• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆଜି ବି କଲବଲ କରିବ ତାତି । କାରଣ ଆଜି ସାଢ଼େ ୮ଟା ସୁଦ୍ଧା ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ଉପରମୁହାଁ ହେଲାଣି । ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ପ୍ରାୟ ୭ଟି ସହରରେ ପାରଦ ୩୩ ଡିଗ୍ରୀ ଉପରେ ରହିଛି । ବର୍ତ୍ତମାନ ସୁଦ୍ଧା ଭବାନୀପାଟଣାରେ ପାରଦ ୩୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗିରରେ ୩୪.୨, ଚାନ୍ଦବାଲି ୩୩.୮, ରାଉରକେଲା ୩୩.୪, କଟକ, ବାରିପଦା ଏବଂ କେଉଁଝରରେ ୩୩ ଡିଗ୍ରୀ ରହିଛି ପାରଦ ।

ସେହିପରି ଭୁବନେଶ୍ୱରର ପାରଦ ରହିଛି ୩୨.୨ ଡିଗ୍ରୀ । ଆଜି ବି ସେମିତି ଗରମ ଅନୁଭୂତ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଉପକୂଳରୁ ଉତ୍ତର, ପୂର୍ବରୁ ପଶ୍ଚିମ ସବୁଠି ଗ୍ରୀଷ୍ଣ ପ୍ରବାହ ଲାଗି ରହିଛି । ପରବର୍ତ୍ତୀ ୩ ଦିନ ମଧ୍ୟରେ ପଶ୍ଚିମା-ଝଡ଼ ଦ୍ୱାରା କାଳବୈଶାଖୀ ବର୍ଷା ହୋଇପାରେ ।

ଏହାଦ୍ୱାରା ଦିନ ତାପମାତ୍ରା ୨ ରୁ ୩ ଡିଗ୍ରୀ ଯାଏଁ ହ୍ରାସ ଘଟିବାର ସମ୍ଭାବନା ରହିଛି । ପରେ ପୁଣି ପାରଦ ବଢ଼ିବା ସହ ଗରମ ଏବଂ ଗୁଳୁଗୁଳି ଅସହ୍ୟ ହେବାର ଆଶଙ୍କା ରହିଛି । ଅନ୍ୟପଟେ ଆହୁରି ବଢ଼ିବ ଗ୍ରୀଷ୍ମ ପ୍ରବାହ, ଜଳିବ ମେ ମାସ ବୋଲି ଜଣାପଡ଼ିଛି । ସ୍ୱାଭାବିକଠାରୁ ଅଧିକ ତାପମାତ୍ରା ରହିବ ଏହି ମାସରେ । ସୋସିଆଲ୍ ମିଡ଼ିଆ Xରେ ଏହି ତଥ୍ୟ ଦେଇଛି ପାଣିପାଗ ବିଭାଗ ।

ତେବେ ମେ’ ମାସରେ କେମିତି ରହିବ ଗ୍ରୀଷ୍ମର ପ୍ରକୋପ ଚଳିତ ମାସ ଶେଷ ସୁଦ୍ଧା ବିବରଣୀ ଜାରି କରାଯିବ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ । ଏସବୁ ଭିତରେ ଗତକାଲି ଏ ବର୍ଷ ପ୍ରଥମ ଥର ପାଇଁ ୪୪ ଡିଗ୍ରୀ ପାର୍ କରିଛି ରାଜ୍ୟର ତାତି । ବୌଦ୍ଧର ତାପମାତ୍ରା ସର୍ବାଧିକ ୪୪.୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା । ସେପଟେ କାଳବୈଶାଖୀ ହେବାର ଥିବାରୁ ୨୧ ଓ ୨୨ ତାରିଖରେ ତାତି ଟିକେ କମିବ । ୨୪ ତାରିଖ ଯାଏଁ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ କମିବ ।

କିନ୍ତୁ ୨୫ ତାରିଖ ପରେ ପୁଣି ତାପମାତ୍ରା ବଢ଼ିବାର ସମ୍ଭାବନା ଅଛି । ଅନ୍ୟପଟେ ରାଜ୍ୟରେ ଅଂଶୁଘାତରେ ଏଯାବତ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବାଲେଶ୍ୱରରୁ ଜଣକ ମୃତ୍ୟୁ ହୋଇଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଏଯାବତ ସାରା ରାଜ୍ୟରେ ଅଂଶୁଘାତ ଓ ହିଟ୍‌ ରିଲେଟେଡ୍‌ ଇଲନେସରେ ମୋଟ ୭୧ ଜଣ ଆକ୍ରାନ୍ତ ହୋଇଛନ୍ତି ।