ ବାହାରି ସହରର ଶେଷ ମୁଣ୍ଡ ଗୋଷାଣିନୂଆଗାଁ ଯାଏଁ ବୁଲୁଛି । ଏହି ଗାଡ଼ି ବିନା ସୂଚନାରେ ପଶିଯାଉଛି ଠିପି ବନ୍ଦ ମଦ ଦୋକାନ କିମ୍ବା ନିର୍ଜନ ସ୍ଥାନରେ । ଆଖି ପିଛୁଳାକେ ଧରୁଛି ମଦୁଆଙ୍କୁ ଫଳରେ ଲୋକେ ଏବେ ସୁରକ୍ଷିତ ଭାବେ ବାହାରେ ବୁଲାବୁଲି କରିପାରୁଥିବା କହିଛନ୍ତି ।

ଦୀର୍ଘ ୭ରୁ ୮ବର୍ଷ ହେବ ପାର୍ବଣ ଋତୁ ଆସିଲେ ପୋଲିସ ଏଭଳି ପଦକ୍ଷେପ ନେଇଥାଏ । ତେବେ ଅନ୍ୟ ସମୟରେ ପୁଣି ଉତ୍ପାତ ଆରମ୍ଭ କରିଦିଅନ୍ତି ମଦୁଆ । ଫଳରେ ଖାଲି ପାର୍ବଣ ନୁହେଁ, ସବୁ ସମୟରେ ପୋଲିସର ଏହି ଅଭିଯାନ ଜାରି ରହିଲେ ଭଲ ହୁଅନ୍ତା ବୋଲି ଆଇନଜୀବୀ ମତ ପ୍ରକାଶ କରିଛନ୍ତି । ମଦୁଆଙ୍କୁ ସାବାଡ଼ କରିବା ସହ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ପୋଲିସ ତା କାମ କରୁଛି । ଏ ଦିଗରେ ପୋଲିସକୁ ଅନେକ ସଫଳତା ମିଳିଥିବା ଏସପି କହିଛନ୍ତି । ସେପଟେ ଏହି ଗାଡ଼ିର ଚଳପ୍ରଚଳ ଦେଖି ମଦୁଆମାନେ  ସତର୍କ ହୋଇଯାଉଥିବା ସୂଚନା ମିଳୁଛି ।