• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର, (ରିପୋର୍ଟ- ହରିହର ଚାନ୍ଦ): ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଜୋର ସୋରରେ ଚାଲିଛି ପ୍ରସ୍ତୁତି । ଏହି କ୍ରମରେ ଆଜି ଓ୍ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଦସ୍ୟ ପଦବୀ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପଦାକୁ ଆସିଛି । ୨୦୧୭ରେ ହୋଇଥିବା ନିର୍ବାଚନକୁ ଦେଖିଲେ ଏଥର ୭ଟି ପଞ୍ଚାୟତ ଓ ୧୧୧ଟି ଓ୍ୱାର୍ଡକୁ ବାଦ୍ ଦିଆଯାଇଛି । ସେଗୁଡିକୁ ପୌରାଞ୍ଚଳରେ ସାମିଲ କରାଯାଇଛି । ୫୦ ପ୍ରତିଶତ ସିଟ୍ ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ବେଳେ କିଛି ସ୍ଥାନରେ ପଛୁଆ ବର୍ଗ ସଂରକ୍ଷଣ କମିଥିବା ଜଣାପଡିଛି ।

ତେବେ କୁହାଯାଇପାରେ, ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତିରେ ଆଉ ପାଦେ ବଢ଼ିଲେ ରାଜ୍ୟ ନିର୍ବାଚନ ଆୟୋଗ । ଚୂଡ଼ାନ୍ତ ହେଲା ପଞ୍ଚାୟତ ତାଲିକା । ଏହି ଅନୁଯାୟୀ, ୬ ହଜାର ୭୯୪  ପଂଚାୟତରେ ହେବ ଭୋଟ୍ ଯେଉଁଥିରେ ରହିଛି ମୋଟ୍ ୯୧ ହଜାର ୯୧୬ଟି ଓ୍ୱାର୍ଡ । ୨୦୧୭ରେ ୬ ହଜାର ୮୦୧ ପଂଚାୟତରେ ନିର୍ବାଚନ ହୋଇଥିବା ବେଳେ ଏଥର ୭ଟି ପଂଚାୟତ ବାଦ୍ ପଡ଼ିଛି । ସେହିପରି ଓ୍ୱାର୍ଡ କଥା ଦେଖିଲେ ୧୧୧ଟି ଓ୍ୱାର୍ଡ କଟିଛି କାରଣ ସେସବୁ ପଂଚାୟତ ଓ ଓ୍ୱାର୍ଡଗୁଡ଼ିକୁ ପୌରାଞ୍ଚଳରେ ସାମିଲ କରାଯାଇଛି ।

ସେପଟେ ଓ୍ୱାର୍ଡମେମ୍ବର, ସଂରପଞ୍ଚ, ସମିତି ସଭ୍ୟ ପଦବୀ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ମୋଟ୍ ୯୧ ହଜାର ୯୧୬ ଓ୍ୱାର୍ଡରେ ଓ୍ୱାର୍ଡ ମେମ୍ବର ନିର୍ବାଚନ ହେବ । ସେଥିମଧ୍ୟରୁ ୪୯ ହଜାର ୪୬୯ଟି ଓ୍ୱାର୍ଡ ବିଭିନ୍ନ ବର୍ଗର ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ସେହିପରି ପଛୁଆ ବର୍ଗଙ୍କ ଲାଗି ୧୨ ହଜାର ୩୧ଟି ଓ୍ୱାର୍ଡ ସଂରକ୍ଷଣ କରାଯାଇଛି । ଅନ୍ୟପକ୍ଷରେ ୬ ହଜାର  ୭୯୪ ପଂଚାୟତ ମଧ୍ୟରୁ ୩ ହଜାର ୫୦୦ଟିରେ ସରପଞ୍ଚ ପଦବୀ ମହିଳାଙ୍କ ପାଇଁ ଓ ୭୭୮ ପଞ୍ଚାୟତରେ ପଛୁଆ ବର୍ଗଙ୍କ ଲାଗି ଆସନ ସଂରକ୍ଷିତ ରହିଛି । ସେହିପରି ୩, ୫୩୮ଟି ସମିତି ସଭ୍ୟ ପଦବୀ ମହିଳାଙ୍କ ଲାଗି ଓ ୯୧୩ଟି ପଛୁଆ ବର୍ଗ ଲାଗି ସଂରକ୍ଷିତ ରହିଛି ।

