• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର,(ସ୍ୱାତୀ ଜେନା): ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ସରକାର ନିଜ ଆତ୍ମପ୍ରଚାର ପାଇଁ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ସୂଚନା ଅଧିକାର କର୍ମୀ କହୁଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରୀ ଅର୍ଥ ଖର୍ଚ୍ଚ କରି ନିଜର ଭାବମୂର୍ତ୍ତୀ ଚକାଚକ୍ କରୁଛନ୍ତି । ଅନ୍ତର୍ଜାତୀୟ ଗଣମାଧ୍ୟମ ପାଇଁ ବିଜ୍ଞାପନ ବାବଦରେ ଟଙ୍କା ବର୍ଷା କରିଦେଉଛନ୍ତି । ଗତ ସାଧାରଣ ନିର୍ବାଚନ ପୂର୍ବରୁ ୨୦୧୮-୧୯ ଆର୍ଥିକ ବର୍ଷରେ ବିଭିନ୍ନ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ମାତ୍ର ଗୋଟିଏ ବର୍ଷରେ ଦେଇଛନ୍ତି ୧୨ କୋଟି ୬୭ଲକ୍ଷ ଟଙ୍କାର ବିଜ୍ଞାପନ । ତା ମଧ୍ୟରୁ କେବଳ ନ୍ୟାସନାଲ ଜିଓଗ୍ରାଫିକ ଚ୍ୟାନେଲକୁ ପର୍ଯ୍ୟଟନର ପ୍ରଚାର ପ୍ରସାର ଆଳରେ ସରକାରୀ ତହବିଲରୁ ଦିଆଯାଇଛି ୧୦କୋଟି ଟଙ୍କା ।

ବର୍ଣ୍ଣନା ହେଉଛି ସଫଳତା

ଏପରିକି ୨୦୧୭-୧୮ ଆର୍ଥିକ ବର୍ଷରେ ମଧ୍ୟ ଏହି ଚାନେଲ ପାଇଥିଲା ଦେଢ କୋଟି ଟଙ୍କାର ବିଜ୍ଞାପନ। ଯାହାର ପ୍ରତି ବଦଳରେ ଓଡିଶା ସରକାର ଫନି ବାତ୍ୟାର ସଫଳ ମୁକାବିଲା କରିଛନ୍ତି ବୋଲି ବିଶ୍ୱବାସୀଙ୍କୁ ଚାନେଲ ଜଣେଇଥିବା ଅଭିଯୋଗ ହୋଇଛି । ପର୍ଯ୍ୟଟନ ବିଭାଗରୁ ୧୦କୋଟିର ବିଜ୍ଞାପନ ପାଇଥିବା ଏହି ଅନ୍ତର୍ଜାତୀୟ ଗଣମାଧ୍ୟମରେ ଫନି ମୁକାବିଲାରେ ଓଡିଶା ସରକାରଙ୍କ ସଫଳତା ବର୍ଣ୍ଣନା କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରିଚାଳନାଗତ ଦକ୍ଷତାର ପ୍ରଶଂସା କରାଯାଇଥିଲା । ଏସବୁ କେବଳ ନବୀନଙ୍କ ଭାବମୂର୍ତ୍ତି ପାଇଁ କରାଯାଇଥିଲା ବୋଲି ଅଭିଯୋଗ କରିଛନ୍ତି ସୂଚନା ଅଧିକାର କର୍ମୀ ଶ୍ରୀକାନ୍ତ ପାକଳ ।

ଦୁର୍ବଳତା କେଉଁଠି ?

