• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ତ୍ରେତୟା ଯୁଗରେ ୧୪ ବର୍ଷର ବନବାସରୁ ଅଯୋଧ୍ୟାକୁ ଫେରିଥିଲେ ମହାପ୍ରଭୁ ଶ୍ରୀରାମଚନ୍ଦ୍ର । ଆଉ ଏ ଯୁଗରେ, ୫ଶହ ବର୍ଷର ଅସ୍ଥାୟୀ ଆବାସରୁ ଫେରିବେ ଭବ୍ୟ ଓ ଦିବ୍ୟ ମନ୍ଦିରକୁ । ଆସନ୍ତା ଜାନୁଆରୀ ୨୨ରେ ରାମଲାଲା ବିରାଜିବେ ନବନିର୍ମିତ ମନ୍ଦିରର ଗର୍ଭଗୃହରେ । ଏହି ମହାର୍ଘ ମୁହୂର୍ତ୍ତକୁ ଆଉ ମାସଟେ ବି ବାକି ନଥିବା ବେଳେ, କେବଳ ରାମ ମନ୍ଦିର ନୁହେଁ, ସତେ ଯେମିତି ନୂଆରେ ତିଆରି ହେଉଛି ପୂରା ରାମ ନଗରୀ । ଉତ୍ତରପ୍ରଦେଶ ଅଯୋଧ୍ୟାର ଏହି ନୂଆ ରୂପକୁ ଆପଣଙ୍କ ପାଖରେ ପହଞ୍ଚାଇବାକୁ ସେଠାରେ ପହଞ୍ଚିଛି ଓଟିଭି..ଜାଣନ୍ତୁ ଅଯୋଧ୍ୟାରୁ ଓଟିଭିର Exclusive ରିପୋର୍ଟ

ପ୍ରାଚୀନ..ପୂତ..ପବିତ୍ର..ଶୀତୁଆ ସକାଳେ ଶିହରିତ କରୁଥିଲା ଅଯୋଧ୍ୟାର ଅନନ୍ୟ ଅନୁଭବ । କାନରେ ବାଜୁଥିଲା ମର୍ଯ୍ୟାଦା ପୁରୁଷୋତ୍ତମଙ୍କ ମହିମା । ରାମମୟ ହୋଇ ଉଠୁଥିଲା ମନପ୍ରାଣ । ଅଯୋଧ୍ୟା ରାମ ମନ୍ଦିରର ନିର୍ମାଣାଧୀନ ବିଶାଳ ପ୍ରବେଶ ପଥରୁ ଅନତି ଦୂରରେ ଜୋରସୋରରେ ତିଆରି ଚାଲିଛି ପ୍ରାଣ ପ୍ରତିଷ୍ଠା ଅପେକ୍ଷାରେ ଥିବା ଭବ୍ୟ ରାମ ମନ୍ଦିର । ଦିନ ପାଖେଇ ଆସୁଥିବା ବେଳେ, ମନ୍ଦିରର ପ୍ରଥମ ମହଲାକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ନିୟୋଜିତ ବହୁ ସଂଖ୍ୟକ କ୍ରେନ୍ ଓ ଶହ ଶହ କାରିଗର । ତେବେ କେବଳ ରାମ ମନ୍ଦିର ନୁହେଁ, ରାମଙ୍କ ନଗରୀ ବି ପାଉଛି ସମ୍ପୂର୍ଣ୍ଣ ନୂଆ ରୂପ । ସଜେଇ ହେଉଛି କୋଟି କୋଟି ରାମ ଭକ୍ତଙ୍କ ଆସ୍ଥାର କେନ୍ଦ୍ରସ୍ଥଳୀ ଅଯୋଧ୍ୟା ନଗରୀ ।

