• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ: ବଢ଼ିଲା ବିଏସ୍‌ଏଫ୍‌ର ବଳ । ଏଣିକି କେବଳ ସୀମାରେ ନୁହେଁ ସୀମା ଭିତରେ ପଶି ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବିଏସ୍‌ଏଫ୍‌ । ସୀମା ସୁରକ୍ଷା ବଳ ବା ବିଏସ୍ଏଫ୍‌ର କ୍ଷମତା ବୃଦ୍ଧି କରାଯାଇଛି । ଅନ୍ତର୍ଜାତୀୟ ସୀମାରେଖାଠାରୁ ୫୦ କିଲୋମିଟର ଆଭ୍ୟନ୍ତରୀଣ ଅଞ୍ଚଳ ଯାଏ ବିଏସ୍ଏଫ୍ କ୍ଷମତା ବୃଦ୍ଧି ହୋଇଛି । ଏହି କ୍ଷମତା ବୃଦ୍ଧି ଯୋଗୁଁ ଏଣିକି ବିଏସ୍ଏଫ୍ ଅନ୍ତର୍ଜାତୀୟ ସୀମାରୁ ୫୦ କିଲୋମିଟର ଆଭ୍ୟନ୍ତରୀଣ ଅଞ୍ଚଳ ମଧ୍ୟରେ ଗିରଫ, ତଲାସୀ ଓ ଜବତ କରିପାରିବ । ଏହା ପାକିସ୍ତାନ ଓ ବାଂଲାଦେଶ ସୀମାକୁ ଲାଗିଥିବା ୩ଟି ରାଜ୍ୟରେ ଲାଗୁ ହେବ ।

ପାକିସ୍ତାନକୁ ଲାଗିଥିବା ଆସାମ, ପଞ୍ଜାବ ଓ ବାଂଲାଦେଶକୁ ଲାଗିଥିବା ପଶ୍ଚିମବଙ୍ଗରେ ବିଏସ୍ଏଫ୍‌କୁ ଏହି କ୍ଷମତା ପ୍ରଦାନ କରାଯାଇଛି । କିଛିଦିନ ପୂର୍ବରୁ ସୀମାବର୍ତ୍ତୀ ଅଞ୍ଚଳରେ ଡ୍ରୋନ୍ ଜରିଆରେ ଅସ୍ତ୍ରଶସ୍ତ୍ର ପକାଯିବା ଘଟଣା ବିଏସ୍ଏଫ୍‌ର କ୍ଷମତା ବୃଦ୍ଧି କରିବାକୁ ବାଧ୍ୟ କରିଥିଲା ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ୧୦ଟି ରାଜ୍ୟରେ ଜାତୀୟ ସୁରକ୍ଷା ପ୍ରତି ବିପଦକୁ ପ୍ରତିହତ କରିବା ଲାଗି ଏଭଳି ପଦକ୍ଷେପ ନିଆଯାଇଥିବା ସୂଚନା ଦିଆଯାଇଛି । 

ବିଏସ୍ଏଫ୍ ସୀମା ଜଗୁଥିଲେ ବି ଅନେକ କ୍ଷେତ୍ରରେ ସଂପୂର୍ଣ୍ଣ ଭାବେ ଅନୁପ୍ରବେଶ ଭଳି ଘଟଣା ରୋକିବାକୁ ସମର୍ଥ ହୋଇପାରୁନି । ଏଣୁ କ୍ଷମତା ପରିସର ବୃଦ୍ଧି ପାଇଲେ, ଆଖପାଖ ଅଞ୍ଚଳରେ ବିଏସ୍ଏଫ୍ କାର୍ଯ୍ୟାନୁଷ୍ଠାନ ନେବାରେ ସକ୍ଷମ ହୋଇପାରିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ତେବେ କ୍ଷମତା ବୃଦ୍ଧି ଯୋଗୁଁ ସ୍ଥାନୀୟ ପୋଲିସ ବା ଗାଁ ଲୋକଙ୍କ ସହ ମୁହାଁମୁହିଁ ପରିସ୍ଥିତି ଉପୁଜିବା ଆଶଙ୍କା ରହିଥିବା କୁହାଯାଉଛି । 

