• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ବାତ୍ୟା ଲ୍ୟାଣ୍ଡଫଲ୍ ନକରୁଣୁ ଗଜପତି ଜିଲ୍ଲାରେ ଅଘଟଣ ।

  • ଗଜପତି ଜିଲ୍ଲା ଗୁମ୍ମା ବ୍ଳକରେ ମାଟି ଅତଡ଼ା ଧସି ରାସ୍ତା ଅବରୋଧ ।

  • ନାମନଗଡରୁ ଅଜୟଗଡ଼ ମଧ୍ୟରେ ରାସ୍ତାରୁ ମାଟି ଅତଡ଼ା ଧସିବାରୁ ଯାତାୟତ ସମ୍ପୂର୍ଣ୍ଣ ଠପ୍‌ ହୋଇଛି ।

ବାତ୍ୟା ଲ୍ୟାଣ୍ଡଫଲ୍ ନକରୁଣୁ ଗଜପତି ଜିଲ୍ଲାରେ ଅଘଟଣ । ଗଜପତି ଜିଲ୍ଲା ଗୁମ୍ମା ବ୍ଳକରେ ମାଟି ଅତଡ଼ା ଧସି ରାସ୍ତା ଅବରୋଧ । ଯାତାୟତ ଠପ୍‌ । ନାମନଗଡରୁ ଅଜୟଗଡ଼ ମଧ୍ୟରେ ରାସ୍ତାରୁ ମାଟି ଅତଡ଼ା ଧସିବାରୁ ଯାତାୟତ ସମ୍ପୂର୍ଣ୍ଣ ଠପ୍‌ ହୋଇଛି । ଜିଲ୍ଲା ପ୍ରଶାସନ ଓ ରେସ୍‌କ୍ୟୁ ଟିମ୍ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । 

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲା ରାଇପାଙ୍କା ଅଂଚଳର ପାହାଡ଼ ତଳେ ବସବାସ କରୁଥିବା ଗ୍ରାମବାସୀଙ୍କୁ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଉଛି । କୌଣସି ଅଘଟଣକୁ ଏଡ଼ାଇବା ପାଇଁ ପ୍ରଶାସନର ନିର୍ଦ୍ଦେଶକ୍ରମେ ରାଇପାଙ୍କା ପଞ୍ଚାୟତର ରାଇପଙ୍କା ଗାଁ ସମେତ କଡ଼କଡ଼ମା, ମାନ୍ଦ୍ରାବାଜୁ ଗାଁର ପ୍ରାୟ ୫୦ ପରିବାରକୁ ସ୍ଥାନାନ୍ତର କରାଯାଉଛି । ସେମାନଙ୍କୁ ଆଶ୍ରୟ ସ୍ଥଳୀରେ ରଖାଯାଉଛି । 

ସେହିଭଳି ବାତ୍ୟା ଗୁଲାବକୁ ନେଇ ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି । ଅଗ୍ନିଶମ ବିଭାଗ ପକ୍ଷରୁ କନିଷି ଠାରୁ ଗୋପାଳପୁର ମଧ୍ୟରେ ଥିବା ଦୁର୍ବଳ ଗଛ ଗୁଡିକ ଡାଳ କାଟି ସଫା କରାଯାଉଛି । ଯେଉଁ ଗଛର ଡାଳ ବିଦ୍ୟୁତ ତାର ନିକଟରେ ରହିଛି କିମ୍ବା ଡାଳ ଭାଂଗି ରାସ୍ତା ଅବରୋଧ ସମ୍ଭାବନା ରହିଛି ସେଗୁଡିକୁ କାଟି ସଫା କରାଯାଉଛି ।

ବାତ୍ୟା ଗୁଲାବ ଯୋଗୁଁ ରାଜ୍ୟର ବିଭିନ୍ନ ବନ୍ଦର ଓ ସମୁଦ୍ରକୂଳରେ ବିପଦ ସଙ୍କେତ ଜାରି ହୋଇଛି । ଗୋପାଳପୁର ବନ୍ଦରରେ ୭ ନମ୍ବର ବିପଦ ସଙ୍କେତ ଜାରି ହୋଇଛି । ସେହିଭଳି ପୁରୀରେ ୬ ନମ୍ବର, ପାରାଦୀପରେ ୩ ନମ୍ବର ଏବଂ ଧାମରା ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି ହୋଇଛି । 

ସେପଟେ ଏବେ ସ୍ଥଳ ଭାଗ ନିକଟବର୍ତ୍ତୀ ହେଉଛି ବାତ୍ୟା ଗୁଲାବ । ଆଜି ରାତି ୯ଟାରୁ ଆରମ୍ଭ ହେବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ମଧ୍ୟରାତ୍ରୀରେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲାରେ ବାତ୍ୟା ଲ୍ୟାଣ୍ଡଫଲ୍ କରିବ ବୋଲି ଏସ୍‌ଆର୍‌ସି ସୂଚନା ଦେଇଛନ୍ତି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ ଅନୁସାରେ ଏବେ ଉତ୍ତର ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଅଛି । ବିଶାଖାପାଟନମ ରାଡାରରେ ବାତ୍ୟାର ଆଖି ଦୃଶ୍ୟମାନ ହୋଇଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ବାତ୍ୟା ସ୍ଥଳ ଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟା ପ୍ରତି ୭୫ରୁ ୮୫ କିଲୋମିଟର ହୋଇପାରେ । ବେଳେ ବେଳେ ଏହା ୯୫ କିଲୋମିଟରକୁ ଛୁଇଁବାର ସମ୍ଭାବନା ଅଛି ।

ବାତ୍ୟାର ପ୍ରଭାବ ଗଞ୍ଜାମ ଓ ଗଜପତି ଜିଲ୍ଲା ଅଧିକ ପ୍ରଭାବିତ ହେବା ସମ୍ଭାବନା ରହିଛି । ଲ୍ୟାଣ୍ଡଫଲ ବେଳେ ଦକ୍ଷିଣ ଓଡ଼ିଶା ଓ ଉପକୂଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ରାଜ୍ୟର ୭ଟି ଜିଲ୍ଲାରେ ଅଧିକ ବର୍ଷା ଓ ପବନ ହେବ । ଗଂଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି ।

ସେହିପରି ପ୍ରବଳ ବର୍ଷା ନେଇ ପୁରୀ, ଖୋର୍ଦ୍ଧା, ନୟାଗଡ଼ ଏବଂ କଳାହାଣ୍ଡି ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ । ଏହାଛଡ଼ା ୧୦ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ନେଇ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ସେହି ଜିଲ୍ଲା ଗୁଡ଼ିକ ହେଉଛି, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ, ବୌଦ୍ଧ, ସୋନପୁର, ବଲାଙ୍ଗିର ଏବଂ ନବରଙ୍ଗପୁର ।