• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଡିଆରଡିଓ ତଥ୍ୟ ପ୍ରଘଟ ମାମଲାରେ ଆସିଛି ଆରବୀୟ ଲିଙ୍କ୍ ।

  • ଦୁବାଇରୁ ଡିଲ୍ ହେଉଥିଲା, ଚାନ୍ଦିପୁରରୁ ତଥ୍ୟ ପ୍ରଘଟ ହେଉଥିଲା ।

  • ଟଙ୍କା ବିନିମୟରେ ସଉଦା ହେଉଥିଲା ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ତଥ୍ୟ । 

ବାଲେଶ୍ୱର: ଡିଆରଡିଓ ତଥ୍ୟ ପ୍ରଘଟ ମାମଲାରେ ଆସିଛି ଆରବୀୟ ଲିଙ୍କ୍ । ଦୁବାଇରୁ ଡିଲ୍ ହେଉଥିଲା, ଚାନ୍ଦିପୁରରୁ ତଥ୍ୟ ପ୍ରଘଟ ହେଉଥିଲା । ଟଙ୍କା ବିନିମୟରେ ସଉଦା ହେଉଥିଲା ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ତଥ୍ୟ । ମନି ଆଉ ହନିଟ୍ରାପ୍‌ରେ ପଡ଼ି ଗିରଫ ୫ ଅଭିଯୁକ୍ତଙ୍କ ସାଂଘାତିକ ଷଡ଼ଯନ୍ତ୍ରର ଏଭଳି ଖୁଲାସା କରିଛି କ୍ରାଇମବ୍ରାଞ୍ଚ । ଦୁଇ ଦୁଇଟି କିସ୍ତିରେ ଜଣେ ଅଭିଯୁକ୍ତଙ୍କ ଆକାଉଣ୍ଟକୁ ହଜାର ହଜାର ଟଙ୍କା ଆସିଥିବା କ୍ରାଇମବ୍ରାଞ୍ଚ ସ୍ପଷ୍ଟ କରିଛି । ତା’ସହ ଜଣେ ରହସ୍ୟମୟୀ ଲେଡିଙ୍କ ହନିଟ୍ରାପ୍ ସମ୍ପର୍କିତ ତଥ୍ୟ ଖୁଲାସା କରିଛି କ୍ରାଇମବ୍ରାଞ୍ଚ । ଏସବୁ ଭିତରେ ବାୟୁସେନାର ଏକ ଟିମ୍ ବି ଅଭିଯୁକ୍ତଙ୍କୁ ଧରି ମାରାଥନ ଜେରା କରିଛି ।

ପ୍ରତିରକ୍ଷା କ୍ଷେତ୍ରର ଗୁୁରୁତ୍ୱପୂର୍ଣ୍ଣ ତଥ୍ୟ ସଉଦା କରି ଗତ କିଛିଦିନ ତଳେ ଜେଲ୍ ଯିବାବେଳେ କିଏ ନିଜକୁ ସଚ୍ଚା ଭାରତୀୟ କହି ଜାତୀୟ ସଂଗୀତ ଗାନ କରିଥିଲା ତ ଆଉ କିଏ କହୁଥିଲା କାହାଠୁ ପଇସା ନେଇନି । ହେଲେ ସପ୍ତାହେ ନପୁରୁଣୁ କ୍ରାଇମବ୍ରାଞ୍ଚ ଖୋଲିଛି ଏହି ୫ ଗୁପ୍ତଚରଙ୍କ ଅସଲ ମୁଖା । ଯାହାଙ୍କ ଲିଙ୍କ୍ ସିଧାସଳଖ ଆରବୀୟ ଦେଶ ସହ ରହିଛି । ଦୁବାଇରୁ ହୋଇଛି ହଜାର ହଜାର ଟଙ୍କାର ଡିଲ୍ । କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା କହିଛନ୍ତି ଜଣେ ଅଭିଯୁକ୍ତଙ୍କ ଆକାଉଣ୍ଟକୁ ଦୁବାଇରୁ ଆସିଛି ୩୮ ହଜାର । ତାପୁଣି ୨ଟି କିସ୍ତିରେ । ଅନ୍ୟ ମାନଙ୍କ ଆକାଉଣ୍ଟକୁ ଟଙ୍କା ଆସିଛି କି ନାହିଁ ? ଅନ୍ୟ କେଉଁ ଉପାୟରେ ବା ବ୍ୟାଙ୍କରେ ଟଙ୍କା ନେଇଛନ୍ତି କି ଅଭିଯୁକ୍ତମାନେ ? ସେସବୁର ତଦନ୍ତ ସହ ଅଭିଯୁକ୍ତଙ୍କ ମୋବାଇଲ, ଆକାଉଣ୍ଟ ନମ୍ବର ଯାଞ୍ଚ କରାଯାଉଥିବା କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି ।

