• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଭୋପାଳ: ଛତିଶଗଡ଼ ଯଶପୁରରେ ଦୁର୍ଗା ମେଢ଼ ଭସାଣ ବେଳେ ହଠାତ୍‌ ଲୋକଙ୍କ କାର୍‌ ମାଡ଼ି ଯାଇଥିଲା। ଠିକ୍‌ ଏଭଳି ସମାନ ଘଟଣା ମଧ୍ୟପ୍ରଦେଶର ଭୋପାଳରେ ଘଟିଛି। ଶନିବାର ରାତିରେ ଦୁର୍ଗା ମେଢ଼ ଭସାଣ ବେଳେ ଦ୍ରୁତ ଗତିରେ ଥିବା ଏକ କାର୍‌ ହଠାତ୍‌ ଲୋକଙ୍କ ଉପରେ ମାଡ଼ି ଯାଇଥିଲା। ଏଥିରେ ୩ ଜଣ ଯୁବକ ଆହତ ହୋଇଛନ୍ତି। ଏହି ଘଟଣାର ଦୃଶ୍ୟ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭୋପାଳର ବଜରିୟା ଥାନା ଅଞ୍ଚଳରେ ଶନିବାର ରାତି ପ୍ରାୟ ୧୧ଟା ସମୟରେ ଏହି ଅଭାବନୀୟ ଘଟଣା ଘଟିଛି। 

ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି, ଭସାଣ ଶୋଭାଯାତ୍ରାରେ ଲୋକମାନେ ନାଚି ନାଚି ଯାଉଛନ୍ତି। ଏହି ସମୟରେ ଏକ କାର୍‌ ଦ୍ରୁତ ଗତିରେ ଆସି ଲୋକମାନଙ୍କୁ ଧକ୍କା ଦେଇଥିଲା। କାର୍‌ଟି ଲୋକଙ୍କ ଉପରେ ହଠାତ୍‌ ମାଡ଼ି ଯିବା ପରେ କାର୍‌ ଡ୍ରାଇଭରଙ୍କୁ ଲୋକେ ଆକ୍ରମଣ କରିବାକୁ ଗୋଡାଇବାରୁ ଭୟରେ ପଛୁଆ ଗାଡ଼ଇ ଚଳାଇ ଖସିଯିବାକୁ ଚେଷ୍ଟା କରୁଥିବା ନଜର ଆସିଛି। ଦୁର୍ଘଟଣାରେ ୩ ଜଣ ଯୁବକ ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ କାହାର ମୃତ୍ୟୁ ଘଟି ନଥିବା ସୂଚନା ମିଳିଛି। ସମ୍ପୃକ୍ତ କାର ଡ୍ରାଇଭରଙ୍କୁ ପୋଲିସ ହେପାଜତକୁ ନେବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

 

ସୂଚନାଥାଉ କି, ଛତିଶଗଡ଼ର ପାଥଲଗାଁଓ ବଜାରପଡ଼ାରେ ଦଶହରା ଭସାଣ ଶୋଭାଯାତ୍ରା ଚାଲିଥିବା ବେଳେ ଶତାଧିକ ଲୋକ ଏକାଠି ଯାଉଥିଲେ । ଅଚାନକ ଏକ ଦ୍ରୁତଗାମୀ କାର୍‌ ଆସି ଲୋକଙ୍କ ଉପରେ ଚଢ଼ି ଯାଇଥିଲା । ଏହି ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଗୁରୁତର ଆହତ ହୋଇଥିଲେ।