ଅନ୍ୟପକ୍ଷରେ ମୋଟ୍ ୮୫୩ଟି ଜିଲ୍ଲା ପରିଷଦ ସଦସ୍ୟ ପଦବୀରୁ ୪୩୩ଟି ମହିଳାଙ୍କ ଲାଗି ଓ ୧୦୪ଟି ପଛୁଆ ବର୍ଗଙ୍କ ଲାଗି ରିଜର୍ଭ ରଖାଯାଇଛି । ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ୫୦ ପ୍ରତିଶତ ସିଟ୍ ମହିଳାଙ୍କ ପାଇଁ ରିଜର୍ଭ ରହିଛି । କିଛି କିଛି ସ୍ଥାନରେ ପଛୁଆ ବର୍ଗ ସଂରକ୍ଷଣ କମିଥିବା ଜଣାପଡିଛି ।

ସେପଟେ ପଂଚାୟତ ନିର୍ବାଚନ ଲାଗି ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମାକୁ ବଢାଇଛନ୍ତି ନିର୍ବାଚନ ଆୟୋଗ । ୨୦୧୭ରେ ସରପଂଚ ଓ ସମିତ ସଭ୍ୟ ପ୍ରାର୍ଥୀଙ୍କ ପାଇଁ ଏହା ୮୦ ହଜାର ଟଙ୍କା ଥିଲା । ଏହାକୁ ବଢ଼ାଇ ୨ଲକ୍ଷ କରାଯାଇଛି । ଜିଲ୍ଲା ପରିଷଦ ସଦସ୍ୟ ପ୍ରାର୍ଥୀଙ୍କ କ୍ଷେତ୍ରରେ ଖର୍ଚ୍ଚ ସୀମା ୨ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବଢ଼ାଯାଇଛି । ଅନ୍ୟପକ୍ଷରେ ମତଦାନ ସମୟକୁ ମଧ୍ୟ ବଢ଼ାଯାଇଛି । ଗତ ନିର୍ବାଚନରେ ଭୋଟିଂ ସମୟ ସକାଳ ୭ଟାରୁ ୧୨ଟା ପର୍ଯ୍ୟନ୍ତ ଥିବା ବେଳେ ଏହାକୁ ଘଣ୍ଟାଏ ବଢ଼ାଇ ଦିନ ଗୋଟାଏ ଯାଏଁ କରାଯାଇଛି ।

ଏହା ଉପରେ ପ୍ରତିକ୍ରିୟା ରଖି ବିଜେପି ଓ କଂଗ୍ରେସ କହିଛନ୍ତି, ପ୍ରାର୍ଥୀଙ୍କ ପାଇଁ ଖର୍ଚ୍ଚ ସୀମା ଯେତିକି ରଖାଯାଇଛି ତାଉପରେ ନିର୍ବାଚନ ଅାୟୋଗ ନଜର ରଖିବା ଉଚିତ । 

ଆଗାମୀ ପଂଚାୟତ ନିର୍ବାଚନରେ ଗତଥର ଭଳି ଭୋଟ୍ ଦିନ ଆଉ ଗଣତି ହେବ ନାହିଁ । ନିର୍ବାଚନ ଆୟୋଗ ଧାର୍ଯ୍ୟ କରିଥିବା ତାରିଖ ଅନୁସାରେ ବ୍ଳକ୍ ମୁଖ୍ୟାଳୟଗୁଡ଼ିକରେ କାଉଣ୍ଟିଂ ହେବ । ସେପଟେ ଏବେ ଓ୍ୱାର୍ଡୱାରୀ ଭୋଟର ଲିଷ୍ଟ ପ୍ରସ୍ତୁତ ଚାଲିଛି । ଏହି କାମ ସରିଲେ ଫେବୃଆରୀ-ମାର୍ଚ୍ଚ ବେଳକୁ ନିର୍ବାଚନ ଲାଗି ତାରିଖ ଘୋଷଣା ହେବ । ଙ୍କ ରିପୋର୍ଟ, ଓଟିଭି
ପଞ୍ଚାୟତ ନିର୍ବାଚନ ଲାଗି ଜୋରଦାର ପ୍ରସ୍ତୁତି
ସରପଞ୍ଚ ଓ ଜିଲ୍ଲାପରିଷଦ ସଭ୍ୟ ଚୂଡ଼ାନ୍ତ ସଂରକ୍ଷଣ ତାଲିକା
୨୦୧୭ ତାଲିକାରୁ କଟିଲା ୭ ପଞ୍ଚାୟତ, ୧୧୧ ଓ୍ୱାର୍ଡ
ବିରୋଧୀ କହିଲେ ଖର୍ଚ୍ଚ ଓ ଭୋଟିଂ ସମୟ ବୃଦ୍ଧିର ମନିଟରିଂ ଜରୁରୀ