• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ପ୍ରବଳ ପ୍ରତାପୀ କଂସର ବିଳାପରେ ଦିନେ କମ୍ପୁଥିଲା ବରଗଡ଼ର ମୁକ୍ତାକାଶ ରଙ୍ଗମଞ୍ଚ । ବିକଟାଳ ହସରେ ଥରହର ହେଉଥିଲା ମଥୁରା ନଗରୀ । କିନ୍ତୁ କରୋନା ଗ୍ରାସିବା ପରଠୁ ତାଲାବନ୍ଦ ବରଗଡ଼ ଧନୁଯାତ୍ରାରେ । ତେବେ ରାଜ୍ୟ ସରକାରଙ୍କ ନୂଆ ଗାଇଡ୍‌ଲାଇନ୍ ଆସିବା ପରେ ଏବେ ଚର୍ଚ୍ଚାରେ ବରଗଡ଼ର ଧନୁଯାତ୍ରା । ସତରେ କଣ ଏଥର ଶୁଣିବାକୁ ମିଳିବ କଂସର ଅଟହାସ୍ୟ ? ଦେଖିବାକୁ ମିଳିବ କୃଷ୍ଣ ବଳରାମଙ୍କ ହାତରେ କଂସ ବଧର ସେହି ରୋଚକ ଦୃଶ୍ୟ ?

ଏଭଳି ନାନା ଶଙ୍କା ଓ ଦ୍ୱନ୍ଦ୍ୱରେ ସମସ୍ତେ । କାରଣ ଖୋଲାମଞ୍ଚ ପାଇଁ ୨ ହଜାର ଦର୍ଶକଙ୍କୁ ନେଇ ଆୟୋଜନ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ଏଭଳି ସ୍ଥିତିରେ ଶତାଧିକ କଳାକାର ଏବଂ ଲକ୍ଷ ଲକ୍ଷ ଦର୍ଶକଙ୍କୁ ନେଇ କେମିତି ଆୟୋଜନ ହେବ ବରଗଡ଼ ଧନୁଯାତ୍ରା ? ମନରେ ଏଭଳି ଆଶଙ୍କା ରଖି ଡିସେମ୍ବର ଗାଇଡଲାଇନ୍‌ରେ କୋହଳ କରିବା ସହ ଜିଲ୍ଲା ପ୍ରଶାସନ ଏକ ବୈଠକ ଡାକି ଆଲୋଚନା କରିବା ପାଇଁ ନିବେଦନ କରାଯାଇଥିବା କହିଛି ଧନୁଯାତ୍ରା କମିଟି ।

ଯାତ୍ରା, ଅର୍କେଷ୍ଟ୍ରା, ଖୋଲାମଞ୍ଚ ଆଦିରେ କଳା ପରିବେଷଣ ପାଇଁ ନୂଆ ଗାଇଡଲାଇନ୍ସରେ ରାଜ୍ୟ ସରକାରଙ୍କ ଅନୁମତି ପରେ ଏବେ କଳାକାରଙ୍କ ମନରେ ଉତ୍ସାହ ଫେରିଛି ସତ । ପ୍ରସ୍ତୁତି ବି ଆରମ୍ଭ ହୋଇଛି, ସରଞ୍ଜାମକୁ ସଜ କରାଯାଉଛି । ହେଲେ ମନରେ କିନ୍ତୁ ଖୁସି କମ୍, ଦ୍ୱନ୍ଦ୍ୱ ବେଶୀ । ଏବେ ଅଫ୍ ସିଜନ୍ ଥିବା ବେଳେ ଦୀର୍ଘ ୨୦ ମାସ ଧରି ବନ୍ଦ ଥିବା ଅର୍କେଷ୍ଟ୍ରା ଏବଂ ମେଲୋଡି ପାର୍ଟି ଗୁଡ଼ିକ ଦ୍ୱାରା ଷ୍ଟେଜ୍‌ରେ ସୋ ଆୟୋଜନ କରିବା ସମ୍ଭବ ନୁହେଁ । ଇତିମଧ୍ୟରେ କାହା ବାଦ୍ୟଯନ୍ତ୍ର ନଷ୍ଟ ହୋଇଗଲାଣି ତ ଆଉ କାହାର ରିଆଜ୍ ବନ୍ଦ ହୋଇଯାଇଥିବାରୁ ବିଗିଡ଼ି ଯାଇଛି ତାଳ, ଲୟ, ସୂର ।

ଏପଟେ ସିନେମା ହଲ୍ ମାଲିକଙ୍କୁ ଘାରିଛି ଚିନ୍ତା । ୨ ମାସ ପୂର୍ବରୁ ସିଟିଂ କାପାସିଟି ଅନୁସାରେ ଦର୍ଶକ ସିନେମା ହଲକୁ ଯାଇପାରିବେ ବୋଲି ଗାଇଡଲାଇନ୍ ଜାରି କରିଥିଲେ ରାଜ୍ୟ ସରକାର । ସେତେବେଳେ ହାତରେ ନଥିଲା ବଡ଼ ଫିଲ୍ମ । ଆଗକୁ ନାମୀଦାମୀ ଷ୍ଟାରଙ୍କ ସିନେମା ଆସିବାକୁ ଯାଉଥିବାରୁ ସିନେମା ହଲ୍ ମାଲିକଙ୍କ ଆଶା ଥିଲା ୨ ବର୍ଷର କ୍ଷତି ଭରଣା ହୋଇଯିବ । କିନ୍ତୁ ଏବେ ରାଜ୍ୟ ସରକାର ୫୦% ଦର୍ଶକଙ୍କୁ ନେଇ ହଲ୍ ଚଲାଇବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ଅଥଚ GST ଏବଂ ବିଦ୍ୟୁତ୍‌ ବିଲ୍ ଛାଡ଼ କରିନାହାଁନ୍ତି । ତେଣୁ କେମିତି ଚାଲିବ ହଲ୍, ତାକୁ ନେଇ ଚିନ୍ତାରେ ସିନେମା ହଲ୍ କର୍ତ୍ତୃପକ୍ଷ ।