• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦଶରା ଭସାଣ ଶୋଭାଯାତ୍ରା ବେଳେ ଲୋକଙ୍କୁ ଦଳିଦେଲା ଦୃତଗାମୀ କାର । ଛତିଶଗଡ଼ ଯଶପୁରରେ ଆଜି ଦୁର୍ଗା ଭସାଣ ଶୋଭାଯାତ୍ରା ବେଳେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ପାଥଲଗାଁଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

 

ଆଜି ଅପରାହ୍ନରେ ଛତିଶଗଡ଼ର ପାଥଲଗାଁଓ ବଜାରପଡ଼ାରେ ଦୁର୍ଗା ମୂର୍ତ୍ତି ବିସର୍ଜନ ପାଇଁ ଲୋକେ ରାସ୍ତାରେ ଶୋଭାଯାତ୍ରା କରି ଯାଉଥିଲେ । ପ୍ରାୟ ୧୦୦ରୁ ଅଧିକ ଲୋକେ ଉତ୍ସବରେ ସାମିଲ ଥିଲେ । ତେବେ ହଠାତ ପଛପଟୁ ଏକ ଦ୍ରୁତଗାମୀ କାର ଆସି ଲୋକଙ୍କୁ ନିର୍ମମ ଭାବେ ଧକ୍କା ଦେବା ସହ ଦଳି ଚକଟି ଆଗକୁ ମାଡ଼ି ଚାଲିଥିଲା । ଲୋକେ କିଛି ବୁଝିବା ଆଗରୁ କାର୍‌ଟି ଦ୍ରୁତ ଗତିରେ ପଳାଇଥିଲା ।

 

ସେପଟେ ଏହି କାରଟି ଚୋରା ଗଞ୍ଜେଇ କାରବାରରେ ସଂପୃକ୍ତ ଥିବା ଜଣାପଡ଼ିଛି । ଏହି ଘଟଣା ନେଇ ସ୍ଥାନୀୟ ଲୋକେ ପୋଲିସକୁ ବି ଦାୟୀ କରିଛନ୍ତି । କାର ଭିତରୁ ଗଞ୍ଜେଇ ପ୍ୟାକେଟ୍ ମିଳିଥିବା ବେଳେ ଉତ୍ୟକ୍ତ ଲୋକେ ଏହାକୁ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି । ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ସେପେଟେ ପୋଲିସ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ହୋଇଥିବା ଟ୍ୱିଟ୍  କରି ସୂଚନା ଦେଇଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ।