• translate
Sarbeswar

News Highlights

  • ପରିଶ୍ରମ କଲେ ସଫଳତା ପାଇଲେ

  • ଅଭାବ ମଧ୍ୟରେ ବଢି ବି ହେଲେ ସଫଳ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ସେମିଫାଇନାଲରେ ପହଞ୍ଚି ଦେଶ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ଓ୍ୱିମେନ୍ ଇନ୍ ବ୍ଲୁ । ମହିଳା ହକି ଟିମର ପ୍ରଶଂସାରେ ଶତମୁଖ ସାରା ଭାରତ। ହେଲେ ସେମାନଙ୍କ ପାଇଁ ଏତେ ସହଜ ନଥିଲା ଏହି ଯାତ୍ରା। ତାହା ଥିଲା ବେଶ୍ ସଂଘର୍ଷପୂର୍ଣ୍ଣ । ଟିମ୍‌ରେ ଅଧିକାଂଶ ଖେଳାଳି ଅନେକ ବାଧାବିଘ୍ନ ଅତିକ୍ରମ କରି କିପରି ସଫଳତା ଆଡ଼କୁ ଆଗେଇଛନ୍ତି, ତାହାକୁ ନେଇ ଏବେ ପୂରା ଦେଶରେ ଚାଲିଛି ଚର୍ଚ୍ଚା।

ସାଲୁଆର୍-କମିଜ୍ ଓ ଭଙ୍ଗା ହକିଷ୍ଟିକ୍ ସହ ଖେଳ ଆରମ୍ଭ କରିଥିବା ରାନୀ ରାମପାଲ୍ ହୁଅନ୍ତୁ, ଅବା ଟ୍ରେନ୍ ଟିସି ଥିବା ସୁଶୀଲା ଚାନୁ ଅବା ଛିଣ୍ଡା ଜରିକୁ ବାନ୍ଧି ବଲ୍ କରୁଥିବା ଓଡ଼ିଆ ଝିଅ ଦୀପ୍ଗ୍ରେସ ଏକ୍କା ଗରିବୀରୁ ଗର୍ବ ଯାଏଁ ଯାତ୍ରା ଏତେ ସହଜ ନଥିଲା ଅଲିମ୍ପିକରେ ଚମକ ଦେଖାଇଥିବା ଭାରତୀୟ ମହିଳା ହକି ଟିମର ଅଧିକାଂଶ ଖେଳାଳିଙ୍କ ପାଇଁ ।

ଦୀପଗ୍ରେସ୍ ଏକ୍କା ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲା ନିପଟ ମଫସଲ ଗାଁର ଆଦିବାସୀ ଝିଅ। ଦୀପ୍ଗ୍ରେସ ପିଲାଟି ବେଳୁ ବାପା ଓ ଭାଇଙ୍କ ହକି ଖେଳ ଦେଖି ଏଥିପ୍ରତି ଆକୃଷ୍ଟ ହୋଇଥିଲେ ସତ ହେଲେ ଏହି ଗରିବ ଚାଷୀ ପରିବାର ପାଇଁ ଝିଅର ସ୍ୱପ୍ନ ପୂରଣ କରିବା ଏକ ପ୍ରକାର ଅସମ୍ଭବ ଥିଲା। ପାଖ ଜଙ୍ଗଲରୁ ଧଅଁରା ଗଛର କାଠ ଆଣି ସେଥିରୁ ଷ୍ଟିକ୍ ଓ ଜରିକୁ ବାନ୍ଧି ବଲ୍ ତିଆରି କରି ଗାଁ ପିଲାଙ୍କ ସହ ହକି ଖେଳୁଥିଲେ ଦୀପଗ୍ରେସ୍ । ଶେଷର ଝିଅର ଆଗ୍ରହ ଦେଖି ନିଜର ଅଧୁରା ସ୍ୱପ୍ନ ପୂରଣ କରିବାକୁ ଆଗେଇ ଆସିଲେ ବାପା ଚାର୍ଲ୍ସ୍ ଏକ୍କା ଏବଂ ୨୦୦୪ରେ ତାଙ୍କୁ ସୁନ୍ଦରଗଡ଼ ରାଜ୍ୟ କ୍ରୀଡ଼ା ଛାତ୍ରାବାସରେ ଛାଡ଼ିଲେ । ୨୦୧୧ରେ ଜାତୀୟ କ୍ୟାମ୍ପକୁ ମନୋନୀତ ହୋଇଥିଲେ ଦୀପ୍ଗ୍ରେସ ଟିଣ ଛପର ଘରୁ ଏବେକାର ଟୋକିଓ ଯାତ୍ରା ତାଙ୍କ ପାଇଁ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ଥିଲା।

