• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ପୁଣି ଚୀନ୍‌କୁ ମାତ୍‌ ଦେଲା ଭାରତ

  • ଶ୍ରୀଲଙ୍କା ସମୁଦ୍ରରେ କଣ୍ଟେନର ଟର୍ମିନାଲ୍‌ ନିର୍ମାଣ ଦାୟିତ୍ୱ ମିଳିଲା ଭାରତକୁ

ନୂଆଦିଲ୍ଲୀ: ଚୀନ୍‌କୁ ଝଟ୍‌କା ଦେଲା ଭାରତ । ଶ୍ରୀଲଙ୍କା ରାଜଧାନୀ କଲମ୍ୱୋର ସମୁଦ୍ରରେ କଣ୍ଟେନର ଟର୍ମିନାଲ୍‌ ନିର୍ମାଣ ଦାୟିତ୍ୱ ଭାରତକୁ ମିଳିଛି । ଚୀନ୍‌ ଏହି ଗୁରୁ ଦାୟିତ୍ୱ ବହନ କରିବା ପାଇଁ ଆଶାବାନ୍ଧିଥିଲେ ସତ୍ତ୍ୱେ ଭାରତକୁ ଏହି ପ୍ରକଳ୍ପର ଦାୟିତ୍ୱ ଭାର ଦିଆଯାଇଛି । ଯାହା ଦ୍ୱାରା ଏବେ ଚୀନ୍‌କୁ ବଡ଼ ଝଟକା ଲାଗିଛି । ଏହି ପ୍ରୋଜେକ୍ଟଟିର ମୂଲ୍ୟ ପ୍ରାୟ ୭୦୦ ମିଲିୟନ୍ ଡଲାର୍‌ । ଏନେଇ Sri Lanka Ports Authority (SLPA) କହିଛନ୍ତି, ସେ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋ ନିକଟସ୍ଥ ସମୁଦ୍ରରେ ଏକ ଗଭୀର ସମୁଦ୍ର କଣ୍ଟେନର ଟର୍ମିନାଲ ନିର୍ମାଣ ପାଇଁ ଭାରତୀୟ କମ୍ପାନୀ ଅଦାନୀ ଗ୍ରୁପ୍‌ ସହ ଚୁକ୍ତି ସ୍ୱାକ୍ଷର କରିଛନ୍ତି । SLPA କହିବା ଅନୁସାରେ, ଏହି ପ୍ରକଳ୍ପଟି ଶ୍ରୀଲଙ୍କାର ବନ୍ଦର ବିଭାଗର ସର୍ବ ବୃହତ ବିଦେଶୀ ପୁଞ୍ଜି ବିନିଯୋଗ ପ୍ରୋଜେକ୍ଟ । ଏହି ପ୍ରକଳ୍ପରେ ଶ୍ରୀଲଙ୍କା କମ୍ପାନୀ ଜନ୍ କିଲ୍ସଙ୍କ ସହ ଆଦାନୀ ଗ୍ରୁପ୍ ମିଳିମିଶି କାମ କରିବେ । ଜନ୍ କିଲ୍ସ କହିଛନ୍ତି, ତାଙ୍କ ପାଖରେ ୩୪ ପ୍ରତିଶତ ଅଂଶଦାରୀ ରହିବାବେଳେ କଲମ୍ବୋ ୱେଷ୍ଟ ଇଣ୍ଟରନ୍ୟାସନାଲ ଟର୍ମିନାଲ ନାମରେ ଜଣାଶୁଣା ମିଳିତ ଉଦ୍ୟମରେ ଆଦାନୀ ଗ୍ରୁପ୍‌ ପାଖରେ ୫୧ ପ୍ରତିଶତ ଅଂଶଦାରୀ ରହିବ ।

କ’ଣ ରହିଛି ଏହି ଟର୍ମିନାଲ୍‌ର ବିଶେଷତ୍ୱ ଜାଣନ୍ତୁ

ଦୁବାଇ ଓ ସିଙ୍ଗାପୁରର କେନ୍ଦ୍ରରେ ହିନ୍ଦ୍ ମହାସାଗର ରହିଥିବାରୁ ସେଠାକାର ବନ୍ଦର ଗୁଡିକର ଅଧିକ ବିଶେଷତ୍ୱ ରହିଛି । ତେଣୁ ସେଠାରେ ନିର୍ମାଣ ହେବାକୁ ଥିବା ନୂଆ କଣ୍ଟେନର ଟର୍ମିନାଲ୍ ପ୍ରାୟ ୨୦ ମିଟର ଗଭୀରତା ସହ ୧.୪ କିଲୋମିଟର ଲମ୍ୱ ବିଶିଷ୍ଟ ହେବ । ଯେଉଁଥିରେ ବାର୍ଷିକ ପ୍ରାୟ ୩.୨ ମିଲିୟନ୍ କଣ୍ଟେନରକୁ ବହନ କରିପାରିବାର କ୍ଷମତା ରହିବ । ଏନେଇ କମ୍ପାନୀ ପକ୍ଷରୁ କୁହାଯାଇଛି, ଦୁଇ ବର୍ଷ ମଧ୍ୟରେ ହିଁ ଏହି ୬୦୦ ମିଟର ଟର୍ମିନାଲ ଥିବା ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକୁ ଶେଷ କରାଯିବ । ଏହାପରେ ଦୀର୍ଘ ୩୫ ବର୍ଷ ଧରି କାମ କରିସାରିବା ପରେ ଟର୍ମିନାଲର ମାଲିକାନା ଶ୍ରୀଲଙ୍କାକୁ ଫେରାଇ ଦିଆଯିବ ।

