• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବିଫଳତା ମଣିଷକୁ ଭାଙ୍ଗିଦିଏ । ବାରମ୍ବାର ବିଫଳ ହେବା ପରେ ପ୍ରାୟ ପ୍ରତ୍ୟେକ ମଣିଷ ଚେଷ୍ଟା କରିବା ହିଁ ଛାଡ଼ିଦିଅନ୍ତି । ଖୁବ କମ ବୋଧେ ଥିବେ ଯେଉଁମାନେ ତା’ପରେ ମଧ୍ୟ ଚେଷ୍ଟା ଜାରି ରଖନ୍ତି ଏବଂ ପରେ ସଫଳ ହୁଅନ୍ତି । ଥୋମାସ୍ ଏଡ଼ିସନ ବିଫଳତାକୁ ନେଇ ଏକ ପ୍ରଖ୍ୟାତ କଥା କହିଥିଲେ, ‘ମୁଁ ବିଫଳ ହୋଇନି, କେବଳ ବିଫଳତାର ଦଶ ହଜାର ରାସ୍ତା ଆବିଷ୍କାର କରିଛି ।‘ ବିଫଳତା ନିଜ ମନର ଅବସ୍ଥା ।

ଜଣେ ବ୍ୟକ୍ତି ନିର୍ବାଚନରେ ୨୩୮ ଥର ବିଫଳ ହେବା ପରେ ମଧ୍ୟ ପୁଣି ନିର୍ବାଚନରେ ଛିଡ଼ା ହେବାକୁ ସଜବାଜ ହେଉଛନ୍ତି । ବ୍ୟକ୍ତି ଜଣକ ହେଉଛନ୍ତି, କେ.ପଦ୍ମରାଜନ୍ । ଦୁଇ ଶହରୁ ଅଧିକ ଥର ବିଫଳ ହେବା ପରେ ମଧ୍ୟ ଆଗାମୀ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ପଦ୍ମରାଜନ୍ ।

କେ.ପଦ୍ମରାଜନଙ୍କର ଟାୟାର ମରାମତି ଦୋକାନ ରହିଛି । ସେ ନିଜ ରାଜ୍ୟ ତାମିଲନାଡୁର ମେଟ୍ଟରରୁ ୧୯୮୮ ରେ ନିର୍ବାଚନ ଲଢ଼ିବା ଆରମ୍ଭ କରିଥିଲେ । ଜଣେ ସାଧାରଣ ଲୋକ ମଧ୍ୟ ନିର୍ବାଚନରେ ଭାଗ ନେଇପାରିବେ ସେ ଏହା ପ୍ରମାଣ କରିବାକୁ ଚାହୁଁଛନ୍ତି । ସେଥିପାଇଁ ସେ ବାରମ୍ବାର ବିଫଳତା ସତ୍ତ୍ୱେ ନିର୍ବାଚନରେ ପ୍ରାର୍ଥୀ ହେଉଛନ୍ତି । ପଦ୍ମରାଜନ କହିଛନ୍ତି, ଲୋକଙ୍କର ଟାହିଟାପରା ତାଙ୍କୁ ପଥଭ୍ରଷ୍ଟ କରିପାରିନାହିଁ । ଦିନେ ନା ଦିନେ ସେ ନିର୍ବାଚନ ଜିତିବେ ଏ ବିଶ୍ୱାସ ତାଙ୍କର ରହିଛି ।

ସମସ୍ତ ପ୍ରାର୍ଥୀ ନିର୍ବାଚନରେ ବିଜୟ ଚାହାଁନ୍ତି, କିନ୍ତୁ ମୁଁ ନୁହେଁ ବୋଲି ପଦ୍ମରାଜନ୍ କହିଛନ୍ତି । ସେ ହାରିବାରେ ହିଁ ଖୁସି ବୋଲି ମତ ପ୍ରକାଶ କରିଛନ୍ତି । ଚଳିତ ବର୍ଷ ଏପ୍ରିଲ ୧୯ ରୁ ଆରମ୍ଭ ହେବାକୁ ଥିବା ସାଧାରଣ ନିର୍ବାଚନରେ ସେ ତାମିଲନାଡୁର ଧର୍ମପୁରୀ ଜିଲ୍ଲାରୁ ସାଂସଦ ପାଇଁ ଛିଡ଼ା ହେବେ ବୋଲି ଜଣା ପଡ଼ିଛି ।