ଏଣିକି ଯଦି କୌଣସି ଘଟଣାକୁ ନେଇ ଗୁଇନ୍ଦା ସୂଚନା ମିଳେ, ତା ହେଲେ ଆଉ ସ୍ଥାନୀୟ ପୋଲିସକୁ ଅପେକ୍ଷା କରିବ ନାହିଁ ବିଏସ୍ଏଫ୍ । ସୀମା ଭିତରେ ୫୦ କିଲୋମିଟର ଯାଏ ନିଜେ ନିଜେ ତତକ୍ଷଣାତ ପଦକ୍ଷେପ ନେଇପାରିବ । ନୂଆ କ୍ଷମତା ବଳରେ ପଶ୍ଚିମବଙ୍ଗ, ପଞ୍ଜାବ ଓ ଆସାମରେ ବିଏସ୍ଏଫ୍ ସିଆରପିସି, ପାସପୋର୍ଟ ଆଇନ ଓ ଭାରତକୁ ପ୍ରବେଶ ନେଇ ପାସପୋର୍ଟ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବ । ପୋଲିସ ଭଳି ତଲାସୀ ଓ ଗିରଫ ମଧ୍ୟ କରିପାରିବ ବିଏସ୍ଏଫ୍ । 

ପୂର୍ବରୁ ଭାରତ-ପାକିସ୍ତାନ ଓ ଭାରତ-ବାଂଲାଦେଶ ସୀମାର ଭାରତ ପଟେ ୧୫ କିଲୋମିଟର ଯାଏ ବିଏସ୍ଏଫ୍‌କୁ କ୍ଷମତା ଦିଆଯାଇଥିଲା । ଏବେ ଏହାକୁ ବୃଦ୍ଧି କରି ୫୦ କିଲୋମିଟର କରାଯାଇଛି । ସେହିପରି ଗୁଜୁରାଟ୍‌ରେ ୮୦ କିମିକୁ ହ୍ରାସ କରି ୫୦ କିଲୋମିଟରକୁ ଅଣାଯାଇଛି । ରାଜସ୍ଥାନରେ ପୂର୍ବର ୫୦ କିମି କ୍ଷମତା ପରିସରକୁ ବଜାୟ ରଖାଯାଇଛି । ଏହାଫଳରେ ସାରା ଦେଶରେ ବିଏସ୍ଏଫ୍‌ର କ୍ଷମତା ପରିସର ସମାନ ରହିବ ବୋଲି କୁହାଯାଉଛି ।

ତେବେ ମେଘାଳୟ, ନାଗାଲାଣ୍ଡ, ମିଜୋରାମ, ତ୍ରିପୁରା, ମଣିପୁର, ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖରେ ବିଏସ୍ଏଫ୍ ପାଇଁ କୌଣସି ସୀମା ରଖାଯାଇ ନାହିଁ । ସାରା ରାଜ୍ୟରେ ବିଏସ୍ଏଫ୍ ନିଜର କ୍ଷମତା ପ୍ରୟୋଗ କରିପାରିବ । ମାଜିଷ୍ଟ୍ରେଟଙ୍କ ଅନୁମତି ବିନା ବିଏସ୍ଏଫ୍‌ର ଯେକୌଣସି ଅଫିସର କ୍ଷମତା ପ୍ରୟୋଗ କରି ଗିରଫ, ତଲାସୀ ଓ ଜବତ କରିପାରିବ ବୋଲି ନୂଆ ବିଜ୍ଞପ୍ତିରେ କୁହାଯାଇଛି ।

ସେପଟେ ବିଏସ୍ଏଫ୍‌ର କ୍ଷମତା ବୃଦ୍ଧିକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରନଜିତ ସିଂ ଚନ୍ନି ବିରୋଧ କରିଛନ୍ତି । ସୀମା ଭିତରେ ୫୦ କିଲୋମିଟର ଯାଏ ବିଏସ୍ଏଫ୍‌କୁ କ୍ଷମତା ଦିଆଯିବା ସିଧାସଳଖ ଭାବେ ସଂଘୀୟ ବ୍ୟବସ୍ଥାର ପରିପନ୍ଥୀ । ଏଣୁ ଏହାକୁ ତୁରନ୍ତ ପ୍ରତ୍ୟାହାର କରିନେବାକୁ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ନିବେଦନ କରିଛନ୍ତି । ସେହିପରି ପଞ୍ଜାବ ଉପମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ସିଂ ରାନ୍ଧଓ୍ୱା କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ।