• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଗାଁକୁ ଯିବାକୁ ନାହିଁ ଭଲ ରାସ୍ତା 

 ବାଲେଶ୍ୱର:ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ଏବେ ବି ଏଭଳି ଗାଁ ଅଛି ଯେଉଁଠି ବିଦ୍ୟୁତ୍‌ ଓ ରାସ୍ତା ସଂଯୋଗୀକରଣ ସେବା ସାତସପନ ପରି । ଗାଁରେ ସରକାରୀ ସୁବିଧା ନ ପହଁଚିଥିବା ଯୋଗୁଁ ଅନେକ ଗ୍ରାମବାସୀ ପରିବାର ସହ ଗାଁ ଛାଡିଦେଲେଣି । ତଥାପି ଏଠି ପ୍ରଶାସନ ନିରବଦ୍ରଷ୍ଟା । ନୀଳଗିରି ଉପଖଣ୍ଡଠାରୁ ମାତ୍ର ୮ କିମି ଦୂରରେ ଅବସ୍ଥିତ ତୈଲାସାହି ଗାଁ ।

 

ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍‌ କେପି ଲାଖରାଜ ପଂଚାୟତ ଅଧିନ ତୈଲାସାହି ଗାଁରେ ୨୦ରୁ ଅଧିକ ପରିବାର ବସବାସ କରନ୍ତି । ଗାଁରେ ସମସ୍ତେ ପ୍ରାୟତଃ ଗରିବ ଖଟିଖିଆ ଶ୍ରେଣୀର । ମୂଲ ଲାଗି ପରିବାର ପ୍ରତିପୋଷଣ କରିଥାନ୍ତି ଗ୍ରାମବାସୀ । ହେଲେ ଗାଁକୁ ଯିବାକୁ ଭଲ ରାସ୍ତା ଖଣ୍ଡିଏ ନାହିଁ । ତେଣୁ ଗାଁକୁ ଯିବାକୁ ହେଲେ କାଦୁଅରେ ଡେଇଁ ଡେଇଁ ଯିବାକୁ ପଡିଥାଏ ।

ରୋଗ ବୈରାଗ ହେଲେ ଅବସ୍ଥା ନ କହିବା ହିଁ ଭଲ । ସେପଟେ ଗାଁ ପାଖରେ ଥିବା ପାହାଡର ପଥର ମୂଳେ ସୂର୍ଯ୍ୟ ନଇଁବା ମାତ୍ରେ ଗାଁକୁ ଘୋଟିଆସେ ଘୋର ଅନ୍ଧକାର । ତିନବର୍ଷ ତଳୁ ଗାଁରେ ତାର ଟଣା ହୋଇ ଟ୍ରାନ୍ସଫର୍ମର ଲାଗି, ଘରେ ଘରେ ମିଟର ବି ବସିଛି । ହେଲେ ବିଦ୍ୟୁତ୍‌ ବିଭାଗର ଅବହେଳା ଓ ଆନ୍ତରିକତା ଅଭାବ କାରଣରୁ ଗାଁରେ ବିଦ୍ୟୁତ୍‌ ସଂଯୋଗ ହୋଇପାରିନାହିଁ । ତେଣୁ ଗ୍ରାମବାସୀଙ୍କ ପାଇଁ ଡିବିରି ଆଲୁଅ ହିଁ ଏକମାତ୍ର ସାହାରା ପାଲଟିଛି । ଏଭଳି ଅସୁବିଧା ଯୋଗୁଁ ଗାଁର ଅନେକ ପରିବାର ଏବେ ଗାଁ ଛାଡି ଅନ୍ୟ ଗାଁରେ ରହୁଛନ୍ତି ।

ଗାଁରେ ଟ୍ରାନ୍ସଫର୍ମର ଲାଗିଛି, କିନ୍ତୁ ଲାଇନ୍‌ ଆସିପାରିନାହିଁ । ରାସ୍ତା ପାଇଁ ଜାଗା ଅଛି କିନ୍ତୁ ଯାତାୟତ ସୁବିଧା ନାହିଁ । ଏନେଇ ସରକାରୀ ସୁବିଧା ପାଇଁ ଦାବି କରିଛନ୍ତି ଗ୍ରାମବାସୀ । ଏ ସମସ୍ତ ଘଟଣାକୁ ନେଇ ନୀଳଗିରି ଉପଜିଲ୍ଲାପାଳ କହିଛନ୍ତି ଯେ ସେ ଏହି ଘଟଣାକୁ ଗୁରୁତର ଭାବେ ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ଶୀଘ୍ର ସମାଧାନର ବାଟ ଫିଟାଇବା କଥା ସେ କହିଛନ୍ତି ।

ତେବେ କେବେ ଏହି ଅପହଞ୍ଚ ଇଲାକାରେ ଗ୍ରାମବାସୀଙ୍କୁ ମିଳିବ ମୈଳିକ ସୁବିଧା ତାହା ଦେଖିବାକୁ ବାକି ରହିଲା । କେବେ ଏମାନଙ୍କ ଦୁଃଖ ସରକାରଙ୍କ ନଜରରେ ପଡିବ ତାହା ଅପେକ୍ଷାରେ..