ସେହିପରି ସଲିମା ଟେଟେ- ଝାଡ଼ଖଣ୍ଡର ନକ୍ସଲପ୍ରବଣ ଇଲାକା ସିମ୍ଡେଗାର ଝିଅ ସଲିମା। ବଡ଼କିଛାପର ଗାଁ ସଲିମାଙ୍କ ଟୋକିଓ ପ୍ରଦର୍ଶନରେ ଯେତିକି ଖୁସି, ତାଠୁ ବେଶୀ ଚିନ୍ତିତ ସେମିଫାଇନାଲ୍ ମ୍ୟାଚ୍ ବେଳେ ପାଓ୍ୱାର୍କଟ୍ ହେବନି ତ? ସଲିମାଙ୍କ ଗାଁଲୋକେ ଏବେ ଉତ୍ସବ ପାଳୁଥିବା ବେଳେ, ତାଙ୍କ ବାପା, ମାଆ ଓ ଭଉଣୀ କିନ୍ତୁ ବ୍ୟସ୍ତ ଧାନ ରୋଇବାରେ। ଗରିବ ଚାଷୀ ପରିବାରରେ ଜନ୍ମ ହୋଇ ଜିଲ୍ଲାର ପ୍ରଥମ ଅଲିମ୍ପିକ୍ ହକି ଖେଳାଳି ହେବାର ଗୌରବ ଅର୍ଜନ କରିଥିବା ସଲିମାଙ୍କୁ ବି ସ୍ୱପ୍ନ ପୂରଣ ପାଇଁ ବହୁ କଷ୍ଟ ଓ ଆର୍ଥିକ ଅନଟନ ଦେଇ ଗତିକରିବାକୁ ପଡ଼ିଛି।

ରାନୀ ରାମପାଲ୍- ରାନୀଙ୍କ ନେତୃତ୍ୱରେ ଟୋକିଓରେ ଭାରତର ଟେକ ରଖିପାରିଛନ୍ତି ଭାରତୀୟ ମହିଳା ହକି ଦଳ । ହେଲେ ରାନୀଙ୍କ ପିଲାବେଳ ଖୁବ୍ କଷ୍ଟରେ କଟିଥିଲା। ୨ ଓଳି ୨ ମୁଠା ପେଟପୁରା ଖାଇବାକୁ ମିଳୁନଥିଲା, ବର୍ଷାଦିନେ ନର୍ଦ୍ଦମା ପାଣିରେ ଘର ଭରିଯାଉଥିବା ବୋଲି ନିଜେ କହିଛନ୍ତି ହରିୟାନା କୁରୁକ୍ଷେତ୍ରର ରାନୀ। ତାଙ୍କ ବାପା ରିକ୍ସା ଟାଣି ପରିବାର ପୋଷୁଥିଲେ ଓ ମାଆ ପର ଘରେ କାମ କରୁଥିଲେ। ଦିନକୁ ୮୦ ଟଙ୍କା ରୋଜଗାରରେ ଝିଅର ହକି ଖେଳିବା ସ୍ୱପ୍ନ ପୂରଣ କରିବା ସମ୍ଭବ ନଥିଲା। ରାନୀଙ୍କ ବାପାଙ୍କ ପାଇଁ ଝିଅ ଛୋଟ ପୋଷାକରେ ପଡ଼ିଆରେ ଖେଳୁ ବୋଲି ମଧ୍ୟ ପରିବାର ଲୋକେ ଚାହୁଁନଥିଲେ । ତଥାପି ଘର ପାଖରେ ଥିବା ହକି ଏକାଡେମୀରେ ଘଣ୍ଟାଘଣ୍ଟା ଧରି ଅନ୍ୟ ପିଲାମାନେ ଖେଳୁଥିବା ଦେଖୁଥିଲେ ରାନୀ । ହେଲେ ଦୁର୍ବଳ ଶରୀର ଓ ନିଜର ଜୋତା ଓ ହକି ଷ୍ଟିକ୍ ନଥିବାରୁ କୋଚ୍ ଗେଟ୍ ଭିତରକୁ ପଶିବାକୁ ଦେଉନଥିଲେ। ଶେଷରେ ବହୁ କାକୁତି ମୀନତି ହୋଇ ସାଲୁଆର୍ କମିଜ୍ ଓ ଭଙ୍ଗା ହକିଷ୍ଟିକ୍ ସହ ଖେଳ ଆରମ୍ଭ କରିଥିଲେ ରାନୀ। ଅନ୍ୟମାନେ ଖେଳ ବିରତିରେ ଅଧଲିଟର କ୍ଷୀର ପିଉଥିବା ବେଳେ, ରାନୀ ଅଧାକ୍ଷୀର ଓ ଅଧା ପାଣି ମିଶାଇ ପିଇଦେଉଥିଲେ। ଅବସ୍ଥା ଏତେ ଶୋଚନୀୟ ଥିଲା ଯେ, ସକାଳୁ ଉଠି ଆକାଶକୁ ଦେଖି ସମୟ ଅନୁମାନ କରିବାକୁ ପଡ଼ୁଥିଲା। କାରଣ ତାଙ୍କ ଘରେ ଘଡ଼ିଟିଏ ବି ନଥିଲେ।

