• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଯାଜପୁର(ଗୁଲାମ ଗସ) : ମିଳୁନି ଚିନାବାଦାମ ବିହନ । ଅଧିକ ଅମଳକ୍ଷମ ପାଇଁ ଚାଷୀଙ୍କୁ ଉନ୍ନତମାନର ବିହନ ଯୋଗାଇଦେବା ଲାଗି ସରକାର ବ୍ୟବସ୍ଥା କରିଛନ୍ତି । ହେଲେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ନୀତି ଯୋଗୁ ସରକାରୀ ବିହନ ପାଇବାରୁ ଚାଷୀ ବଞ୍ଚିତ ହେଉଛନ୍ତି । ଚାଷ ସମୟ ଗଡିଯାଉଥିବା ବେଳେ ସରକାରୀ ଚିନାବାଦାମ ବିହନ ନମିଳିବା ଚାଷୀଙ୍କ ଚିନ୍ତା ବଢାଇ ଦେଇଛି । ଚାଷ ପାଇଁ କ୍ଷେତ ପ୍ରସ୍ତୁତ କରି ଚାଷ ପାଇଁ ତରତର ହେଉଥିବା ଚାଷୀ ଏବେ ହତାଶ ହୋଇପଡିଛି । ଫଳରେ ଖୋଲା ବଜାରରୁ ଚଢା ଦରରେ ବିହନ କିଣିବାକୁ ବାଧ୍ୟ ହେଉଛି । ଏଭଳି ଅବସ୍ଥା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ଅଂଚଳରେ ।

ଚାଷ ଆରମ୍ଭରୁ ବିହନ ସମସ୍ୟା । ମିଳୁନି ଚିନାବାଦମ ବିହନ । ସରକାରୀ ବିହନକୁ ଅନେଇ ବସିଛି ଚାଷୀ । କିନ୍ତୁ ବିହନ ମିଳୁନାହିଁ । ପାଣିପାଗର ଲୁଚକାଳି ଖେଳ ଦେଖି ପ୍ରଥମେ ଚାଷୀ ହତାଶ ହୋଇପଡିଥିଲା । ପରେ ହଳ କରି କ୍ଷେତକୁ ଚାଷ ପାଇଁ ପ୍ରସ୍ତୁତ କରିଥିଲା । ସରକାରୀ ବିହନର ଅଭାବ ଏବେ ଚାଷୀଙ୍କ ସମସ୍ୟାକୁ ବଢାଇ ଦେଇଛି । ବିହନ ପାଇଁ ଚାଷୀ କୃଷି ବିଭାଗ ଅଫିସ ଓ ସମବାୟ ସମିତି କାର୍ଯ୍ୟାଳୟକୁ ଦୈାଡି ଦୈାଡି ହତାଶ ହେଲେଣି । କେବଳ ସେମାନଙ୍କୁ ଉତ୍ତର ମିଳୁଛି ଅପେକ୍ଷା କର । ବିହନ ଆସିଲେ ଦିଆଯିବ । ଏଣେ ଚାଷର ସମୟ ଗଡିଯାଉଥିବାରୁ ଚାଷୀ ବାଧ୍ୟ ହୋଇ ଖୋଲା ବଜାରରୁ ଚଢାଦରରେ ବିହନ କିଣି କ୍ଷେତରେ ବୁଣିବା ଆରମ୍ଭ କରିଛି । ଖୋଲା ବଜାରରୁ ଚିନାବାଦାମ ବିହନ କୁଇଂଟାଲ ପିଛା ୯ହଜାର ଟଙ୍କାରେ କିଣି ଚାଷୀ ଏବେ କଳାବଜାରୀର ଶିକାର ହୋଇଛି ।

ଚିନାବାଦାମ ଚାଷ ଏକ ଲାଭଜନକ ଫସଲ । ଯାଜପୁର ଜିଲ୍ଲାର ଧର୍ମଶାଳା ଅଧିନ ଧର୍ମଶାଳା ଅଂଚଳରେ ବ୍ୟାପକ ଭାବେ ଚିନାବାଦାମ ଚାଷ କରାଯାଇଥାଏ । ଚଳିତ ବର୍ଷ ବ୍ଲକରେ ୩ହଜାର ୫ଶହ ହେକ୍ଟର ଜିମିରେ ଚିନାବାଦାମ ଚାଷ କରିବାକୁ କୃଷି ବିଭାଗ ପକ୍ଷରୁ ଲକ୍ଷ ଧାର୍ଯ୍ୟ କରାଯାଇଛି । ତେବେ ସରକାରୀ ବିହନ ଅଭାବରୁ ଚାଷୀ ହରଡଘଣାରେ ପଡିଯାଇଛି । ଏଥିଯୋଗୁ ଚଳିତଥର ଲକ୍ଷଧାର୍ଯ୍ୟ ପୂରଣ ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ଚିନାବାଦମ ଅମଳ ନେଇ ମଧ୍ୟ ଆଶଙ୍କା ପ୍ରକାଶ ହୋଇଛି ।

ବିହନ କର୍ପୋରେସନ ପକ୍ଷରୁ ବିହନ ଯୋଗାଣ ବିଳମ୍ବ ଯୋଗୁ ଏଭଳି ସମସ୍ୟା ଦେଖାଦେଇଛି ବୋଲି ଧର୍ମଶାଳା କୃଷିଅଧିକାରୀ ସୂଚନା ଦେଇଛନ୍ତି । କୃଷି ଓ କୃଷକର ବିକାଶ ପାଇଁ ସରକାର ତତ୍ପର ବୋଲି ଡିଣ୍ଡିମ ପିଟୁଥିବା ବେଳେ ପ୍ରକୃତ ପକ୍ଷେ ସରକାର କୃଷକମାନଙ୍କ ପାଇଁ କେତେ ସଚେତନ ତାହା ଏଥିରୁ ସ୍ପଷ୍ଟ ଜଣାପଡୁଛି ।