• translate
Satyendu Shekher Mishra

କିଏ ବିଜ୍ଞାନ, କିଏ ସାହିତ୍ୟ, ତ ଆଉ କିଏ ଶାନ୍ତି ପାଇଁ ପାଇଛନ୍ତି ନୋବେଲ୍ ପୁରସ୍କାର । ହେଲେ ସବୁ ନୋବେଲ ପୁରସ୍କାର ବିଜେତାଙ୍କ ଫଟୋ ଜଣେ ଆଙ୍କିଛି । ଏହି ସବୁ ଚିତ୍ରରେ ଗୋଟିଏ ସାମଞ୍ଜସ୍ୟ ରହିଛି । ଆଉ ତାହା ହେଉଛି ଏସବୁର ସ୍ୱତନ୍ତ୍ର ଅଙ୍କନ ଶୈଳି । ପ୍ରତିବର୍ଷ ଅକ୍ଟୋବରରେ ବିଭିନ୍ନ ବର୍ଗର ନୋବେଲ୍ ପ୍ରାଇଜ୍ ପାଇଁ ନାଁ ଘୋଷଣା ହେବା ମାତ୍ରେ, ବିଧିବଦ୍ଧ ଭାବେ ପ୍ରକାଶିତ ହୋଇଥାଏ ବିଜେତାଙ୍କ ଚିତ୍ର ।

ପରେ ଏହା ବିଶ୍ୱବ୍ୟାପୀ ଖବର କାଗଜ, ପତ୍ରପତ୍ରିକା ଓ ୱେବସାଇଟରେ ସ୍ଥାନ ପାଇଥାଏ । ତେବେ ସେହି ଫଟୋ ଗୁଡ଼ିକ କୌଣସି କଂମ୍ପ୍ୟୁଟର କିମ୍ବା ଗ୍ରାଫିକ୍ସ ଦ୍ୱାରା ପ୍ରସ୍ତୁତ ଡ୍ରଇଂ ନୁହେଁ, ଏହାକୁ କାଗଜ ଉପରେ ରଙ୍ଗତୁଳି ଓ ଗୋଲ୍ଡ ଲିଫ୍ ବା ସୁନେଲି ଆସ୍ତରଣ ଦେଇ ଅତି ଯତ୍ନରେ ଆଙ୍କିଥାନ୍ତି ଜଣେ ଚିତ୍ରଶିଳ୍ପୀ । ଆଉ ତାଙ୍କ ନାଁ ହେଉଛି ନିକ୍ଲାସ୍ ଏଲ୍ମେଦ୍ । ନୋବେଲ୍ ପୁରସ୍କାର ବିଜେତା ମାନଙ୍କ ଚର୍ଚ୍ଚିତ ଚିତ୍ର ପଛର ମଣିଷ । ପ୍ରତିବର୍ଷ ନୋବେଲ୍ ପୁରସ୍କାର ଘୋଷଣା ପୂର୍ବରୁ ଜଜ୍ ମାନଙ୍କ ସମେତ ଯେଉଁ ଅଳ୍ପ କେତେ ଜଣ ଲୋକ ବିଜେତାଙ୍କ ନାଁ ଜାଣିଥାନ୍ତି, ସେମାନଙ୍କ ମଧ୍ୟରୁ ଜଣେ ହେଲେ ନିକ୍ଲାସ୍ ।

୨୦୧୨ରୁ ପ୍ରତିବର୍ଷ ସମସ୍ତ ନୋବେଲ୍ ପୁରସ୍କାର ବିଜେତାଙ୍କ ଚିତ୍ର ଆଙ୍କି ଆସୁଛନ୍ତି ନିକ୍ଲାସ୍ ଏଲ୍ମେଦ୍ । ତାଙ୍କ ଘର ସ୍ୱିଡେନ୍ । ପୂର୍ବରୁ ନୋବେଲ୍ ପୁରସ୍କାର ବିଜେତାଙ୍କ ଫଟୋକୁ ବିଧିବଦ୍ଧ ଭାବେ ପ୍ରକାଶ କରାଯାଉଥିଲା । ତାହା କେତେବେଳେ ଖୁବ୍ ଅସ୍ପଷ୍ଟ, କମ୍ ରିଜୋଲ୍ୟୁସନ୍‌ର ହେଉଥିଲା ତ ଆଉ କେତେବେଳେ ଅନ୍‌ଲାଇନରେ ମିଳୁଥିଲା ବିଜେତାଙ୍କ ବହୁ ପୁରୁଣା ଫଟୋ । ବିଶେଷତଃ ବୈଜ୍ଞାନିକମାନଙ୍କ ନୂଆ ତଥା ଭଲ କ୍ୱାଲିଟିର ଫଟୋ ମିଳିବା କଷ୍ଟସାଧ୍ୟ ଥିଲା । ତେବେ ୨୦୧୨ରେ ନିକ୍ଲାସ୍ ନୋବେଲ୍ ମିଡିଆ ଦ୍ୱାରା ଆର୍ଟ ଡିରେକ୍ଟର ଭାବେ ନିଯୁକ୍ତ ହେବା ପରେ ସେ ଫଟୋ ପରିବର୍ତ୍ତେ ଏହି ପେଣ୍ଟିଂ ପ୍ରକାଶନର ଧାରା ଆରମ୍ଭ କରିଥିଲେ ।

ଫଳରେ ଆଉ ପୂର୍ବ ଭଳି ଫଟୋ ଖୋଜିବା ପାଇଁ ସମସ୍ୟାର ସାମ୍ନା କରିବାକୁ ପଡ଼ିଲା ନାହିଁ । ୨୦୧୭ରେ ଏହି ପେଣ୍ଟିଂରେ ସୁନେଲି ଆସ୍ତରଣର ବ୍ୟବହାର ଆରମ୍ଭ ହେଲା ।

ନୋବେଲ୍ ପୁରସ୍କାର ବିଜେତାଙ୍କ ନାଁ ଘୋଷଣାର ମାତ୍ର କିଛି ଘଣ୍ଟା ପୂର୍ବରୁ ତାଙ୍କୁ ସମ୍ପୃକ୍ତ ବ୍ୟକ୍ତିଙ୍କ ନାଁ ଓ ଫଟୋ ଦିଆଯାଏ । ସେ ତାହାକୁ ଦେଖି ଯେତେ ଶୀଘ୍ର ସମ୍ଭବ ନିର୍ଭୂଲ ଭାବେ ଧଳା କାଗଜ ଉପରେ କଳା ଗାର ଟାଣି ଚିତ୍ର ଆଙ୍କନ୍ତି । ଏହାପରେ ଏକ ସ୍ୱତନ୍ତ୍ର ଅଠା ଲଗାଇ ତା ଉପରେ ସୁନେଲି ଆସ୍ତରଣକୁ ଲଗାନ୍ତି । ୨୦୧୫ର ଏକ ଟୁଇଟ୍ ଅନୁସାରେ, ତାଙ୍କୁ ଜଣଙ୍କ ଚିତ୍ର ଆଙ୍କିବା ପାଇଁ ୪୦ ମିନିଟ୍ ସମୟ ଲାଗିଥିଲା । ଅଧିକାଂଶ ବର୍ଗରେ ୨-୩ ଜଣ ସହ ବିଜେତା ରହୁଥିବାରୁ ସେତେବେଳେ ସମୟ ସହିତ ଲଢ଼େଇ କରି ତାଙ୍କୁ କାମ ସାରିବାକୁ ପଡ଼େ ବୋଲି କହିଛନ୍ତି ନିକ୍ଲାସ ।

Other Stories