• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କେନ୍ଦୁଝର: ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱର୍ଗତ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ରାଶି ପ୍ରଦାନ କଲା ଜିଲ୍ଲା ପ୍ରଶାସନ । ଅରିନ୍ଦମଙ୍କ ପତ୍ନୀଙ୍କୁ ଏହି ରାଶି ହସ୍ତାନ୍ତର କରିଛନ୍ତି କେନ୍ଦୁଝର ଉପ ଜିଲ୍ଲାପାଳ । ଜର୍ଣ୍ଣାଲିଷ୍ଟ ୱେଲଫେୟାର ଫଣ୍ଡରୁ ଏହି ସହାୟତା ରାଶି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ତାସହ ମୁଖ୍ୟମନ୍ତ୍ରୀ ଦେଇଥିବା ସମବେଦନା ବାର୍ତ୍ତାକୁ ପରିବାର ଆଗରେ ସୂଚାଇ ଥିଲେ ଉପଜିଲ୍ଲାପାଳ । ଖାଲି ସେତିକି ନୁହେଁ ଆଗାମୀ ଦିନରେ କୌଣସି ବି ସହାୟତା ଯୋଗାଇଦେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି ।

ସେପଟେ ଅରିନ୍ଦମ ଦାସଙ୍କ ବିୟୋଗକୁ ୨ ଦିନ ବିତିଯାଇଥିବା ବେଳେ  ତାଙ୍କୁ ଝୁରି ହେଉଛନ୍ତି ତାଙ୍କ ସାଙ୍ଗସାଥୀ ଓ ସହପାଠୀ । ଏହି କ୍ରମରେ ଅରିନ୍ଦମଙ୍କ ସ୍ମୃତିରେ ସେ ପାଠ ପଢ଼ିଥିବା ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମାସ୍ କମ୍ୟୁନିକେସନ୍-ଆଇଆଇଏମସି ପରିବାର ପକ୍ଷରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଭୁବନେଶ୍ୱର ଓଡ଼ିଶା ପ୍ରେସ କ୍ଲବଠାରେ ଆୟୋଜିତ ଶୋକସଭାରେ ଆଇଆଇଏମସି ଆଲୁମିନି ଆସୋସିଏସନର ବହୁ ସଦସ୍ୟ ଏକତ୍ରିତ ହୋଇ ଦିବଂଗତ ଆତ୍ମାର ସଦଗତି ଲାଗି ନିରବ ପ୍ରାର୍ଥନା କରିଥିଲେ । ତାସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ବହୁ ଆଇଆଇଏମସି ଆଲୁମିନସ ଅରିନ୍ଦମଙ୍କ ସହ ଥିବା ସେମାନଙ୍କର ପୁରୁଣା ସ୍ମୃତି ଚାରଣ କରିଥିଲେ । 

ସୂଚନାଥାଉ କି,  କର୍ତ୍ତବ୍ୟ ସମ୍ପାଦନ ବେଳେ ଓଟିଭି ଚିଫ୍ ରିପୋର୍ଟର ଅରିନ୍ଦମ ଦାଶଙ୍କର କାଲି ଅକାଳ ବିୟୋଗ ହୋଇଛି । କଟକ ମୁଣ୍ଡଳୀରେ ଫସିଥିବା ଏକ ହାତୀ ସମ୍ପର୍କରେ ଖବର ସଂଗ୍ରହ ପାଇଁ ଓଡ୍ରାଫ୍ ଟିମ୍ ସହ ବୋଟରେ ଯାଇଥିବାବେଳେ ବୋଟ୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ନଦୀରେ ଭାସି ଯାଇଥିଲେ । ଅରିନ୍ଦମଙ୍କ ସହ ଓଟିଭି କ୍ୟାମେରାମ୍ୟାନ୍ ପ୍ରଭାତ ସିହ୍ନାଙ୍କୁ ଉଦ୍ଧାର କରାଯାଇ କଟକ ଏସସିବି ନିଆଯାଇଥିଲା । ସେଠାରେ  ଅରିନ୍ଦମଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ କ୍ୟାମେରା ମ୍ୟାନ୍ ପ୍ରଭାତଙ୍କର ଚିକିତ୍ସା ଚାଲିଛି । ସେ ଏବେ ସୁସ୍ଥ ଥିବା ଡାକ୍ତରଙ୍କ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ଏହି ଘଟଣାରେ ଜଣେ ଓଡ୍ରାଫ୍‌ ଯବାନଙ୍କ ମୃତ୍ୟୁ ହୋଇଛି ।