• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଗଦା ହୋଇ ରହିଛି ସାନିଟାରୀ ନାପକିନ୍ ।

  • ଶହେ କି ହଜାର ନୁହେଁ, ଲକ୍ଷାଧିକ ନାପକିନ୍‌ ।

  • ମାସ କି ଦୁଇ ମାସ ନୁହେଁ, ବର୍ଷେ ହେଲାଣି ପଡି ରହିଛି ସାନିଟାରୀ ନାପ୍‌କିନ୍‌ ।

ଭଦ୍ରକ: ଗଦା ହୋଇ ରହିଛି ସାନିଟାରୀ ନାପକିନ୍ । ଶହେ କି ହଜାର ନୁହେଁ, ଲକ୍ଷାଧିକ ନାପକିନ୍‌ । ମାସ କି ଦୁଇ ମାସ ନୁହେଁ, ବର୍ଷେ ହେଲାଣି ପଡି ରହିଛି ସାନିଟାରୀ ନାପ୍‌କିନ୍‌ । ବାସୁଦେବପୁର ନୋଡାଲ ସେଣ୍ଟରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏହି ନୋଡାଲ ସେଣ୍ଟରରୁ ବ୍ଳକର ସବୁ ସ୍କୁଲ ଓ କଲେଜକୁ ନାପକିନ୍ ଯୋଗାଇ ଦେବାକୁ ଯୋଜନା ହୋଇଥିଲା । ହେଲେ ଗତ ବର୍ଷେ ହେବ ନାପ୍‌କିନ୍‌ ଏଠାକୁ ଆସିଥିଲେ ମଧ୍ୟ କାହାକୁ ବଣ୍ଟାଯାଇ ନାହିଁ । ସେମିତି ବନ୍ଦ ଘରେ ପଡି ରହିଛି ।

ନୋଡାଲ ସେଣ୍ଟରରୁ ଶେଷଥର ପାଇଁ ଜୁଲାଇ ୨୦୨୦ରେ ସ୍କୁଲ ଗୁଡିକୁ ନାପକିନ୍ ବଣ୍ଟା ଯାଇଥିଲା । ଆଉ ଲକ୍ଷେ ୪୦ ଖଣ୍ଡ ବଣ୍ଟା ହୋଇନପାରି ରହି ଯାଇଥିଲା । ଏହାପରେ ଚଳିତ ବର୍ଷ ଜାନୁଆରୀ ଓ ଫେବୃୟାରୀରେ ଦୁଇଟି ପର୍ଯ୍ୟାୟରେ ପୁଣି ଆସିଥିଲା ୭ଲକ୍ଷ ୮୧ହଜାର ନାପ୍‌କିନ୍ । ଆଉ ଏହି ସବୁ ନାପ୍‌କିନ୍‌ ଏବେ ବାଳିକା ଉଚ୍ଚ ବିଦ୍ୟାଳୟ ତଥା ନୋଡାଲ ସେଣ୍ଟରରେ ବଣ୍ଟା ନଯାଇ ଗଦା ହୋଇ ରହିଛି । ପାଖାପାଖି ୯ ଲକ୍ଷରୁ ଅଧିକ ନାପକିନ୍ ଏଠାରେ ଷ୍ଟକ୍‌ ଥିବା ଜଣାପଡ଼ିଛି । ବଡ କଥା ହେଉଛି, ଏସବୁକୁ ବାଣ୍ଟିବା ପାଇଁ କାହାରି ତତ୍ପରତା ଦେଖା ଯାଉନାହିଁ । ବରଂ ପରସ୍ପରକୁ ଦୋଷ ଦେଇ ନିଜ ମୁଣ୍ଡରୁ ଦାୟିତ୍ୱ ଖସାଇବାକୁ ଚାହୁଛନ୍ତି ।

ଏଭଳି ସମାନ ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଉଦଳାରେ ଜୁଆଲିଆ ପ୍ରାଥମିକ ବିଦ୍ୟାଳୟରେ । ଏଠାରେ ମଧ୍ୟ ପଡି ରହିଛି ଶହ ଶହ ସାନିଟାରି ନାପକିନ୍ । ଦୀର୍ଘଦିନ ହେବ ଏହା ବଂଟା ନହୋଇ ପକାଇ ରଖାଯାଇଥିବାରୁ ଛାତ୍ରୀମାନେ ଏବେ ଏହାକୁ ଗ୍ରହଣ କରିବାକୁ ଆଗ୍ରହ ଦେଖାଉ ନାହାନ୍ତି । ଏପରିକି ସରକାରଙ୍କ ଏହି ମାଗଣା ନାପକିନ୍ ବ୍ୟବହାର ଯୋଗ୍ୟ ନୁହେଁ ବୋଲି ମଧ୍ୟ ବିଭିନ୍ନ ସ୍ଥାନରୁ ଅଭିଯୋଗ ସାମ୍ନାକୁ ଆସିଛି । ଏହି ନାପ୍‌କିନ୍‌ ଅତି ନିମ୍ନମାନର ଏବଂ ବ୍ୟାକ୍ଟେରିଆ ମୁକ୍ତ ନୁହେଁ ବୋଲି ଅନେକ ଅଭିଯୋଗ କରିଛନ୍ତି ।