• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ପୁଣିଥରେ ଜୋର୍ ଧରିଲା ଜାତିଭିତ୍ତିକ ଜନଗଣନା ଓ ସଂରକ୍ଷଣ ସୀମା ୫୦%ରୁ ବଢ଼ାଇବା ଦାବି। ଆଜି ବିଧାନସଭାରେ ଏ ସଂପର୍କିତ ସଂକଳ୍ପ ପାରିତ ହୋଇଛି। ଏସ୍‌ସି-ଏସ୍‌ଟି ବିକାଶ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା ଏହି ସଂକଳ୍ପ ଆଗତ କରିଥିଲେ। ବିରୋଧୀଙ୍କ ହୋହଲ୍ଲା ଓ ପାଟିତୁଣ୍ଡ ଭିତରେ ଗୃହରେ ସଂକଳ୍ପ ପାରିତ ହୋଇଥିଲା। ଏହାପରେ ବିଧାନସଭା ପକ୍ଷରୁ ସଂକଳ୍ପଟିକୁ ରାଜ୍ୟ ଓବିସି କମିଶନ୍‌ଙ୍କ ନିକଟକୁ ପଠାଯିବ। କମିଶନ୍ ଏହାକୁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇବେ।

ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ବିଜେଡିର ସଂସଦୀୟ ଦଳ ଭେଟି ଏ ପ୍ରସଙ୍ଗ ଉଠାଇଥିଲେ। ସେହିପରି ବିଜେଡି ତରଫରୁ ସାମ୍ବାଦିକ ସମ୍ମିଳନୀ କରି ଏହି ପ୍ରସଙ୍ଗ ଉଠାଯାଇଥିଲା। ବିଜେଡିର ଦାବି ହେଲା, ଏ ବ୍ୟବସ୍ଥା ଦ୍ୱାରା ପଛୁଆ ବର୍ଗଙ୍କୁ ସାମାଜିକ ନ୍ୟାୟ ମିଳିବ। ତେବେ ଏ ସଂପର୍କିତ ସଂକଳ୍ପ ଉପରେ ଆଲୋଚନା ବେଳେ ବିରୋଧୀ କଂଗ୍ରେସ୍ ଓ ବିଜେପି ଅନୁପସ୍ଥିତ ଥିଲେ।

ଅନ୍ୟପକ୍ଷରେ ଆଜି ଗୃହରେ ଉଚ୍ଚଶିକ୍ଷା ଫଳାଫଳ ଓ ଆର୍ଥିକ କ୍ଷେତ୍ର ସଂପର୍କିତ ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହାକୁ ଉପସ୍ଥାପନ କରିଥିଲେ। ଏହାପରେ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ କରିଦିଆଯାଇଛି। ବିଧାନସଭାର ମୌସୁମୀ ଅଧିବେଶନ ସେପ୍ଟେମ୍ବର ୧ ତାରିଖରୁ ଆରମ୍ଭ ହୋଇଥିଲା। ଏଥିରେ ପୌର ଏବଂ ପଞ୍ଚାୟତ ସଂଶୋଧନ ବିଲ୍ ସମେତ ମୋଟ୍ ୧୩ଟି ବିଲ୍ ପାରିତ ହୋଇଛି।