• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସୋର (ନିରଞ୍ଜନ ବେହେରା) : ଘରେ ରୋଗୀଣା ମା’ । ବାପା ଥିବାବେଳେ ଦଉଡ଼ି ଦଉଡ଼ି ଥକିଗଲେ । ଘର ଖଣ୍ଡିଏ ପାଇଁ ବାପା ବିଡିଓଙ୍କ ଗୋଡ଼ ତଳେ ବି ପଡ଼ି ଯାଇଥିଲେ । ଚାରିଆଡ଼େ ବୁଲି ବୁଲି ଗୁହାରୀ କଲେ ସୁଦ୍ଧା କେହି ଶୁଣିଲେନି , ଶେଷରେ ତାଙ୍କର କ୍ୟାନସରରେ ଦେହାନ୍ତ ହୋଇଗଲା । ମୋତେ ଏବେ ୨୨ ବର୍ଷ । ବାପାଙ୍କ ପରେ ମୁଁ ବି ଦଉଡ଼ୁଛି । ମନ୍ତ୍ରୀ ଠାରୁ ନେତା ହଁ ବୁଝିବା, ହଁ ବୁଝିବା କହୁଛନ୍ତି । ହେଲେ ଶୁଣୁନାହାନ୍ତି । ମୁଣ୍ଡ ଉପରେ ଚାରି ପାଞ୍ଚ ଲକ୍ଷ ଟଙ୍କାର ଋଣ ବୋଝ । ମୁଁ ମୋ ନିଜକୁ ପୋଷି ପାରୁନି । ଘର ଚଳିବ କେମିତି । ବିଡିଓ ସାର ଲିଖିତ ପ୍ରତିଶ୍ରୁତି ନଦେଲେ ଆତ୍ମାହୁତି ଚେତାବନୀ ଦେଲେ ଦିବ୍ୟାଙ୍ଗ ଯୁବକ ।

ସରକାର ଗ୍ରାମାଞ୍ଚଳରେ ବିକାଶ ପାଇଁ ଅନେକ ଯୋଜନା କରୁଛନ୍ତି l କିନ୍ତୁ ଜଣେ ଦିବ୍ୟାଙ୍ଗ ଘର ଖଣ୍ଡିଏ ପାଇଁ ବାରମ୍ବାର ବ୍ଲକ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ନିକଟକୁ ଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ l ତେଣୁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ ସମୟରେ ସେ ଆତ୍ମାହୁତି ଦେବେ ବୋଲି କହିଛନ୍ତି । ତେଣୁ ଖଇରା ବିଡ଼ିଓ ତାଙ୍କ ସହିତ ଫୋନ ମାଧ୍ୟମରେ ଆଲୋଚନା କରିଛନ୍ତି l

ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଝିଙ୍କିରିଆ ପଞ୍ଚାୟତ ଭୋଗପୁର ଶାସନ ଗାଁର ମୃତ୍ୟୁଞ୍ଜୟ ଉପାଧ୍ୟାୟ l ସେ ଜଣେ ଦିବ୍ୟାଙ୍ଗ । ପାଠ ପଢ଼ିଛନ୍ତି, ଦିବ୍ୟାଙ୍ଗ ହେଲେ ସୁଦ୍ଧା ଚାକିରି ମିଳିନି । ତାଙ୍କର ଘରର ଅବସ୍ଥା ଅତ୍ୟନ୍ତ ଶୋଚନୀୟ l ଘର କାନ୍ଥରେ ଶାଢ଼ୀ ଟାଙ୍ଗି ରହିଛନ୍ତି l ତାଙ୍କର ବାପା ୧ ମାସ ପୂର୍ବରୁ କ୍ୟାନ୍ସରରେ ଆରପାରିକୁ ଚାଲିଗଲେ l ଆଉ ଏବେ ପରିବାର ଲୋକ ଦୁଃଖ ଦୁର୍ଦ୍ଦଶାରେ ଗତି କରୁଛନ୍ତି l ମୃତ୍ୟୁଞ୍ଜୟ ବାପାଙ୍କୁ ଭଲ କରିବା ପାଇଁ ଗାଁରୁ ଧାର ଉଧାର କରି ୫ ଲକ୍ଷ ଟଙ୍କା ସାରିଥିଲେ ବି ତାଙ୍କୁ ବଞ୍ଚାଇ ପାରିନଥିଲେ l ତେଣୁ ଏବେ ସେ ଧାର ଉଧାରରେ ବୁଡି ରହିଛନ୍ତି l ଆଉ ମାଆ ମାଳତୀ ଉପାଧ୍ୟାୟ ମଧ୍ୟ ରୋଗୀଣା ।

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିବା ପାଇଁ ବାଲେଶ୍ୱର ଆସୁଛନ୍ତି l ତେଣୁ ସେ ନିଜର ଦୁଃଖ କଥା ପୁଣି ଥରେ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଜଣାଇଛନ୍ତି l ଯଦି ସେ ନ ବୁଝନ୍ତି ତେବେ ସେ ଓ ତାଙ୍କର ରୋଗୀଣା ମା ମିଶି ଆତ୍ମହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି l ତେଣୁ ଏହି ବାବଦରେ ଜିଲ୍ଲାପାଳ ଖଇରା ବିଡ଼ିଓଙ୍କୁ ଜଣାଇବା ପରେ ସଙ୍ଗେ ସଙ୍ଗେ ବିଡ଼ିଓ ମୃତ୍ୟୁଞ୍ଜୟଙ୍କୁ ଫୋନରେ ଯୋଗାଯୋଗ କରିଛନ୍ତି l

ତୁରନ୍ତ ଘର ଓ ଚାକିରୀ ଖଣ୍ଡିଏ ଦେବାକୁ ଅନୁରୋଧ କରିଛନ୍ତି ମୃତ୍ୟୁଞ୍ଜୟ l ଯାହାଫଳରେ ବାପାଙ୍କ ପାଇଁ ଧାର କରିଥିବା ଟଙ୍କା ଶୁଝିପାରିବେ l ଏନେଇ ଆମେ ଖଇରା ବିଡ଼ିଓଙ୍କୁ ଯୋଗାଯୋଗ କରିବା ପରେ ମୃତ୍ୟୁଞ୍ଜୟଙ୍କର ଅସୁବିଧା ବାବଦରେ ବୁଝିବାକୁ କହିଥିଲେ l ତେବେ ପ୍ରଶାସନ ମୃତ୍ୟୁଞ୍ଜୟଙ୍କର ଦୁଃଖ କେବେ ଶୁଣୁଛନ୍ତି ତାକୁ ହିଁ ଅପେକ୍ଷା l