ଚୀନ୍‌କୁ କାହିଁକି ମିଳିଲାନି ଏହି ପ୍ରକଳ୍ପ ?

ଏହି ପ୍ରକଳ୍ପ ଉପରେ ଚୀନ୍‌ର କଡା ନଜର ଥିଲା । ହେଲେ ଏହି ପ୍ରକଳ୍ପ ଚୀନ୍‌କୁ ଦେବା ପାଇଁ ଶ୍ରୀଲଙ୍କାର ଆଦୌ ମନୋଭାବରେ ନଥିଲା । ଯାହା ପଛରେ ମୁଖ୍ୟତଃ ଦୁଇଟି କାରଣ ରହିଛି । ପ୍ରଥମତଃ ୨୦୧୪ ମସିହାରେ, CICT ରେ ଚୀନ୍‌ର ଦୁଇଟି ବୁଡା ଯାହାଜକୁ ନିୟୋଜିତ କରାଯାଇଥିଲା ଯାହା ଭାରତର ଚୀନ୍ତା ବଢାଇଛି । ବାସ୍ତବରେ ଶ୍ରୀଲଙ୍କା ଭାରତର ପଡୋଶୀ ରାଷ୍ଟ୍ର ହୋଇଥିବାରୁ ଭାରତ ଉପରେ ତାହାର ବିଶେଷ ପ୍ରଭାବ ପଡିଥାଏ ଯାହା ଦ୍ୱାରା ଭାରତ ନିଜ ପ୍ରଭାବ କ୍ଷେତ୍ରରେ ଶ୍ରୀଲଙ୍କାକୁ ବିବେଚନା କରିଥାଏ । ତେଣୁ ଶ୍ରୀଲଙ୍କା ଚାଇନାର ବୁଡ଼ାଜାହାଜକୁ ନିୟୋଜିତ କରିବାର ଅନୁମତି ଦେବାକୁ ମନା କରିଦେଇଛି ।

ଦ୍ୱିତୀୟ କାରଣ ହେଉଛି, ଶ୍ରୀଲଙ୍କାକୁ ଋଣରେ ବୁଡ଼ିଯିବାର ଭୟ ରହିଛି । କାରଣ ୨୦୧୭ ମସିହାରେ ଶ୍ରୀଲଙ୍କା ଚୀନ୍‌ର ଏକ ବଡ଼ ଋଣକୁ ପରିଶୋଧ କରିପାରିଲା ନାହିଁ । ଯାହାର ଫାଇଦା ଉଠାଇ ଚୀନ୍‌ ଶ୍ରୀଲଙ୍କାର ଦକ୍ଷିଣ ହାମବନ୍ତୋଟା ବନ୍ଦରକୁ ନିଜ ନିୟନ୍ତ୍ରଣରେ କରିଥିଲା । ଯାହା ଶ୍ରୀଲଙ୍କାର ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବନ୍ଦର ଥିଲା । ନିଜ ବିଗିଡିଥିବା ଅର୍ଥନୀତିକୁ ସୁଧାରିବା ପାଇଁ ଶ୍ରୀଲଙ୍କା ଚୀନ୍‌କୁ ପୁଣି ଥରେ ୨.୨ ବିଲିୟନ୍‌ ଡଲାର୍ ଋଣ ମାଗିଥିଲା । ଯାହା ବଦଳରେ ଶ୍ରୀଲଙ୍କା ପ୍ରାୟ ୯୯ ବର୍ଷର ଲିଜ୍‌ରେ ହାମବନ୍ତୋଟା ବନ୍ଦରକୁ ଚୀନ୍‌କୁ ଦେଇଥିଲା । ଏହି ଘଟଣା ପରେ ହାମବନ୍ତୋଟାଠାରେ ଚୀନ୍‌କୁ ସାମରିକ ସୁବିଧା ମିଳିପାରିବ ବୋଲି ଭାରତ ଓ ଆମେରିକା ଚିନ୍ତା ପ୍ରକଟ କରିଛନ୍ତି ।