"ନିର୍ବାଚନର ରାଜା” ଭାବରେ ପରିଚିତ ପଦ୍ମରାଜନ୍ ରାଷ୍ଟ୍ରପତି ପଦଠାରୁ ଆରମ୍ଭ କରି ତୃଣମୂଳ ସ୍ତରରେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭୂତପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଠାରୁ ହାରିଛନ୍ତି ।

ଏହା ପରେ ମଧ୍ୟ ତାଙ୍କର ଖାତିର ନଥିବା ପଦ୍ମରାଜନ୍ କହିଛନ୍ତି । ବିଜୟ ମୋର ଆବଶ୍ୟକ ନାହିଁ । ପ୍ରତିପକ୍ଷରେ କିଏ ଛିଡ଼ା ହୋଇଛି, ମୁଁ ଦେଖେ ନାହିଁ । ନିର୍ବାଚନରେ ଭାଗ ନେବା ହିଁ ମୋ ପାଇଁ ସର୍ବଶ୍ରେଷ୍ଠ ଶ୍ରେୟ ବୋଲି କହିଛନ୍ତି । ତେବେ ନିର୍ବାଚନରେ ଲଢ଼ିବା ମାଗଣା ନୁହେଁ । ବର୍ତ୍ତମାନ ପର୍ଯ୍ୟନ୍ତ ସେ ନୋମିନେସନ ଫି ବାବଦରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିସାରିଲେଣି ।

ଅନ୍ୟପଟେ ତାଙ୍କର ଗୋଟିଏ ବିଜୟ ହେଉଛି ଲିମକା ବୁକ୍ ଅଫ୍ ରେକର୍ଡରେ ଭାରତର ସବୁଠାରୁ ଅସଫଳ ପ୍ରାର୍ଥୀ ଭାବରେ ସ୍ଥାନ ପାଇବା । ସେ ଲଢ଼ିଥିବା ନିର୍ବାଚନ ମଧ୍ୟରେ ୨୦୧୧ ରେ ଶ୍ରୀ ପଦ୍ମରାଜଙ୍କ ସର୍ବୋତ୍ତମ ପ୍ରଦର୍ଶନ ଥିଲା । ସେତେବେଳେ ସେ ମେଟ୍ଟରର ବିଧାନସଭା ଆସନ ପାଇଁ ନିର୍ବାଚନରେ ଛିଡା ହୋଇଥିଲେ । ସେ ୬,୨୭୩ ଭୋଟ୍ ପାଇଥିଲେ, ଯେଉଁଠି ବିଜେତା ପାଇଁ ୭୫,୦୦୦ ରୁ ଅଧିକ ଭୋଟର ଆବଶ୍ୟକତା ଥିଲା ।

ଏହାକୁ ନେଇ ସେ କହିଛନ୍ତି ଯେ, ଗୋଟିଏ ବି ଭୋଟ୍ ସେ ଆଶା କରି ନ ଥିଲେ । କିନ୍ତୁ ଏତେ ଭୋଟ ଦର୍ଶାଇଛି ଯେ ଲୋକମାନେ ଗ୍ରହଣ କରୁଛନ୍ତି । ତେବେ ଟାୟାର ମରାମତି ଛଡ଼ା ସେ ହୋମିଓପାଥିକ୍ ଉପଚାର ପ୍ରଦାନ କରିବା ସହ ସ୍ଥାନୀୟ ଏକ ଗଣମାଧ୍ୟମରେ ସମ୍ପାଦକ ଭାବରେ ମଧ୍ୟ କାର୍ଯ୍ୟ କରୁଛନ୍ତି । କିନ୍ତୁ ତାଙ୍କର ସମସ୍ତ ଚାକିରି ମଧ୍ୟରେ ନିର୍ବାଚନ ଲଢ଼ିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି । ସେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି ।