• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରରେ ୨୬ଟି ଟ୍ରେନ ବାତିଲ

  • ବର୍ଷା ଓ ପବନ ଆଶଙ୍କାରେ ପଦକ୍ଷେପ ନେଲା ରେଳ ବିଭାଗ

  • ୫ଟି ଟ୍ରେନର ଗତିପଥରେ ପରିବର୍ତ୍ତନ

  • କେତେକ ଟ୍ରେନର ଯାତାୟତ ସମୟରେ ପରିବର୍ତ୍ତନ

  • ଗୁଣ୍ଟୁର-ରାୟଗଡ଼ା ସ୍ପେସାଲ ଟ୍ରେନ ଗୁଣ୍ଟୁରରୁ ବିଶାଖାପାଟଣା ଯାଏ ଯିବ

ଭୁବନେଶ୍ୱର : ଗୁଲାବ ପାଇଁ ଟ୍ରେନ୍ ବାତିଲ । ସମ୍ଭାବ୍ୟ ବାତ୍ୟା ଗୁଲାବର ପ୍ରଭାବ ପଡ଼ିବ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରରେ । ସେହି ଦୃଷ୍ଟିରୁ ଏହି ଅଞ୍ଚଳ ଦେଇ ଗତି କରୁଥିବା ୨୬ଟି ଟ୍ରେନ୍ ବାତିଲ କରାଯାଇଛି । ଜୋର୍ ବର୍ଷା ପବନର ଆଶଙ୍କା ଥିବାରୁ ଏହି ପଦକ୍ଷେପ ନେଇଛି ରେଳ ବିଭାଗ । ତା ସହିତ ୫ଟି ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି । କେତେକ ଟ୍ରେନର ଯାତାୟତ ସମୟରେ ପରିବର୍ତ୍ତନ କରାଯାଇଥିବା ମଧ୍ୟ ସୂଚନା ଦିଆଯାଇଛି ।

ଗୁଣ୍ଟୁର-ରାୟଗଡ଼ା ସ୍ପେସାଲ ଟ୍ରେନ ଗୁଣ୍ଟୁରରୁ ବିଶାଖାପାଟଣା ଯାଏ ଯିବ । ବିଶାଖାପାଟଣାରୁ ରାୟଗଡ଼ା ଯାଏ ଏହାକୁ ବାତିଲ କରାଯାଇଛି । ରେଳ ବିଭାଗ ପକ୍ଷରୁ କୁହାଯାଇଛି, ବର୍ଷା ପବନ ଆଶଙ୍କା ପାଇଁ ସବୁ ପ୍ରକାର ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ତା ସହିତ ଏହି ଅଞ୍ଚଳରେ ପାଟ୍ରୋଲିଂ କରାଯିବ । ଯେଉଁଠି ବେଶି ବର୍ଷା ପବନର ଆଶଙ୍କା ଅଛି,ସେଠାରେ ଓ୍ୱାଚ୍ ମ୍ୟାନ ରଖିଛି ରେଳ ବିଭାଗ । ଏହା ସହିତ ବିଭିନ୍ନ ବ୍ରିଜ ଉପରେ ମଧ୍ୟ ନଜର ରଖାଯାଇଛି । ଇଲେକ୍ଟ୍ରିକାଲ ଓ ସିଗନାଲ ବ୍ୟବସ୍ଥା ଯେପରି ବେଶି ପ୍ରଭାବିତ ନ ହୁଏ, ସେଥିପାଇଁ ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି ।

ଅନ୍ୟପକ୍ଷରେ ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ଗୁଲାବ । ଆଜି ଭୋର ୫ଟା ୧୫ରେ ପାଣିପାଗ ବିଭାଗ ଜାରି କରିଥିବା ବୁଲେଟିନ ଅନୁସାରେ ବାତ୍ୟା ଏବେ ଉତ୍ତର ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଅଛି । ଗୋପାଳପୁର ଠାରୁ ଏହା ୩୧୦ କିଲୋମିଟର ଦୂରରେ ଥିବା ବେଳେ କଳିଙ୍ଗପଟ୍ଟନମରୁ ୩୮୦ କିଲୋମିଟର ଦୂରରେ ରହିଛି । ଗତ ୬ ଘଣ୍ଟା ହେଲା ଏହାର ବେଗ ରହିଛି ଘଣ୍ଟାପ୍ରତି ୭ କିଲୋମିଟର । ଏହା ଆହୁରି ପଶ୍ଚିମ ଦିଗରେ ଗତି କରି ଆଜି ସଂଧ୍ୟାରେ ଗୋପାଳପୁର ଓ କଳିଙ୍ଗପଟ୍ଟନମ୍ ମଧ୍ୟରେ ବାତ୍ୟା ଗୁଲାବ ସ୍ଥଳଭାଗକୁ ଅତିକ୍ରମ କରିବା ସମ୍ଭାବନା ରହିଛି ।