• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନିଆଳୀ ( ବିନୟ ମିଶ୍ର) : ଶିକ୍ଷିତ ବେକାରୀଙ୍କ ପାଇଁ ପ୍ରକୃଷ୍ଟ ଉଦାହରଣ । ବାହାରକୁ ନଯାଇ ନିଜ ମାଟିରେ ଭଲ ପଇସା ରୋଜଗାର କରୁଛନ୍ତି ଯୁବକ । ଉତ୍କଟ ବେକାରୀ ସମସ୍ୟା ସମୟରେ ନିଜକୁ ଆତ୍ମନିର୍ଭରଶୀଳ କରି ଅନ୍ୟ ଯୁବକଙ୍କ ପାଇଁ ପ୍ରେରଣା ସାଜିଛନ୍ତି ସଂଗ୍ରାମ ଜିତ ହାତୀ । ଉଚ୍ଚ ଶିକ୍ଷିତ ହେଲାପରେ ଚାକିରୀ ନିଶାରେ ଯୁବଗୋଷ୍ଠୀ ନିଜ ଗାଁ ଭିଟାମାଟି ଛାଡି ଅନ୍ୟ ରାଜ୍ୟ ଓ ଦେଶକୁ ପଳାଉଛନ୍ତି । କିନ୍ତୁ ନିଜ ଗାଁ ମାଟିରେ ବି ରୋଜଗାରର ପନ୍ଥା ରହିଛି ସେ ସମ୍ପର୍କରେ କେହି ଚିନ୍ତା କରୁନାହାନ୍ତି ।

କଟକ ଜିଲ୍ଲା ନିଆଳୀ ବ୍ଲକ ସଡାଂଷ ପଞ୍ଚାୟତ ସୁନିନ୍ଦା ଦଣ୍ଡା ସାହିର ସଂଗ୍ରାମ ଜିତ ହାତୀ । ନିଜସ୍ୱ ଉଦ୍ୟମରେ କୁକୁଡା, ମାଛ ଓ କଦଳୀ ଚାଷ କରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ୧ ଏକର ଜମିରେ ସେ କୁକୁଡା, ମାଛ ଓ କଦଳୀ ଚାଷ କରି ମାସକୁ ୩୦ରୁ ୪୦ ହଜାର ଟଙ୍କା ରୋଜଗାର କରୁଛନ୍ତି । ପ୍ରଥମେ ସେ ନିଜେ ୧୫ ହଜାର ଟଙ୍କା ଖର୍ଚ୍ଚ କରି ବ୍ୟବସାୟ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ୭ ଲକ୍ଷ ଟଙ୍କା ସରକାରୀ ସହାୟତା ପାଇ ବ୍ୟବସାୟକୁ ଆଗକୁ ବଢ଼ାଇଛନ୍ତି ।

୩୧ ବର୍ଷିୟ ଯୁବକ ସଂଗ୍ରାମ ଜିତ୍ ୫ ବର୍ଷ ହେଲେ ଏହି ବ୍ୟବସାୟ ଆରମ୍ଭ କରିଛନ୍ତି । ଆଉ ନିଜ ବ୍ଲକ ଅଂଚଳରେ ଅନ୍ୟ ଯୁବକ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି । ବନରାଜ, କଡକନାଥ, ସୋନାଲି, କାବେରୀ ଡବଲ ଏଫ୍ ଜି ଆଦି ପ୍ରଜାତିର କୁକୁଡା ଓ କୁକୁଡା ଚିଆଁ ସହିତ ଅଣ୍ଡା, ମାଂସ, କଦଳୀ ଏବଂ ମାଛ ଜାଆଁଳ ଚାଷ ମଧ୍ୟ ଜାରି ରଖିଛନ୍ତି । ଅଣ୍ଡାରୁ ନିଜ ହାଚେରୀରେ(ଛୁଆ ଉତ୍ପାଦନ ମେସିନ)ଛିଆଁ ଫୁଟାଇ ବ୍ୟବସାୟ ବଢ଼ାଉଛନ୍ତି ଓ ଅନ୍ୟ ଚାଷୀଙ୍କୁ ଚିଆଁ ମଧ୍ୟ ବିକ୍ରି କରୁଛନ୍ତି । ୧ ହଜାର କାପାସିଟିର ପୌଲଟ୍ରି ଫାର୍ମ କରିଛନ୍ତି, ଯେଉଁଥିରୁ ଦୈଦିକ ଅଣ୍ଡା ଉତ୍ପାଦନ ହେଉଛି ।

ବ୍ୟବସାୟ ଆରମ୍ଭ କରିବା ସମୟରେ ସାଙ୍ଗସାଥି ଓ ଗାଁ ଲୋକ ସଂଗ୍ରାମଙ୍କୁ ଟାହି ଟାପରା କରୁଥିଲେ । ହେଲେ ଆଜି ତାଙ୍କ ପରିଶ୍ରମ ଓ ସଫଳତା ସମସ୍ତଙ୍କୁ ପାଲଟା ଯବାବ୍ ଦେଇଛି । ତାଙ୍କଠାରୁ କୁକୁଡା ଚାଷ ଶିଖି ଅନେକ କୁକୁଡା ଚାଷ ଆରମ୍ଭ କରିଛନ୍ତି । ସରକାରୀ ସ୍ଥରରେ ବେକାର ଯୁବକମାନଙ୍କୁ ସହାୟତା ପ୍ରଦାନ କଲେ ଦାଦନ ରୋକାଯାଇ ପାରନ୍ତା ଏବଂ ଯୁବକମାନେ ଆତ୍ମନିର୍ଭରଶୀଳ ହୋଇ ପାରନ୍ତେ ବୋଲି ସେ କହିଛନ୍ତି ।