ବନ୍ଦନା କଟାରିଆ- ଉତ୍ତରାଖଣ୍ଡ ହରିଦ୍ୱାରର ବନ୍ଦନା କଟାରିୟାଙ୍କ ହକିଖେଳ ପାଇଁ ପିଲାବେଳୁ ବାଧକ ସାଜିଥିଲା ଦାରିଦ୍ର୍ୟ ଓ ଲିଙ୍ଗ ବୈଷମ୍ୟ । ଝିଅମାନେ କେବଳ ଘରେ ରୋଷେଇ ଶିଖିବା ଦରକାର ବୋଲି ତାଙ୍କ ପରିବାରକୁ ଶୁଣାଇ ଶୁଣାଇ କହୁଥିଲେ ପାଖପଡ଼ୋଶୀ । ହେଲେ ବନ୍ଦନାଙ୍କ ବାପା ଏହାକୁ ଦୃଢ଼ ବିରୋଧ କରିବା ସହ ଝିଅକୁ ହକି ଖେଳିବା ପାଇଁ ଉତ୍ସାହିତ କରିଥିଲେ । ହେଲେ ୩ମାସ ତଳେ ବେଙ୍ଗଳୁରୁରେ ବାୟୋ ବବଲରେ ଥିବା ଯୋଗୁଁ ନିଜ ବାପାଙ୍କ ଶେଷକୃତ୍ୟରେ ଯୋଗ ଦେଇପାରିନଥିଲେ ବନ୍ଦନା। ଅଲିମ୍ପିକ୍ସରେ ସେ ପ୍ରଥମ ମହିଳା ଭାବେ ହ୍ୟାଟ୍ରିକ୍-ଗୋଲ୍ କରିବାର ଗୌରବ ଅର୍ଜନ କରିଛନ୍ତି ।

ସୁଶୀଲା ଚାନୁ- କହିପାରନ୍ତି ହକିରେ ଲେଡି ଧୋନି । କାରଣ ସେ ବି ଭାରତୀୟ ରେଲେଓ୍ୱର ସାଧାରଣ ଟିକେଟ୍ ଚେକର୍ ବା ଟିସି ଚାକିରୀରୁ ଟୋକିଓ ଅଲିମ୍ପିକ୍ସ ଯାଏଁ ଯାତ୍ରା କରିପାରିଛନ୍ତି। ମଣିପୁରର ସୁଶୀଲା ଚାନୁ ପୁଖରମ୍ବମ ମାତ୍ର ୧୧ ବର୍ଷରୁ ହକି ଖେଳିବା ଆରମ୍ଭ କରିଥିଲେ। ତାଙ୍କ ବାପା ଜଣେ ଡ୍ରାଇଭର୍ ଓ ମା ଗୃହିଣୀ । ତାଙ୍କୁ ବି ବହୁ କଷ୍ଟ କରିବାକୁ ପଡ଼ିଛି କ୍ରୀଡ଼ାକୁ କ୍ୟାରିୟର କରିବା ପାଇଁ। ତେବେ ଏହି ମହିଳା ଖେଳାଳି ମାନେ ପ୍ରମାଣ କରି ଦେଖାଇଛନ୍ତି, ଅଦମ୍ୟ ଇଚ୍ଛାଶକ୍ତି ଓ ଦୃଢ଼ ମନୋବଳ ଥିଲେ, ଦାରିଦ୍ର୍ୟ ଓ ଲୋକଙ୍କ ଟାହିଟାପରା କେବେ ବି ସ୍ୱପ୍ନପୂର୍ତ୍ତିର ଯାତ୍ରାରେ ବାଧକ ସାଜିନପାରେ।

Other Stories