• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ବିଜେଡିର ଲୁଙ୍ଗି କାଉଣ୍ଟର । ଆଜି ଭୁବନେଶ୍ୱର ଶଙ୍ଖଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ମୁଖପାତ୍ର ଏବଂ ପାନେଲିଷ୍ଟ ଲୁଙ୍ଗି ପିନ୍ଧି ମଞ୍ଚ ଉପରକୁ ଆସିବା ସହ ଫଟୋ ପୋଜ୍ ଦେଇଥିଲେ। ଏହାପଛର କାରଣ ହେଉଛି, ଗତକାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଲୁଙ୍ଗି ପିନ୍ଧି ଦୁଇଟି ଶଙ୍ଖରେ ଭୋଟ୍ ଦେବାକୁ ଅପିଲ୍ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଭଳି ବୟସ୍କ ବ୍ୟକ୍ତିଙ୍କୁ ଧରି ଏଭଳି ଭିଡିଓକୁ ନେଇ ଆଜି ଲଇକେରାରେ ପ୍ରଚାର ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମାଲୋଚନା କରିଥିଲେ। ଏହାକୁ କାଉଣ୍ଟର କରିବାକୁ ଯାଇ ବିଜେଡି ମୁଖପାତ୍ର ଲୁଙ୍ଗିବେଶ ଧାରଣ କରିଥିଲେ ।

ସୂଚନା ଅନୁସାରେ ୨୪ ସାଧାରଣ ନିର୍ବାଚନ ପାଇଁ ଆସନ୍ତାକାଲି ଅର୍ଥାତ ଏପ୍ରିଲ୍‌ ୨୪ରୁ ପ୍ରଚାର ଅଭିଯାନ ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହିଞ୍ଜିଳିରୁ ପ୍ରଚାର ଅଭିଯାନ ଆରମ୍ଭ କରିବେ ବିଜେଡି ସୁପ୍ରିମୋ । ଆସନ୍ତାକାଲି ଗଞ୍ଜାମ ଗସ୍ତରେ ଯାଇ ପ୍ରଥମେ ହିଞ୍ଜିଳି ପରେ ଶେରଗଡ଼ରେ ଜନସଭାକୁ ସମ୍ଭୋଧିତ କରିବେ ମୁଖ୍ୟମନ୍ତ୍ରୀ ।

ତେବେ ପ୍ରଚାର ଅଭିଯାନ ଆରମ୍ଭ କରିବା ପୂର୍ବରୁ ଗତକାଲି ଏକ ଭିଡିଓ ସେୟାର କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏକ ଲୁଙ୍ଗି ପିନ୍ଧି ଦୁଇଟି ଶଙ୍ଖରେ ଭୋଟ୍‌ ଦେବାକୁ ଅପିଲ୍‌ କରିଥିଲେ । ତେବେ ନବୀନଙ୍କ ଏହି ଭିଡିଓ ପରେ ଆଜି ସମାଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସେପଟେ ଆସନ୍ତାକାଲିଠୁ ମୁଖ୍ୟମନ୍ତ୍ରୀ ପ୍ରଚାର ଅଭିଯାନ ଆରମ୍ଭ କରୁଥିବାବେଳେ ଏବେ ବି ସମସ୍ତ ବିଧାନସଭା ଆସନରେ ଟିକେଟ୍‌ ଘୋଷଣା କରିନାହିଁ ବିଜେଡି । ଏବେ ବି ଆଉ ୬ ଟି ଆସନରେ ବିଜେଡିର ପ୍ରାର୍ଥୀ ଘୋଷଣା ବାକି ରହିଛି । ତେବେ ଚଳିତ ଥର ବିଜେଡିରେ ଟିକେଟ୍‌କୁ ନେଇ ବିଦ୍ରୋହ ବଢ଼ୁଥିବାରୁ ମାପିଚୁପି ଟିକେଟ୍‌ ଘୋଷଣା କରୁଛି ଦଳ ।

ବିଜେଡି ଇତିହାସରେ ପ୍ରଥମ ଥର ପାଇଁ ଏତେ ମାତ୍ରାରେ ନେତା ଦଳ ଛାଡୁଛନ୍ତି। ସୀମାରାଣୀଙ୍କ ବାଦ୍ ଆଉ ୪ ସିଟିଂ ବିଧାୟକ ବିଜେଡି ଛାଡିଛନ୍ତି। ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ,ଜୟଦେବ ବିଧାୟକ ଅରବିନ୍ଦ ଢାଲି, ଆଠମଲ୍ଲିକ ବିଧାୟକ ରମେଶ ସାଏ ବିଜେପିରେ ମିଶିଥିବା ବେଳେ ସୋର ବିଧାୟକ ପର୍ଶୁରାମ ଧଡ଼ା ଦଳରୁ ଇସ୍ତଫା ଦେଇଛନ୍ତି।

ଖାଲି ବିଧାୟକ ନୁହେଁ ବିଜେଡି ଛାଡିଥିବା ପୂର୍ବତନ ବିଧାୟକଙ୍କ ତାଲିକା ବି ବେଶ ଲମ୍ବା। ଯେମିତି ସିପ୍ରା ମଲ୍ଲିକ, ଆକାଶ ଦାସ ନାୟକ, ପ୍ରିୟଦର୍ଶୀ ମିଶ୍ର, ଦେବାଶିଶ ନାୟକ, ନବୀନ ନନ୍ଦ, ଭାଦବ ହାଁସଦା, ବେଦବ୍ୟାସ ନାୟକ, ପୂର୍ଣ୍ଣଚନ୍ଦ୍ର ସେଠୀ, ସୁବର୍ଣ୍ଣ ନାୟକ,କୈଳାସ କୁଲେସିକା, ଡମ୍ବୁରୁ ଶିଶା, ବଳଭଦ୍ର ମାଝୀଙ୍କ ପରି ବହୁ ପୂର୍ବତନ ବିଧାୟକ। ଖାଲି ବିଧାୟକ ନୁହନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ, କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ମଧ୍ୟ ବିଜେଡି ଛାଡି ବିଜେପିରେ ମିଶିଛନ୍ତି। ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର, ପ୍ରଭାସ ସିଂ ମଧ୍ୟ ବିଜେଡି ଛାଡି ଏବେ ପଦ୍ମ ଶିବିରରେ।