କେବଳ ଅର୍ନ୍ତଜାତୀୟ ନୁହେଁ ଜାତୀୟ ଗଣମାଧ୍ୟମ ପ୍ରତି ମଧ୍ୟ ରାଜ୍ୟ ସରକାରଙ୍କର ରହିଛି ଦୁର୍ବଳତା । କାରଣ ପ୍ରତି ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ଜାତୀୟ ଗଣମାଧ୍ୟମକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇଥାନ୍ତି । ଆଉ ନିର୍ବାଚନ ଜିତିବା ପରେ ଜାତୀୟ ଗଣମାଧ୍ୟମରେ ହିଁ ଲାଇଭରେ ଆସନ୍ତି । ଯେଉଁଥିପାଇଁ ରାଜ୍ୟରେ ପର୍ଯ୍ୟଟନ ବିକାଶ ପାଇଁ କେତେକ ନିର୍ଦ୍ଦିଷ୍ଟ ଜାତୀୟ ଗଣମାଧ୍ୟମକୁ ଦୁଇ ବର୍ଷରେ ଅର୍ଥାତ୍ ୨୦୧୭ ରୁ ୨୦୧୯ ମଧ୍ୟରେ ୧୨ କୋଟିର ବିଜ୍ଞାପନ ଦେଇଛନ୍ତି ସରକାର । ହେଲେ ସାଢ଼େ ୪ କୋଟି ଓଡ଼ିଆ ମୋ ପରିବାର ବୋଲି ପ୍ରଚାର ହେଉଥିଲେ ମଧ୍ୟ ଓଡ଼ିଆ ବୈଦ୍ୟୁତିକ ଗଣମାଧ୍ୟମ ଗୁଡ଼ିକୁ ସେତେଟା ଗୁରୁତ୍ୱ ଦିଆଯାଏ ନାହିଁ ।

ଓଡିଆ ଚାନେଲକୁ ଅଣଦେଖା

ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ କହୁଛି, ରାଜ୍ୟର ସମସ୍ତ ବୈଦ୍ୟୁତିକ ଗଣମାଧ୍ୟମ କୋଟିଏ ଟଙ୍କାର ବିଜ୍ଞାପନ ମଧ୍ୟ ପାଇନାହାଁନ୍ତି । ୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟ ପର୍ଯ୍ୟଟନ ବାହାରର ଟିଭି ଚାନେଲରେ ପ୍ରଚାର ପାଇଁ ମୋଟ୍ ୧୭କୋଟି ୩୪ଲକ୍ଷଟଙ୍କା ଖର୍ଚ୍ଚ କରିଥିବା ବେଳେ ରାଜ୍ୟରେ ଥିବା ଓଡ଼ିଆ ଚାନେଲଗୁଡ଼ିକୁ ମିଳିଥିଲା ମାତ୍ର ୭୮ଲକ୍ଷ ଟଙ୍କା। ସେହିପରି୨୦୧୭ -୧୮ରେ ଟିଭି ବିଜ୍ଞାପନରେ ମୋଟ୍ ୧୪କୋଟି ୬୮ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଓଡ଼ିଆ ଇଲୋଟ୍ରୋନିକ୍ସ ମିଡିଆକୁ ମିଳିଥିଲା ମାତ୍ର କୋଟିଏ ୨୦ ଲକ୍ଷଟଙ୍କା। ଏହାକୁ ନାପସନ୍ଦ କରିଛନ୍ତି ବରିଷ୍ଠ ସାମ୍ୱାଦିକ ପ୍ରସନ୍ନ ମହାନ୍ତି ।

ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନିଜ ଭାବମୂର୍ତ୍ତୀ ସଜାଡିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଆଉ ଏହାର ସିଧା ସଳଖ ଫାଇଦା ନିର୍ବାଚନୀ ପ୍ରଚାରରେ ଶାସକ ଦଳ ଉଠାଉଛି । ଏତେ ଅର୍ଥ ବାହାରର ଚାନେଲ୍ ଗୁଡିକୁ ଦିଆଯିବା ଲୋକଙ୍କ ସ୍ୱାର୍ଥରେ ନା ବ୍ୟକ୍ତି ସ୍ୱାର୍ଥରେ, ତାହା ହିଁ ସୃଷ୍ଟି କରିଛି ପ୍ରଶ୍ନବାଚୀ ।