• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • କେନ୍ଦ୍ର ସରକାରଙ୍କ ହେଲଥ୍ ଆଇଡି ବନାମ ରାଜ୍ୟ ସରକାରଙ୍କ BSKY ସ୍ମାର୍ଟ କାର୍ଡ ।

  • କେନ୍ଦ୍ରର ହେଲ୍‌ଥ ଆଇଡି ଆଗ ନା ରାଜ୍ୟର ବିଜୁ ସ୍ୱାସ୍ଥ୍ୟ କାର୍ଡ ?

କେନ୍ଦ୍ର ସରକାରଙ୍କ ହେଲଥ୍ ଆଇଡି ବନାମ ରାଜ୍ୟ ସରକାରଙ୍କ BSKY ସ୍ମାର୍ଟ କାର୍ଡ । ନ୍ୟାସନାଲ୍ ଡିଜିଟାଲ୍ ହେଲଥ୍ ମିଶନ- NDHM ଅନ୍ତର୍ଗତ ଦେଶର ପ୍ରତ୍ୟେକ ନାଗରିକଙ୍କ ହେଲଥ୍ ଡାଟା ବା ସ୍ୱାସ୍ଥ୍ୟ ଖାତା ପ୍ରସ୍ତୁତ କରିବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା । ୬ଟି କେନ୍ଦ୍ର ଶାସିତ ଅଞ୍ଚଳରେ ଏହା ଆରମ୍ଭ ହୋଇସାରିଛି । ପର୍ଯ୍ୟାୟ କ୍ରମେ ପ୍ରତି ରାଜ୍ୟରେ ଏହା ଲାଗୁ ହେବ । ଏହି ବ୍ୟବସ୍ଥାରେ ହେଲଥ୍ ଆଇଡି ଜେନେରଟ୍ କରାଯାଇ, ପ୍ରତ୍ୟେକ ଲୋକଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ରେକର୍ଡ ସେଥିରେ ଡିଜିଟାଲ୍ ମାଧ୍ୟମରେ ରଖାଯିବ । ଫଳରେ ସ୍ୱାସ୍ଥ୍ୟ ସମସ୍ୟା ନେଇ କୌଣସି ହସ୍ପିଟାଲ୍‌କୁ ଗଲେ ହେଲଥ୍ ଆଇଡିରୁ ପୂର୍ବ ଚିକିତ୍ସା ସଂପର୍କିତ ତଥ୍ୟ ସହଜରେ ମିଳିପାରିବ । ଏଥିଯୋଗୁଁ ସମୟ ବଞ୍ଚିବା ସହ ଡାକ୍ତରଙ୍କୁ ରୋଗୀର ଚିକିତ୍ସା କରିବାରେ ସହାୟକ ହେବ ।

ଗତବର୍ଷ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନା ସଂପର୍କରେ ଘୋଷଣା କରିଥିଲେ । ତେବେ କେନ୍ଦ୍ରର ହେଲଥ୍ ଆଇଡି ଓଡ଼ିଶାରେ ଲାଗୁ ହେବା ପୂର୍ବରୁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ବିଏସ୍‌କେଓ୍ୱାଇ ସ୍ମାର୍ଟ କାର୍ଡ । ଗୋଟିଏ ପରେ ଗୋଟିଏ ଜିଲ୍ଲାରେ ଏହି କାର୍ଡ ବାଣ୍ଟି ନିଜର ପ୍ରଚାର କରୁଥିବା ବେଳେ, ବିଜେପି ଏବେ ରାଜ୍ୟ ସରକାରଙ୍କୁ ନିଶାନା କରିଛି । କହିଛି NDHMର ହେଲଥ୍ ଆଇଡିକୁ କାଉଣ୍ଟର କରିବାକୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ଯୋଜନା ଆରମ୍ଭ କରାଯାଇଛି । ତେଣେ ବିଜେଡି କହିଛି, ଓଡ଼ିଶାର ସ୍ୱାସ୍ଥ୍ୟ କାର୍ଡକୁ କପି କରି କେନ୍ଦ୍ରର ବିଜେପି ସରକାର ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛି ।

ଗତ ମେ ମାସରେ ଯୋଜନାର ଅଗ୍ରଗତି ସଂପର୍କରେ ଖୋଦ୍ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଥିଲେ । ଓଡ଼ିଶାରେ ଏହାକୁ ଲାଗୁ କରିବା ପାଇଁ ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଛି । ଆଇଟି ବିଭାଗରେ ମଧ୍ୟ ଏକ କମିଟି ଏନେଇ କାମ କରୁଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ହେଲଥ୍ ଆଇଡି ଯୋଜନା ଲାଗୁ ହେଲେ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଅନେକ ସୁବିଧା ହୋଇପାରିବ ।

ବାରମ୍ବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁରୋଧ ସତ୍ତ୍ୱେ ଓଡ଼ିଶାରେ ଏଯାଏଁ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହୋଇପାରିନି । ଏହା ବଦଳରେ ରାଜ୍ୟ ସରକାର ନିଜସ୍ୱ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିଥିଲେ । ଏବେ ହେଲଥ୍ ଆଇଡି ଓ ବିଏସ୍‌କେଓ୍ୱାଇ ସ୍ମାର୍ଟ କାର୍ଡକୁ ନେଇ ଯେଭଳି ରାଜନୈତିକ ବୟାନବାଜି  ଆରମ୍ଭ ହୋଇଛି, ତା ଭିତରେ ଲୋକେ କିଭଳି ହେଲଥ୍ ଆଇଡି ସୁବିଧାରେ ପାଇବେ ତା ଉପରେ ନଜର ରହିବ ।