• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମୁମ୍ବାଇ : ଜେଲରେ କଏଦୀଙ୍କୁ ମିଳିବ ଜ୍ୱାଇଁ ପୁଅ ଭୋଜନ । ସଜା କାଟୁଥିବା ଅଭିଯୁକ୍ତଙ୍କୁ ଶାନଦାର ହୋଟେଲର ଖାଇବା ପରି ଖାଦ୍ୟ ପରଷାଯିବ । ରେଷ୍ଟୁରାଣ୍ଟ ପରି ସ୍ୱାଦିଷ୍ଟ ଭୋଜନ ସହ ଚିକେନ୍ ଓ ଏନର୍ଜି ବାର ଦିଆଯିବାର ବ୍ୟବସ୍ଥା ମଧ୍ୟ କରାଯିବ । ଦଣ୍ଡ ଭୋଗୁଥିବା ଦୋଷୀଙ୍କୁ ମନ ପସନ୍ଦର ଭୋଜନରେ ଅପ୍ୟାୟିତ କରାଯିବ । କଏଦୀ ଆଉ ଜେଲର ପାଣିଚିଆ ଖାଦ୍ୟ ପାଇଁ ଅଭିଯୋଗ କରିବେ ନାହିଁ । ମହାରାଷ୍ଟ୍ର ଜିଲ୍ଲାର ଅତିରିକ୍ତ ମହାସଂଚାଳକ ସୁନୀଲ ରାମାନନ୍ଦ ଏହି ସୂଚନା ଦେଇଛନ୍ତି ।

ମହାରାଷ୍ଟ୍ର ପୁନେରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସୁନୀଲ ରାମାନନ୍ଦ କହିଛନ୍ତି, ଆଗାମୀ ସମୟରେ ମୁମ୍ବାଇର ଆର୍ଥର ରୋଡ଼୍ ଜେଲକୁ ବହୁ ମହଲା ବିଶିଷ୍ଟ ହେବାକୁ ପ୍ରସ୍ତାବ ଦିଆଯାଇଛି । ସାରା ରାଜ୍ୟର ଜେଲରେ ବନ୍ଦଥିବା କଏଦୀମାନଙ୍କ ସ୍ୱାସ୍ଥ୍ୟ ସହିତ ଭଲ ଖାଦ୍ୟ ପାଇବା ଉପରେ ଗୁରୁତ୍ୱ ଦିଆଯାଉଛି । ଏହି କାରଣରୁ ଜେଲରେ ପାରୋଲରେ ଛଡ଼ାଯିବାକୁ ଥିବା ୫୩ କଏଦୀ ବାହାରକୁ ଯିବାକୁ ମନା କରୁଛନ୍ତି । ଘର ତୁଳନାରେ ଜେଲରେ ଭଲ ଖାଇବା ପିଇବା ମିଳୁଥିବାରୁ ସେମାନେ ବାହାରକୁ ଯିବାକୁ ମଙ୍ଗୁନାହାନ୍ତି ।

କରୋନାର ପ୍ରଥମ ଲହରୀରେ ରାଜ୍ୟର ୬୦ଟି ଜେଲରେ ୧୫୨ ପ୍ରତିଶତ କ୍ଷମତାରୁ ଅଧିକ କଏଦୀ ରହିଥିଲେ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪୨୪୩ କଏଦୀ କରୋନା ସଂକ୍ରମିତ ହୋଇଥିବା ବେଳେ ସେଥିରୁ ୪୧୫୭ ଜଣଙ୍କ ମହାମାରୀରୁ ଆରୋଗ୍ୟ ଲାଭ କରିଛନ୍ତି । କରୋନା ମହାମାରୀ ଯୋଗୁଁ ସଙ୍କଟ କାଳରେ ୧୩ ହଜାର ୧୧୫ କଏଦୀଙ୍କୁ ପାରୋଲରେ ଘରକୁ ଯିବାକୁ ଅନୁମତି ଦିଆଯାଇଥିଲା, ଫଳରେ ଏବେ ଜେଲରେ କଏଦୀ ସଂଖ୍ୟା କମ୍ ରହିଛି ।

କରୋନା କାଳରେ ରାଜ୍ୟରେ ୯ଟି ଜେଲକୁ ସମ୍ପୂର୍ଣ୍ଣ ଭାବେ ଲକଡାଉନ୍ କରାଯାଇଥିଲା । ସେଠାରୁ ସମସ୍ତ କଏଦୀଙ୍କୁ ସ୍ଥାନାନ୍ତର କରାଯାଇଥିଲା । ପ୍ରଶାସନ ଅସ୍ଥାୟୀ ଭାବରେ ଜେଲ ଖାଲି କରି କୋଭିଡ-ସେଣ୍ଟର୍ସ ଆରମ୍ଭ କରିଥିଲା । ଫଳରେ ଏବେ ଜେଲରେ ମାତ୍ର ୭୩ ଜଣ ସଂକ୍ରିୟ ସଂକ୍ରମିତ ଅଛନ୍ତି । ଏବେ ସୁଦ୍ଧା କରୋନାରେ ୧୩ କଏଦୀ ଓ ୧୦ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ୮୭ ହଜାର କରୋନା ଟେଷ୍ଟ କରାଯାଇଛି । ସେହିପରି ଏବେ ସୁଦ୍ଧା ୨୩ ହଜାର ୪୨୩ କଏଦୀଙ୍କ ଟିକାକରଣ କରାଯାଇଛି ।