• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବାଣପୁର: ବିଜେଡିରୁ ନିଲମ୍ବିତ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ବିଶାଳ ରାଲି । ବାଲୁଗାଁ ଠାରୁ ବାଣପୁର ଭଗବତୀ ପୀଠ ଯାଏ ବିଶାଳ ରାଲି କରିଛନ୍ତି ଜଗଦେବ । ଦଳରୁ ନିଲମ୍ବନ ହେବା ପରେ ବି ଦଳୀୟ ପତାକା ସହ ଏବଂ ଦଳର କର୍ମୀଙ୍କ ସହ ରାଲି କରିଛନ୍ତି ବିଧାୟକ । ଖାଲି ସେତିକି ନୁହେଁ, ବିଧାୟକଙ୍କ ଏହି ବାଇକ ରାଲି ଓ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ଦଳର ଶହ ଶହ କର୍ମୀ । ବିଧାୟକ ପ୍ରଶାନ୍ତ ଜଗଦେବ କହିଛନ୍ତି, ସେ ବିଜୁ ଜନତା ଦଳର ଜଣେ ପ୍ରାଥମିକ ସଦସ୍ୟ । ସେ ଦଳରେ ରହିଛନ୍ତି ଏବଂ ଆଗକୁ ବି ରହିଥିବେ । ଦଳର ଜଣେ ସାଧାରଣ କର୍ମୀ ଭାବେ ସେ କାମ କରିବେ ବୋଲି କହିଛନ୍ତି ବିଧାୟକ ପ୍ରଶାନ୍ତ ଜଗଦେବ ।

ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବରରେ ବିଜେପି ବାଲୁଗାଁ ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ଆକ୍ରମଣ ଘଟଣା ପରେ ବିଜେଡିରୁ ତାଙ୍କୁ ନିଲମ୍ବନ କରାଯାଇଥିଲା । ଥାନାରେ ଅଭିଯୋଗ ହେବା ପରେ ସେ ଫେରାର ହୋଇଥିଲେ । ଏହାସହ ଆଗୁଆ ଜାମିନ ପାଇଁ ମଧ୍ୟ ଆବେଦନ କରିଥିଲେ । ହେଲେ ତାଙ୍କୁ ଆଗୁଆ ଜାମିନ ମିଳିନଥିଲା ।

ଫେରାର ହେବାର କିଛି ଦିନ ପରେ ତାଙ୍କୁ ପୋଲିସ ଗିରଫ କରିନେଇଥିଲା । ଏହା ପରେ ସେ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ । ହେଲେ ପ୍ରଶାନ୍ତଙ୍କ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିଥିଲେ । ତାଙ୍କୁ ତଳ କୋର୍ଟରେ ହାଜର ହେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ତଳ କୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ । ତେବେ ପରେ ପୁଣି ଥରେ ତାଙ୍କୁ ଜାମିନ ପାଇଁ ସେହି ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ପଡ଼ିଥିଲା ।

ଗତ ଅକ୍ଟୋବର ୨୧ ତାରିଖରେ ତାଙ୍କୁ ହାଇକୋର୍ଟରୁ ଜାମିନ ପ୍ରଦାନ କରାଯାଇଥିଲା । ପ୍ରଶାନ୍ତ ଜଗଦ୍ଦେବଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ । ତେବେ ସାକ୍ଷୀଙ୍କୁ ପ୍ରଭାବିତ ନକରିବାକୁ ହାଇକୋର୍ଟ ସର୍ତ୍ତ ରଖିଥିଲେ ।