ମନ୍ଦିରକୁ ଲମ୍ବିଥିବା ମୁଖ୍ୟ ସଡ଼କ ରାମ ପଥଠୁ ରାମମନ୍ଦିରକୁ ଘେରିଥିବା ପରିକ୍ରମା ମାର୍ଗ ପର୍ଯ୍ୟନ୍ତ । ସବୁକିଛି ପ୍ରଶସ୍ତ କରାଯାଇଛି, ସହର ସାରା ଭିତ୍ତିଭୂମି ବିକାଶ ହୋଇଛି ଓ ଅଭୂତପୂର୍ବ ସାଜସଜ୍ଜା ଚାଲିଛି । କେଉଁଠି ମହାପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଚିତ୍ର ଅଙ୍କାଯାଇଛି, ତ କେଉଁଠି ଶୋଭା ପାଉଛି ପ୍ରତିମୂର୍ତ୍ତି । ସୂର୍ଯ୍ୟବଂଶୀଙ୍କ ନଗରୀର ସୌନ୍ଦର୍ଯ୍ୟ ବହୁଗୁଣିତ କରୁଛି ସୂର୍ଯ୍ୟସ୍ତମ୍ଭ । ଚାରିଆଡ଼େ ଦିଶୁଛି ଶୁଭୁଛି ଜୟ ଶ୍ରୀରାମ । ଅଯୋଧ୍ୟାକୁ ନବବଧୂ ଭଳି ସଜାଇବାକୁ ୩ଟି ସିପ୍ଟରେ ଦିନରାତି ୨୪ ଘଣ୍ଟା କାମ ଜାରି ରଖିଛନ୍ତି ପ୍ରାୟ ୨୫ଶହ କାରିଗର । ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା କାରିଗରଙ୍କ ମଧ୍ୟରେ ବହୁ ଓଡ଼ିଆ ଶିଳ୍ପୀ ବି ଅଛନ୍ତି ।

କେଉଁଠି ମନ୍ଦିର ଚୁଡ଼ା, ତ ଆଉ କେଉଁଠି ଶ୍ରୀରାମଙ୍କ ମୁକୁଟ ଭଳି ପ୍ରତିକୃତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରେଳଷ୍ଟେସନ- ଅଯୋଧ୍ୟା ଜଙ୍କସନ୍ । ରାମମନ୍ଦିର ପ୍ରାଣପ୍ରତିଷ୍ଠା ମହୋତ୍ସବକୁ ଦେଶର କୋଣ ଅନୁକୋଣରୁ ଅତିଥି ଆସୁଥିବା ବେଳେ, ଆଗକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଆହୁରି ବଢ଼ିବ । ସେଥିପାଇଁ ରେଳଷ୍ଟେସନ ଓ ଏୟାରପୋର୍ଟର ବି ବଦଳାଯାଇଛି କାୟାକଳ୍ପ । ଏଠି ବି ଭବ୍ୟ ଓ ଦିବ୍ୟତାର ଛାପ । ତା ସହିତ ଯୋଡ଼ାଯାଇଛି ଯାତ୍ରୀଙ୍କ ପାଇଁ ଆଧୁନିକ ବ୍ୟବସ୍ଥା । ଡିସେମ୍ବର ୩୦ରେ ଏହି ନବନିର୍ମିତ ରେଳଷ୍ଟେସନ ଓ ବିମାନବନ୍ଦରର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ଓ ସହରର ବିକାଶ କାର୍ଯ୍ୟ ପରେ ଶ୍ରୀରାମ ଜନ୍ମଭୂମି କାର୍ଯ୍ୟଶାଳାରେ ରାମମନ୍ଦିରର ଏନ୍ତୁଡ଼ିଶାଳ, ରାମଭକ୍ତଙ୍କ ସଂଘର୍ଷର ମୁକସାକ୍ଷୀ । ଏଇଠି ୯୦ ଦଶକରୁ ପଥର ଖୋଦେଇ କାର୍ଯ୍ୟ ଜାରି ରଖିଛନ୍ତି ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା କାରିଗର । ଅଯୋଧ୍ୟା ତୀର୍ଥଯାତ୍ରୀ ଓ ପର୍ଯ୍ୟଟକଙ୍କ ପାଇଁ ଏହି କାର୍ଯ୍ୟଶାଳା ବି ଏକ ପ୍ରମୁଖ ଦର୍ଶନୀୟ ସ୍ଥାନ ହୋଇ ରହିଛି ବର୍ଷବର୍ଷ ଧରି । ଏବେ ଅପେକ୍ଷା ଜାନୁଆରୀ ୨୨ ତାରିଖକୁ, ଏ ଯୁଗର ବହୁ ଆକାଂକ୍ଷିତ, ଐତିହାସିକ ତଥା କାଳଜୟୀ ମୁହୂର୍ତ୍ତକୁ ।