• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କୋରାପୁଟ ସଂସଦୀୟ କ୍ଷେତ୍ର ଅଧିନସ୍ଥ ପ୍ରମୁଖ ବିଧାନସଭା ଆସନ ଲକ୍ଷ୍ମୀପୁର । ଏଠାରେ ମୋଟ ଭୋଟର ସଂଖ୍ୟା ୧ ଲକ୍ଷ ୫୩ ହଜାର ୫୩୮ । ଏହି ଆସନଟି ଅନୁସୂଚିତ ଜାତି ବର୍ଗ ଲାଗି ସଂରକ୍ଷିତ । କଂଗ୍ରେସ ଏ ଆସନରୁ ୭ ଥର ଜିତି ଥିବା ବେଳେ ଜନତା ପାର୍ଟି ଏବଂ ଜନତା ଦଳ ଥରେ ଲେଖାଏଁ ବିଜୟୀ ହୋଇଛନ୍ତି । ବିଜେଡି ଏ ଆସନରୁ ୩ ଥର ଜିତିଛି ।

ତେବେ ଏଥର ଆସନରେ କିଏ ମାରିବ ବାଜି ତାକୁ ନେଇ ଉଠିଛି ନାନା ପ୍ରଶ୍ନ । ବିଜେଡି ଏଥର ପ୍ରଭୁ ଜାନିଙ୍କୁ ରିପିଟ୍ କରିଥିବା ବେଳେ ବିଜେପି କୈଳାସ କୁଲେସିକାଙ୍କୁ ଟିକେଟ୍ ଦେଇଛି । ଅନ୍ୟପଟେ ଯୁବ ଇଞ୍ଜିନିୟର ପବିତ୍ର ସାଉନ୍ତାଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଏକଦା କଂଗ୍ରେସର ଗଡ଼ ଥିଲେ ମଧ୍ୟ ଜନତା ଦଳ, ଜନତା ପାର୍ଟି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି ।

ଅଧିକ ପଢ଼ନ୍ତୁ: ବାରବାଟୀ-କଟକରୁ ଲଢ଼ିବେ କି ମୋକିମଙ୍କ ଝିଅ ସୋଫିଆ ?

୧୯୭୪ ମସିହାରୁ ଏହି ବିଧାନସଭା ନିର୍ବାଚନ ମଣ୍ଡଳୀ ଗଠନ ହୋଇଥିଲେ ବି ୨୦୦୦ ମସିହା ଯାଏ ଭେଟେରାନ କଂଗ୍ରେସ ନେତା ଅନନ୍ତରାମ ମାଝି ଓ ଅଖିଳ ସାଉନ୍ତାଙ୍କ ମଧ୍ୟରେ ଲଢେ଼ଇ ହୋଇ ଆସୁଥିଲା । ୧୯୭୪ରେ ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ କଂଗ୍ରେସର ଅନନ୍ତରାମ ମାଝୀ । ତା'ପରେ ୧୯୭୭ରେ ଅନନ୍ତରାମଙ୍କୁ ହରାଇ ଅଖିଳ ସାଉନ୍ତା ଜନତା ପାର୍ଟିରୁ ବିଧାୟକ ହୋଇଥିଲେ ।

ପରେ ଲଗାତାର ଭାବେ କଂଗ୍ରେସର ଅନନ୍ତରାମ ମାଝି ପୁଣି ୧୯୮୦ ଓ ୧୯୮୫ରେ ବିଧାୟକ ହୋଇଥିଲେ । ପୁଣି ୧୯୯୦ରେ ଅଖିଳ ସାଉନ୍ତା ଜନତା ଦଳରୁ ଜିତି ହୋଇଥିଲେ ବିଧାୟକ । ୧୯୯୫ରେ ପୁଣି ଅନନ୍ତରାମ ମାଝୀ କଂଗ୍ରେସରୁ ବିଧାୟକ ହୋଇଥିଲେ । ୨୦୦୦ରେ ନୂତନ ଭାବେ ନବୀନ ପଟ୍ଟନାୟକଙ୍କ ସରକାର କ୍ଷମତାକୁ ଆସିବା ପରେ ପ୍ରଥମ ଥର ପାଇଁ ବିଭୀଷଣ ମାଝୀ ବିଜେଡିର ବିଧାୟକ ହୋଇଥିଲେ ।

ପୁଣି ୨୦୦୪ରେ ଅନନ୍ତରାମ ମାଝୀ କଂଗ୍ରେସରୁ ବିଜୟୀ ହୋଇଥିଲେ । କିନ୍ତୁ ୨୦୦୮ରେ ଅନନ୍ତ ରାମଙ୍କ ଦେହାନ୍ତ ପରେ ଉପନିର୍ବାଚନରେ ପୁଣି କଂଗ୍ରେସ ପ୍ରାର୍ଥୀ ତଥା ଅନନ୍ତରାମଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ମାଝୀ ବିଜୟୀ ହୋଇଥିଲେ । ୨୦୦୯ରୁ ବିଜେଡି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ଲାଗିରହିଛି । ୨୦୦୯ରେ ବିଜେଡିରୁ ଝିନ ହିକକା ବିଜୟୀ ହୋଇଥିଲେ ।

ସେତେବେଳେ କୈଳାସ କୁଲେସିକା ସ୍ୱାଧିନ ଭାବେ ଲଢ଼ି ହାରିଥିଲେ । ସେହିପରି ୨୦୧୪ରେ କୈଳାସ କୁଲେସିକା କଂଗ୍ରେସରୁ ଲଢ଼ି ବିଧାୟକ ହୋଇଥିଲେ ଏବଂ ୨୦୧୯ରେ ବିଜେଡିର ପ୍ରଭୁ ଜାନୀଙ୍କ ଠାରୁ ମାତ୍ର ୨୨୯ ଖଣ୍ଡ ଭୋଟରେ ପରାଜିତ ହୋଇଥିଲେ । ସେପଟେ ପ୍ରଭୁ ଜାନି ବିଧାୟକ ହେବା ପୂର୍ବରୁ ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ହୋଇଥିଲେ ।

୨୦୧୯ରେ ସାଧାରଣ ନିର୍ବାଚନରେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇ ବିଧାୟକ ହୋଇଥିଲେ । ୨୦୧୯ରେ କୈଳାସ କୁଲେଶିକା ୪୪ ହଜାର ୯୮୨ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ବିଧାୟକ ପ୍ରଭୁ ଜାନି ୪୫ ହଜାର ୨୧୧ ଭୋଟ ପାଇ ବିଜୟୀ ହୋଇଥିଲେ । ବିଜେପି ପ୍ରାର୍ଥୀ କୁମୁଦ ସାଉନ୍ତା ୧୮ ହଜାର ୯୪୫ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ ।

ହେଲେ ୨୦୨୨ ଡିସେମ୍ବରରେ କୈଳାସ କୁଲେସିକା ବିଜେଡିରେ ସାମିଲ ହୋଇଥିଲେ । ଶେଷ ମୁହୂର୍ତ୍ତରେ ବିଜେଡି ଟିକେଟରୁ ବଞ୍ଚିତ ହେବା ପରେ ରାତାରାତି ବିଜେପିରେ ସାମିଲ ହୋଇଛନ୍ତି ।