ଅର୍ଥାତ ପ୍ରତିରକ୍ଷାର ଅଭେଦ୍ୟ ଦୁର୍ଗ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ନିଷିଦ୍ଧ ତଥ୍ୟକୁ ନେଇ କରିଛନ୍ତି ସଉଦା । ଆଉ ସେହି ସଉଦାର ସୁତ୍ରଧର ହେଉଛି ଜଣେ ରହସ୍ୟମୟୀ ଲେଡି । କୁହାଯାଉଛି, ହନି ଆଉ ମନିଟ୍ରାପ୍‌ରେ ଫସାଇଥିଲା, ଡ୍ରାଇଭର ସଚିନ୍ କୁମାର ଛତ୍ତା, ଠିକା AC ଅପରେଟର୍ ବସନ୍ତ ବେହେରା ଓ ଶେଖ୍ ମୁଶାଫିର, ମେନ୍‌ଗେଟ୍ କିପର୍ ତାପସ ନାୟକ ଓ ଡିଜି ଅପରେଟର୍ ହେମନ୍ତ କୁମାର ମିସ୍ତ୍ରୀକୁ । ପ୍ରଥମେ ସୋସିଆଲ୍ ମିଡିଆରେ ଚାଟିଂ କରି ଦୋସ୍ତି, ପରେ ୟୁକେର ଏକ ଟେଲିଫୋନ୍ ନମ୍ବର ଜରିଆରେ ବାର୍ତ୍ତାଳାପ ସହ ବିଶ୍ୱାସ ଜିତିଥିଲା ଏହି ୫ ଅଭିଯୁକ୍ତଙ୍କର । ଆଉ ଟଙ୍କା ବିନିମୟରେ ଆଦାୟ କରୁଥିଲା କ୍ଷେପଣାସ୍ତ୍ର ଘାଟିର ତଥ୍ୟ । ଦେଶର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ପରିଚୟ ରଖି ଏହି ରହସ୍ୟମୟୀ ମହିଳା ଚଳାଇଥିଲା ନେଟ୍‌ୱାର୍କ । ବର୍ତ୍ତମାନ ଜବତ ଟେଲିଫୋନକୁ ଫୋରେନସିକ୍ ଲ୍ୟାବ୍ ପଠାଯାଇଥିବା କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି । 

ତେବେ ଟଙ୍କା ବିନିମୟରେ ଏହି ୫ ଅଭିଯୁକ୍ତ କି କି ତଥ୍ୟ ପ୍ରଘଟ କରିଛନ୍ତି ? ୟୁପିରେ ରହି ପାକିସ୍ତାନୀ ହ୍ୟାଣ୍ଡଲର ଏମାନଙ୍କୁ ନିୟନ୍ତ୍ରଣ କରୁଥିବା ଚର୍ଚ୍ଚା ପଛର ସତ କେତେ ? ଚାନ୍ଦିପୁରରେ ପରୀକ୍ଷଣ ମିଜାଇଲ ସମ୍ପର୍କିତ ଗୁପ୍ତ ତଥ୍ୟକୁ ଶତ୍ରୁପକ୍ଷକୁ ଟେକି ଦେଇ ନାହାଁନ୍ତି ତ ୫ ଅଭିଯୁକ୍ତ ? ବର୍ତ୍ତମାନ ଏଭଳି ଆଶଙ୍କା ଭିତରେ ଏୟାର ଫୋର୍ସର ୩ ଜଣିଆ ଟିମ୍ କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଖୋଳତାଡ଼ କରିଛି ।

ତେବେ NIA କାହାକୁ ଜେରା କରିନି ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସ୍ପଷ୍ଟ କରିଛନ୍ତି । ଅପରପକ୍ଷେ ଏହି ଅନ୍ତର୍ଜାତୀୟ ଅପରାଧର ତଦନ୍ତଭାର କ୍ରାଇମବ୍ରାଞ୍ଚ କିମ୍ବା ପୋଲିସ ବଦଳରେ କୌଣସି ବଡ଼ ତଦନ୍ତକାରୀ ସଂସ୍ଥାକୁ ଦିଆଯିବା ଉଚିତ ବୋଲି କହିଛନ୍ତି ପୂର୍ବତନ ଡିଜିପି ପ୍ରକାଶ ମିଶ୍ର । ୭ ଦିନିଆ ରିମାଣ୍ଡରେ ଥିବା ୫ ଅଭିଯୁକ୍ତଙ୍କ ଠାରୁ ଆଉ କି ତଥ୍ୟ ସାମ୍ନାକୁ ଆଣୁଛି କ୍ରାଇମବ୍ରାଞ୍ଚ, ତାକୁ ଅପେକ୍ଷା ।