• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଏବେ ତତଲା କଡ଼େଇରେ ସିଝୁଛି ସାରା ଓଡ଼ିଶା । ରାତି ନପାହୁଣୁ ଆରମ୍ଭ ହୋଇଗଲାଣି ଗୁଳୁଗୁଳି। ସକାଳ ୭ଟା ବେଳକୁ ଦିନ ୧୧ଟା ପରି ଗରମ ଅନୁଭୂତ ହେଉଛି।ସକାଳ ସାଢ଼େ ୮ଟା ସୁଦ୍ଧା ୩୫ ଡିଗ୍ରୀ ଉପରେ ୫ ସହରର ତାପମାତ୍ରା ରେକର୍ଡ ହୋଇଛି । ଭବାନୀପାଟଣାରେ ସର୍ବାଧିକ ତାପମାତ୍ରା ୩୬.୨ ଡିଗ୍ରୀ ରେକର୍ଡ କରାଯାଇଛି।

କେନ୍ଦୁଝରରେ ୩୫.୬ ଡିଗ୍ରୀ, ତାଳଚେର, ବାରିପଦା ଓ ଅନୁଗୁଳରେ ୩୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଭୁବନେଶ୍ବରରେ ୩୩.୬ ଡିଗ୍ରୀ ରହିଛି ତାତି । ଉପକୂଳରୁ ଉପାନ୍ତ ସବୁଠି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି। ଆଜିଠୁ ଦୁଇ ଦିନ ହିଟୱେଭ୍ ନେଇ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ଆଜି ପାଇଁ ୯ ଜିଲ୍ଲା ଗଜପତି, ଗଞ୍ଜାମ, ବାଲେଶ୍ୱର, ମୟୂରଭଞ୍ଜ, ଝାରସୁଗୁଡ଼ା, ଢେଙ୍କାନାଳ, ବଲାଙ୍ଗିର, ନୂଆପଡ଼ା ଓ କଳାହାଣ୍ଡିକୁ ସିଭିୟର ହିଟୱେଭ୍ ନେଇ ରେଡ୍ ଆଲର୍ଟ ଦିଆଯାଇଛି। ସେହିପରି ଆସନ୍ତାକାଲି ପାଇଁ ୧୫ ଜିଲ୍ଲାକୁ ରେଡ୍ ଓ ୧୪ଜିଲ୍ଲାକୁ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ସେହିପରି ୨୮ ତାରିଖ ପାଇଁ ସାରା ରାଜ୍ୟକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।

ଅଧିକ ପଢ଼ନ୍ତୁ: ଜଳୁଛି ସାରା ରାଜ୍ୟ; ଆଜି ୪୩ ଉପରେ ୮ ସହର

ତେବେ ଆସନ୍ତା ୨ସପ୍ତାହ ଯାଏ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ। ବିସ୍ତାରିତ ପରିସର ଆକଳନ ଅନୁଯାୟୀ ରାଜ୍ୟରେ ଆଗାମୀ ୨ସପ୍ତାହ ଯାଏଁ ଗ୍ରୀଷ୍ମପ୍ରବାହ ପରିସ୍ଥିତି ଲାଗିରହିବାର ସମ୍ଭାବନା ରହିଛି l ପ୍ରଥମ ସପ୍ତାହରେ ସମ୍ଭାବନା ୬୮ ରୁ ୧୦୦% ଥିବାବେଳେ ଦ୍ୱିତୀୟ ସପ୍ତାହ ବେଳକୁ ଗ୍ରୀଷ୍ମପ୍ରବାହ ନିମନ୍ତେ ମଧ୍ୟମ ଧରଣର ସମ୍ଭାବନା ସହ ୩୪ ରୁ ୬୭% ରହିଛି ।

ଗୁଳୁଗୁଳି ଦହଗଞ୍ଜ କରୁଛି, ଟାଣ ଖରାରେ ମୁଣ୍ଡ ଘୁରାଇ ଦେଉଛି । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଖରାରେ କ୍ରିକେଟ୍, ହକି ଓ ଫୁଟବଲ ଭଳି ଖେଳ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଅଂଶୁଘାତ ରୋକିବା ଲାଗି ଗତକାଲି ଶ୍ରମିକଙ୍କ କାର୍ଯ୍ୟ ସମୟ ସଙ୍କୁଚିତ କରାଯାଇଛି। ଦିନ ୧୧ଟାରୁ ଅପରାହ୍ଣ ୩ଟା ଯାଏଁ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି ।