• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଭାରତୀୟ ହକି ଟିମ୍‌କୁ ଶୁଭେଚ୍ଛା ଜଣାଇଲେ ମୋଦି ।

  • ଭିସିରେ କଥା ହେଲେ ନବୀନ ।

  • ୧୬ ରେ ହେବ ଭବ୍ୟ ସ୍ୱାଗତ ।

ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ହାସଲ କରିଛି । ଏଥିପାଇଁ ସାରା ଭାରତରେ ଉତ୍ସବର ମାହୋଲ । ଭାରତୀୟ ପୁରୁଷ ହକି ଟିମ୍‌ର ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି । ସେ ଟିମ୍ ଇଣ୍ଡିଆର କ୍ୟାପଟେନ୍ ମନପ୍ରୀତ, ମୁଖ୍ୟ କୋଚ୍ ଗ୍ରାହାମ୍ ରିଡ୍ ଓ ସହକାରୀ କୋଚ୍ ପୀୟୂଷ ଦୁବେଙ୍କ ସହ କଥା ହୋଇଛନ୍ତି । ଟିମ୍ ଇତିହାସ ରଚିଥିବାରୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ଅନ୍ୟ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ପ୍ରଧାନମନ୍ତ୍ରୀ ଟିମ ଇଣ୍ଡିଆର ଏହି ବିଜୟକୁ ଐତିହାସିକ ବୋଲି କହିଛନ୍ତି ।

ତେବେ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୁହଁନ୍ତି, ଦେଶର କୋଣ ଅନୁକୋଣରୁ ହକି ଟିମ୍‌କୁ ଶୁଭେଚ୍ଛାର ସୁଅ ଛୁଟିଛି । ଏହି କ୍ରମରେ ଭାରତୀୟ ହକି ଟିମ୍ ସହ ଭିଡିଓ କନ୍‌ଫରେନ୍ସିଂରେ କଥା ହୋଇ ଚମତ୍କାର ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଆସନ୍ତା ଅଗଷ୍ଟ ୧୬ରେ ଭୁବନେଶ୍ୱରରେ ହକି ଚିମ୍‌କୁ ଭବ୍ୟ ସ୍ୱାଗତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ହକି ଟିମ୍‌ର ସ୍ୱାଗତ ପାଇଁ ଓଡ଼ିଶା ଅପେକ୍ଷା କରିଛି । ସୂଚନାଯୋଗ୍ୟ ଭାରତୀୟ ହକି ଟିମ୍‌ର ପ୍ରଜୋଜକ ହେଉଛନ୍ତି ଓଡ଼ିଶା ସରକାର ।

ତେବେ ଆଜି ଦୀର୍ଘ ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ଇତିହାସ ରଚିଛି । ଭାରତ ଖାତାରେ ଯୋଡ଼ି ହୋଇଛି ଆଉ ଏକ ବ୍ରୋଞ୍ଜ ପଦକ । ଏହାକୁ ମିଶାଇ ଭାରତର ପଦକ ସଂଖ୍ୟା ୪ରେ ପହଞ୍ଚିଛି । ଏହି ମ୍ୟାଚ୍‌ରେ ବ୍ରୋଞ୍ଜ ପଦକ ପାଇଁ ଆଜି ଭାରତ-ଜର୍ମାନୀ ମଧ୍ୟରେ କଡା ମୁକାବିଲା ହୋଇଥିଲା । ହେଲେ ଭାରତ ୫-୪ ଗୋଲରେ ଜର୍ମାନୀକୁ ହରାଇ ଏହି ପଦକ ଛଡ଼ାଇ ନେଇଛି ।

ପ୍ରଥମ ପର୍ଯ୍ୟାୟରେ ଜର୍ମାନୀ ଚମତ୍କାର ପ୍ରଦର୍ଶନ କରି ୩-୧ରେ ଆଗୁଆ ଥିଲା । ଭାରତ ସେମି ଫାଇନାଲରୁ ହାରି ସ୍ୱର୍ଣ୍ଣ ପଦକ ଆଶା ହାତଛଡ଼ା କରିଥିଲା । ହେଲେ ଏଥର ଦର୍ଶକଙ୍କୁ ନିରାଶ ନ କରି ଜୀ-ଜାନ ଦେଇ ଖେଳିଥିଲା । ଆଉ ଶେଷରେ ୫-୪ରେ ଜର୍ମାନୀକୁ ହରାଇ ବ୍ରୋଞ୍ଜ ପଦକ ହାସଲ କରିଥିଲା ।  ତୃତୀୟ କ୍ୱାର୍ଟର ଆରମ୍ଭରେ ପେନାଲ୍‌ଟି ଷ୍ଟ୍ରୋକକୁ ଗୋଲ୍‌ରେ ବଦଳାଇ ଦେଇ ଜବରଦସ୍ତ ଫର୍ମକୁ ଆସିଥିଲା ଭାରତ ।