• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭାଙ୍ଗିଗଲା ଯୋଡି। ଏକା ହୋଇଗଲେ ମୋହନା। ଚା’ ବିକ୍ରି କରି ଚର୍ଚ୍ଚାରେ ଥିବା କୋଚିର କେ.ଆର ବିଜୟନଙ୍କ ମୃତ୍ୟୁ ପରେ ସମସ୍ତଙ୍କ ମୁହଁରେ ଏବେ ଏହି ଗୋଟିଏ କଥା। ଦୀର୍ଘ ୧୬ ବର୍ଷ ଭିତରେ ଚା ବିକି ୨୬ଟି ଦେଶ ବୁଲିଥିବା ଦମ୍ପତିଙ୍କ କଥା ମନେ ପକାଉଛନ୍ତି ସମସ୍ତେ। ଚା ବିକାଳି କେ.ଆର ବିଜୟନ ଦୁନିଆ ଛାଡି ଚାଲିଯିବା ପରେ ଅନେକ ଲୋକ ତାଙ୍କୁ ମନେ ପକାଇବାକୁ ବାଧ୍ୟ ହେଉଛନ୍ତି।

କୋଚିରେ ଥିବା ଶ୍ରୀ ବାଲାଜି ଚା ଦୋକାନର ମାଲିକ ହେଉଛନ୍ତି କେ.ଆର ବିଜୟନ। ଗତ ନଭେମ୍ବର ୧୯ ତାରିଖରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇ ଯାଇଛି। ମୃତ୍ୟୁ ବେଳକୁ ବିଜୟନଙ୍କୁ ୭୧ ବର୍ଷ ବୟସ ହୋଇଥିଲା। ଏ ଖବର ପ୍ରଚାରିତ ହେବା ପରେ ବିଜୟନଙ୍କ ପ୍ରଶଂସକଙ୍କ ଆଖିରେ ଲୁହ ଭରି ଯାଇଛି।

ଦୀର୍ଘ ଦିନ ହେବ ବିଜୟନ ଏବଂ ତାଙ୍କ ପତ୍ନୀ ମୋହନା କୋଚିରେ ଏକ ଚା ଷ୍ଟଲ୍ ଚଲାଉଥିଲେ। ଯାହାର ନାମ ଦେଇଥିଲେ ‘ଶ୍ରୀ ବାଲାଜୀ କଫି ହାଉସ୍’। ଚା ବିକି ଦୁହେଁ ଯାହା ରୋଜଗାର କରୁଥିଲେ, ସେଥିରେ ଉଭୟେ ବିଭିନ୍ନ ଦେଶ ଭ୍ରମଣ କରୁଥିଲେ। ସମଗ୍ର ବିଶ୍ୱ ଭ୍ରମଣ କରିଥିବା ହେତୁ ଖାଲି କେରଳ ନୁହେଁ, ସାରା ଦେଶରେ ସେ ଚର୍ଚ୍ଚାରେ ଥିଲେ।

ନିକଟରେ ବିଜୟନ ଏବଂ ତାଙ୍କ ପତ୍ନୀ ମୋହନା ଋଷ ଭ୍ରମଣରେ ଯାଇଥିଲେ। ଯାହାକି ଏହି ଦମ୍ପତିଙ୍କ ପାଇଁ ଥିଲା ଶେଷ ବିଦେଶ ଯାତ୍ରା। ଯେଉଁମାନେ ବିଜୟନଙ୍କୁ ଭଲ ଭାବେ ଜାଣନ୍ତି, ସେମାନେ ଏବେ ସୋସିଆଲ ମିଡିଆରେ ଏହି ଫଟୋଟିକୁ ପକାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।

ଦେଶ ଭ୍ରମଣର ସଉକ ରଖିଥିବା କୋଚିର ଏହି ସ୍ୱାମୀ–ସ୍ତ୍ରୀ ପ୍ରତିଦିନ ରୋଜଗାରରୁ ୩୦୦ ଟଙ୍କା ଭ୍ରମଣ ପାଇଁ ସଞ୍ଚୟ କରି ରଖୁଥିଲେ। ୨୦୦୭ରେ ଦୁହେଁ ପ୍ରଥମ ଥର ପାଇଁ ଇସ୍ରାଏଲ ଯାଇଥିବା ବେଳେ ଗତ ୧୬ ବର୍ଷରେ ଏମାନେ ବିଶ୍ୱର ୨୬ଟି ଦେଶ ଭ୍ରମଣ କରି ସାରିଛନ୍ତି। ଏବେ ବିଜୟନଙ୍କ ମୃତ୍ୟୁ ପରେ ଏକା ହୋଇ ଯାଇଛନ୍ତି ପତ୍ନୀ ମୋହନା।

ଭାରତର ଅଧିକାଂଶ ସ୍ଥାନ ଭ୍ରମଣ କରିଛନ୍ତି କେ.ଆର ବିଜୟନ ଓ ପତ୍ନୀ ମୋହନା। ଚା’ ବିକି ଦେଶ ଭ୍ରମଣ କରୁଥିବା ଖବର ପ୍ରଘଟ ହେବା ପରେ ଏହି ଦମ୍ପତି ରାତାରାତି ସେଲିବ୍ରିଟି ପାଲଟି ଯାଇଥିଲେ। ଏମିତିକି ବିଜୟନଙ୍କ କାହାଣୀ ଶୁଣି, ବିଗ ବି ଅମିତାଭ ବଚ୍ଚନଙ୍କ ସମେତ ଶଶି ଥରୁର ଏବଂ ଆନନ୍ଦ ମହିନ୍ଦ୍ରାଙ୍କ ପରି ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କୁ ବିଭିନ୍ନ ସମୟରେ ସାହାଯ୍ୟ କରିଛନ୍ତି।

ସମ୍ମାନ ଏବଂ ପରିଶ୍ରମ ସହ କରାଯାଉଥିବା କୌଣସି କାମ ଛୋଟ ହୋଇ ନଥାଏ। ରାସ୍ତା ପାର୍ଶ୍ୱରେ ଠିଆ ହୋଇ ଚା’ ବିକ୍ରି କଲେବି ଯଦି ଆପଣ ସଚ୍ଚୋଟ ଭାବରେ କାମ କରନ୍ତି ତେବେ ଆପଣଙ୍କୁ ସମସ୍ତେ ଭଲ ପାଇବା ଅଜାଡି ଦିଅନ୍ତି। ଯାହାର ଉଦାହରଣ କେ.ଆର ବିଜୟନ ଓ ପତ୍ନୀ ମୋହନା।