• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ସୁଧୁରୁନି ବିଧାନସଭା ସ୍ଥିତି । ଆଜି ବି ହୋଇପାରିଲାନି ଆଲୋଚନା । ଗୃହରେ ହୋ-ହଲ୍ଲା ଜାରି । ଆଜି ପୁଣି ଥରେ ବିରୋଧୀ ଘଣ୍ଟ ବାଡ଼େଇ ପ୍ରତିବାଦ କରିଛନ୍ତି । ପ୍ରତାପ ଜେନାଙ୍କୁ ସୁରକ୍ଷା ଯୋଗାଇଲେ ବିଜେଡି ବିଧାୟକ । 

ଶୀତ ଅଧିବେଶନ ଆରମ୍ଭ ହେବାର ପ୍ରାୟ ସପ୍ତାହେ ବିତି ଗଲାଣି । ଅଜି ବିଧାନସଭାର ଅଷ୍ଟମ ଦିନ ଥିଲା । ଏହି ୮ ଦିନ ମଧ୍ୟରେ ପବିତ୍ର ଗୃହରେ ଦିନେ ବି ହୋଇପାରିନି ଆଲୋଚନା । ମମିତା ମେହେରଙ୍କୁ ନ୍ୟାୟ ଓ ଗୃହ ରାଷ୍ଟମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି ଗୃହରେ ହୋ-ହଲ୍ଲା ଜାରି ରଖିଛନ୍ତି ବିରୋଧୀ । ଗତ ଦୁଇ ତିନି ଦିନ ହେବ ବିରୋଧୀ ଘଣ୍ଟ ବାଡ଼େଇ, ଗୃହରେ ଗଙ୍ଗା ପାଣି ଛିଞ୍ଚି, ଗୋବର ପାଣି ଛିଞ୍ଚି ଅଭିନବ ପ୍ରତିବାଦ କରିଛନ୍ତି । ଯାହା ଫଳରେ ଅଚଳାବସ୍ଥା ଜାରି ରହିଛି ।

୮ ଦିନ ହେବ ବିଧାନସଭା ଚାଲିଥିଲେ ମଧ୍ୟ ସ୍ୱାଭାବିକ ସ୍ଥିତି ଫେରି ନାହିଁ । ଆଜି ଅପରାହ୍ନରେ ପୁଣି ଥରେ ହୋଇଥିଲା ଘଣ୍ଟ ମାଡ଼ । ବିଜେପି ସଦସ୍ୟମାନେ ଘଣ୍ଟ ବାଡେଇ ପ୍ଲା-କାର୍ଡ ପ୍ରଦର୍ଶନ କରିଥିବା ବେଳେ କଂଗ୍ରେସ ମଧ୍ୟ ଗୃହରେ ହୋହଲ୍ଲା ସହ ନାରାବାଜି କରିଥିଲା । ବିଧାନସଭାର ମଧ୍ୟ ଭାଗରେ ହୋ-ହଲ୍ଲା କରିବା ସହିତ ଘଣ୍ଟ ମଧ୍ୟ ବାଡେଇଛି କଂଗ୍ରେସ ।

ତେବେ ଏହାରି ଭିତରେ ପଞ୍ଚାୟତିରାଜ ବିଭାଗର ଖର୍ଚ୍ଚ ଦାବି ଉପସ୍ଥାପିତ କରିଥିଲେ ମନ୍ତ୍ରୀ ପ୍ରତାପ ଜେନା । ତାଙ୍କ ଆଗରେ ଘଣ୍ଟ ବାଡେଇଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଏପରିକି ବାଚସ୍ପତିଙ୍କ ଉପରକୁ ପ୍ଲାକାର୍ଡ ଫୋପାଡିଛନ୍ତି ବିରୋଧୀ । ଏହା ପରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଘେରି ସୁରକ୍ଷା ଯୋଗାଇଥିଲେ ବିଜେଡି ବିଧାୟକମାନେ । ଏପରି ହଙ୍ଗାମା ଭିତରେ ଗିଲୋଟିନରେ ପାରିତ ହୋଇଛି ବିଭିନ୍ନ ବିଭାଗର ଖର୍ଚ୍ଚଦାବି । ତା ପରେ ଗୃହକୁ ଆସନ୍ତାକାଲି ୧୦ଟା ୩୦ ପର୍ଯ୍ୟନ୍ତ ମୁଲତବୀ କରିଛନ୍ତି ବାଚସ୍ପତି । 

ସେପଟେ ମମିତାଙ୍କୁ ନ୍ୟାୟ ଦାବିରେ ବିଧାନସଭା ସମ୍ମୁଖରେ ବିଜେପି ରଣହୁଙ୍କାର ଦେଇଛି । ହଜାର ହଜାର କର୍ମୀ ବିକ୍ଷୋଭ ପ୍ରର୍ଦାନ କରିଛନ୍ତି । ପରିସ୍ଥିତି ଏମିତି ହେଲା ଯେ, ବିକ୍ଷୋଭ ସ୍ଥଳରେ ପୋଲିସ ଓ ବିଜେପି କର୍ମୀ ମୁହାଁ ମୁହିଁ ହୋଇଥିଲେ । ଅନେକ ବିଜେପି କର୍ମୀ ପୋଲିସର ଲାଠି ମାଡ଼ରେ ଆହତ ହୋଇଥିବା ବେଳେ କିଛି ପୋଲିସ କର୍ମୀ ବିଜେପିର ଢ଼େଲା ମାଡ଼ରେ ଆହତ ହୋଇଥିବା ସୂଚନା ମିଳିଛି । ସେହିଭଳି ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତ ବିଜେପି କର୍ମୀଙ୍କୁ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଭେଟିବାକୁ ଯାଇଥିବା ବେଳେ ଆହତ ପୋଲିସ କର୍ମୀଙ୍କୁ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଭେଟିବାକୁ ଯାଇଛନ୍ତି ।