• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ୬୦ ତଳକୁ ମିଳୁନି କୌଣସି କଞ୍ଚା ପରିବା

  • ବ୍ୟବସାୟୀ କହିଲେ ଖରାପ ପାଗ ଯୋଗୁଁ କମିଛି ଆମଦାନୀ

ଭୁବନେଶ୍ୱର : କାର୍ତ୍ତିକ ମାସରେ ପନିପରିବା ଦର ଟିକେ ଅଧିକା ରହିଥାଏ । ଲୋକେ ଆମିଷ ଖାଆନ୍ତିନି ବୋଲି ବଢିଯାଏ ପରିବା ରେଟ୍ । ହେଲେ ଏଥର ବଜାରରେ ଦର ଶୁଣି ମୁଣ୍ଡ ଚକ୍କର ଖାଇଯାଉଛି । ଅଧିକାଂଶ ପରିବା ଦର ୮୦ ୬୦ ଟଙ୍କା, ତଳକୁ ଆଉ କୌଣସି ପରିବା ନାହିଁ । ଲଗାଣ ବର୍ଷା ଯୋଗୁଁ ଅନେକ ସ୍ଥାନରେ ପରିବା ଫସଲ ନଷ୍ଟ ହୋଇଯାଇଥିବାରୁ ଦର ଆକାଶଛୁଆଁ ହୋଇଯାଇଛି ।

ହାତ ମାରିହେଉନି ପରିବା ଉପରେ । ଯାହାକୁ ଛୁଇଁବ ୮୦ । ପୋଟଳ, ଝୁଡଙ୍ଗ, ବିନ୍ସ, ଭେଣ୍ଡି, ଟମାଟୋ, ଗାଜର, କାକୁଡି ୮୦ ତଳକୁ ଖସୁନି । ବାଇଗଣ, କଲରା, ବନ୍ଧାକୋବି, ସିମ୍ବ ୬୦ ଉପରେ । ଫୁଲ କୋବି ଗୋଟାକୁ ୫୦ ଟଙ୍କା । କି ପରିବା ଖାଇବ କହି ବଜାରରେ ମୁଣ୍ଡରେ ହାତ ଦେଉଛନ୍ତି ଗ୍ରାହକ । ପାଂଚ ଶହ ଟଙ୍କାରେ ବି ଭର୍ତ୍ତି ହେଉନି ବ୍ୟାଗ୍ । ବ୍ୟବସାୟୀ ବି ଅଳ୍ପ ପରିବା ଆଣୁଛନ୍ତି । କିଲୋ ବଦଳରେ ଗ୍ରାହକଙ୍କୁ ଅଢେଇ ଶହର ଦର କହୁଛନ୍ତି । ବର୍ଷା ପାଇଁ ଆମଦାନୀ କମିଛି, ତାର ସିଧାସଳଖ ପ୍ରଭାବ ପଡିଛି ବଜାର ଉପରେ । ବେପାରୀଙ୍କ କହିବା କଥା, ନୂଆ ଫସଲ ବାହାରିଲେ କମିବ ରେଟ୍ । ପଂଚୁକ ଚାଲିଥିବାରୁ ଏବେ ଉଚ୍ଚା ରହିଛି ପରିବା ଦର ।

ଏପଟେ ବିଲରେ ଉଜୁଡିଯାଇଛି ପରିବା ଫସଲ । ଲଗାଣ ବର୍ଷାରେ ଧୋଇ ଯାଇଛି ବିନ୍ସ ଗଛ । ଏଥର ଚାରା ଭଲ ଉଠିଥିଲା ହେଲେ ବର୍ଷାରେ ସବୁ ପଚିଗଲା । ଗଂଜାମ ଜିଲ୍ଲା ଧରାକୋଟ ବ୍ଳକ୍ ହୀରଖଣ୍ଡି ଗାଁରେ ଏକର ଏକର ଜମିରେ ପନିପରିବା ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଗଛରେ ଥାଇ ପଚିଗଲାଣି ବାଇଗଣ । ମାଟି ମାଡିଯାଇଛି କୋବି ଫସଲରେ । ମାସକ ଭିତରେ ଟନ୍ ଟନ୍ ପରିବା ଅମଳ ହୋଇଥାନ୍ତା । ହେଲେ ଏବେ ଛାରଖାର ହୋଇଯାଇଛି ହସିଲା ଫସଲ ।

ଜିଲ୍ଲାର ପୋଲସରା ଅଂଚଳରେ ବି ସମାନ ସ୍ଥିତି । ଲଗାଣ ବର୍ଷାରେ ପରିବା ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇନଥିଲେ ବି ଗଛ ଆଉ ବଢିବ କି ନାହିଁ ତାହା ସନ୍ଦେହରେ । ବର୍ଷା ମାଡରେ ଧୋଇଯାଇଛି ସବୁଜ ଫସଲ । ବିଲରେ ପାଣି ଜମି ପଚିଯାଇଛି ଗଛ ଫଳ ଧରିବ କି ନାହିଁ, ଚିନ୍ତାରେ ପଡିଯାଇଛି ଚାଷୀ । ଅଦିନିଆ ଲଗାଣ ବର୍ଷାରେ ପନି ପରିବା ଫସଲ ଉଜୁଡିଯାଇଥିବା ବେଳେ ସେପଟେ ଦର ଶହେ ମୁହାଁଇଲାଣି ।