• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ମହିଳାଙ୍କ ଅଧିକାରର ରକ୍ଷା କଲେ ମୋଦି ସରକାର

  • 'ଟ୍ରିପଲ୍ ତାଲାକ୍' ବିରୋଧି ନିୟମ ଲାଗୁ ହେବା ପରେ ଏପରି ମାମଲାରେ ହ୍ରାସ ଘଟିଛି

ନୂଆଦିଲ୍ଲୀ : ଦେଶରେ କମିଛି ତିନି ତଲାକ୍ ମାମଲା । 'ଟ୍ରିପଲ୍ ତାଲାକ୍' ବିରୋଧି ନିୟମ ଲାଗୁ ହେବା ପରେ ଏପରି ମାମଲାରେ ହ୍ରାସ ଘଟିଛି ବୋଲି କହିଛନ୍ତି କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଆବାସ ନକଭି । ଏହି ଆଇନର ପ୍ରଣୟନ ହେବା ଦ୍ୱାରା ମୁସଲମାନ ମହିଳାମାନଙ୍କର ସାମ୍ବିଧାନିକ ଏବଂ ଗଣତାନ୍ତ୍ରିକ ଅଧିକାର ନିଶ୍ଚିତ ହୋଇଛି । ୨୦୧୯ରେ ମୁସଲମାନ ମହିଳାଙ୍କ ଅଧିକାର ପାଇଁ ତିନି ତଲାକକୁ ଅପରାଧ ଶ୍ରେଣୀଭୁକ୍ତ କରାଯିବା ସହ ଦଣ୍ଡ ବିଧାନ କରିଥିଲେ ମୋଦି ସରକାର ।

ଟ୍ରିପଲ ତଲାକ ବିରୋଧରେ ଆଇନର କାର୍ଯ୍ୟକାରିତାକୁ ମନପକାଇ ଗତକାଲି ଦେଶର ବିଭିନ୍ନ ସଂଗଠନ ମୁସଲମାନ ମହିଳା ଅଧିକାର ଦିବସ ପାଳନ କରିଥିଲେ । ଏହି ଆଇନ ପ୍ରଣୟନ କରିଥିବାରୁ କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରିଥିଲେ । ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ ନକଭି କହିଛନ୍ତି, ଆଇନ ପ୍ରଣୟନ ହେବା ପରେ ତିନି ତଲାକ ମାମଲାରେ ୮୦% ହ୍ରାସ ଘଟିଛି।

ଗତକାଲି ପାଳନ ହୋଇଥିବା ମୁସଲମାନ ମହିଳା ଦିବସରେ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଆବାସ ନକଭି, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ତଥା ଶ୍ରମ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ସାମିଲ ହୋଇଥିଲେ । ତିନି ତଲାକରେ ପୀଡ଼ିତ ମହିଳାଙ୍କ ସହ ଆଲୋଚନା କରିଥିଲେ । ସମସ୍ତଙ୍କୁ ଉତ୍ସାହିତ କରିବା ପାଇଁ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ, ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ଏବଂ ଶ୍ରମ ମନ୍ତ୍ରଣାଳୟ ମିଳିତ ଭାବେ କାର୍ଯ୍ୟ କରିବ ବୋଲି ସ୍ମୃତି ଇରାନୀ କହିଛନ୍ତି । ସେହିପରି ଏହି ଅବସରରେ ଯୋଗ ଦେଇ ଶ୍ରମ ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱାଧୀନ ସରକାର ସମାଜର ପ୍ରତ୍ୟେକ ବର୍ଗର ମହିଳାଙ୍କ ସମ୍ମାନ ଏବଂ ସଶକ୍ତିକରଣ ପାଇଁ କାର୍ଯ୍ୟ କରୁଛି ।

ଅଗଷ୍ଟ ୧, ୨୦୧୯ରେ ତିନି ତଲାକ ଆଇନ୍ ଉଚ୍ଛେଦ କରିଥିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଥିଲେ ମୁସଲମାନ ମହିଳା । ଏହି ଅଭ୍ୟାସକୁ ଆଇନ ଅନୁଯାୟୀ ଅପରାଧ ବୋଲି ଘୋଷଣା କରାଯାଇଥିଲା । ମୁସଲମାନ ମହିଳାମାନେ ମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରି କହିଛନ୍ତି, ମୋଦିଙ୍କ ନେତୃତ୍ୱାଧୀନ ସରକାର ଦେଶର ମୁସଲମାନ ମହିଳାମାନଙ୍କ ମଧ୍ୟରେ ଆତ୍ମନିର୍ଭରଶୀଳତା, ଆତ୍ମ ସମ୍ମାନ ଏବଂ ଆତ୍ମବିଶ୍ୱାସକୁ ଦୃଢ଼ କରିଛି ।