• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଆଜି ସଂଧ୍ୟାରେ ଗୋପାଳପୁର ଓ କଳିଙ୍ଗପଟ୍ଟନମ୍ ମଧ୍ୟରେ ଲ୍ୟାଣ୍ଡଫଲ୍ ସମ୍ଭାବନା

  • ପ୍ରଭାବିତ ହୋଇପାରେ ଦକ୍ଷିଣ ଓଡ଼ିଶାର ୭ଟି ଜିଲ୍ଲା

ଭୁବନେଶ୍ୱର : ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ଗୁଲାବ । ଆଜି ଭୋର ୫ଟା ୧୫ରେ ପାଣିପାଗ ବିଭାଗ ଜାରି କରିଥିବା ବୁଲେଟିନ ଅନୁସାରେ ବାତ୍ୟା ଏବେ ଉତ୍ତର ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଅଛି । ଗୋପାଳପୁର ଠାରୁ ଏହା ୩୧୦ କିଲୋମିଟର ଦୂରରେ ଥିବା ବେଳେ କଳିଙ୍ଗପଟ୍ଟନମରୁ ୩୮୦ କିଲୋମିଟର ଦୂରରେ ରହିଛି । ଗତ ୬ ଘଣ୍ଟା ହେଲା ଏହାର ବେଗ ରହିଛି ଘଣ୍ଟାପ୍ରତି ୭ କିଲୋମିଟର । ଏହା ଆହୁରି ପଶ୍ଚିମ ଦିଗରେ ଗତି କରି ଆଜି ସଂଧ୍ୟାରେ ଗୋପାଳପୁର ଓ କଳିଙ୍ଗପଟ୍ଟନମ୍ ମଧ୍ୟରେ ବାତ୍ୟା ଗୁଲାବ ସ୍ଥଳଭାଗକୁ ଅତିକ୍ରମ କରିବା ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୭୫ରୁ ୮୫ କିଲୋମିଟର ହୋଇପାରେ ବେଳେ ବେଳେ ଏହା ୯୫ କିଲୋମିଟରକୁ ଛୁଇଁବାର ସମ୍ଭାବନା ଅଛି । ସମୁଦ୍ର ଅଶାନ୍ତ ରହିବ ।

ତେଣୁ କେହି ସମୁଦ୍ର ଭିତରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି । ବାତ୍ୟା ପ୍ରଭାବରେ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ରାଜ୍ୟର ୭ଟି ଜିଲ୍ଲାରେ ଅଧିକ ବର୍ଷା ଓ ପବନ ହେବ ଗଂଜାମ, ଗଜପତି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ ଓ ମାଲକାନଗିରିରେ ଅଧିକ ପ୍ରଭାବ ପଡ଼ିପାରେ । ତେବେ ବର୍ଷା ପାଇଁ କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଂଜାମ, ଗଜପତି, କୋରାପୁଟ ଓ ମାଲକାନଗିରିକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ସମ୍ଭାବ୍ୟ ପରିସ୍ଥିତିକୁ ଦେଖି ଓଡ୍ରାଫ୍ ଟିମ୍ ମୁତୟନ କରାଯାଇଛି । ଓଡ଼ିଶାକୁ ୧୩ଟି ଏନଡିଆରଏଫ୍ ଟିମ୍ ପଠାଯିବା ନେଇ ସୂଚନା ଦେଇଛନ୍ତି ଏନଡିଆରଏଫ୍ ଡିଜି । ଗଞ୍ଜାମକୁ ୩, ଗଜପତି, ରାୟଗଡ଼ା, କୋରାପୁଟ, ନୟାଗଡ଼ ଜିଲ୍ଲାକୁ ଦୁଇଟି ଲେଖାଏଁ ଟିମ୍ ପଠାଯାଇଛି । ସେହିପରି ଆନ୍ଧ୍ରପ୍ରଦେଶରେ ୫ଟି ଟିମ୍ ମୁତୟନ କରାଯାଇଛି ।

ସେପଟେ ସମ୍ଭାବ୍ୟ ବାତ୍ୟା ଗୁଲାବ ପାଇଁ ଗଂଜାମ ଜିଲ୍ଲା ବ୍ରହ୍ମପୁର ସବଡିଭିଜନରେ ଏକ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ଏହାର ନମ୍ବର ହେଲା 0680-2227000 ଓ 77520 55567 । ସେହିପରି ବ୍ରହ୍ମପୁର ମହାନଗର ନିଗମ ମଧ୍ୟ ଏକ ହେଲ୍ପ ଲାଇନ୍ ନମ୍ବର ଜାରି କରିଛି । 8117055900 ନମ୍ବରକୁ କଲ୍ କରି ସାହାଯ୍ୟ ମାଗିପାରିବେ ଲୋକେ । ସେପଟେ ଆଜି ଓ ଆସନ୍ତାକାଲି ଭୁବନେଶ୍ୱରରେ ବର୍ଷା ହେବାର ଆଶଙ୍କା ଥିବାରୁ ଏଠାରେ ଦୁଇ ଦିନ ପାଇଁ କରୋନା ଟିକା କରଣକୁ ବନ୍ଦ ରଖାଯାଇଛି ।