• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • କୁକୁର ଦଳ ଓ ମୋଚିରାମଙ୍କ ମଧ୍ୟରେ ଅନାବିଳ ସମ୍ପର୍କ

  • ନିଜ ପେଟରୁ କାଟି ବୁଲା କୁକୁରଙ୍କୁ ଖାଇବାକୁ ଦିଅନ୍ତି

  • କୁକୁର ପ୍ରେମରେ ମୋଚିରାମ

ଆସିକା (ମନୋଜ ମୁନୀ): ମଣିଷ ଓ ପଶୁ ମଧ୍ୟରେ ଅନାବିଳ ସମ୍ପର୍କ । ସ୍ନେହ,ଦୟା ଓ ପ୍ରେମରେ ବନ୍ଧା ପଡ଼ିଛନ୍ତି ବୁଲା କୁକୁର । ମୋଚିରାମ ଓ ବୁଲା କୁକୁରଙ୍କ ଏପରି ଏକ ନିଆରା କାହାଣୀ । ବସିଲେ କି ଉଠିଲେ କିମ୍ବା ଯୁଆଡେ ଗଲେ ଆପଣାର ଲୋକ ପଛରେ ଦଳ ଦଳ ହୋଇ ଦୌଡ଼ନ୍ତି କୁକୁର । ପ୍ରତିଦିନ କୁକୁର ଦଳ ତାଙ୍କ ବାଟ ଚାହିଁ ବସିଥାଆନ୍ତି । ରାସ୍ତା କଡର ତଥା ଯିଏ ଯେଉଁ ଗଳିରେ ଥାଆନ୍ତୁ ନା କାହିଁକି ମୋଚିରାମ ଆସିବା କ୍ଷଣି ତାଙ୍କରି ପାଖରେ ରୁଣ୍ଡ ହୋଇ ଯାଆନ୍ତି । ନିଜର ପେଟକୁ କାଟି ସେ କୁକୁରଙ୍କୁ ଖାଇବାକୁ ଦିଅନ୍ତି । କରୋନା ସମୟରେ ଲୋକଙ୍କୁ ଖାଇବାକୁ ମିଳୁ ନଥିବା ବେଳେ ମୋଚିରାମ ବୁଲା କୁକୁରଙ୍କ ପେଟକୁ ଚିହ୍ନୁଛନ୍ତି । ତେଣୁ ପଶୁ ହେଲେବି ସେମାନେ ତାଙ୍କ ସ୍ନେହ ଓ ପ୍ରେମକୁ ବିଝି ପାରୁଛନ୍ତି ।

ଆସିକା ଧରାକୋଟ ହରିଜନ ସାହିର ମୋଚିରାମ ନାୟକ । ବୟସ ୪୦ ଡେଇଁଲାଣି । ମୂଲ ଲାଗିଲେ ତାଙ୍କ ପରିବାର ଚଳେ । ଆର୍ଥିକ ସ୍ଥିତି ଭଲ ନଥିଲେ ସୁଦ୍ଧା ସେ କୁକୁରଙ୍କୁ ପ୍ରତିଦିନ ଖାଇବାକୁ ଦିଅନ୍ତି । ମୋଚିରାମଙ୍କୁ ଦେଖିବା ମାତ୍ରେ ଧରାକୋଟ ବଡଦାଣ୍ଡର ଗୁଣ୍ଡିଚା ମନ୍ଦିର ଛକ, ମାଉସୀ ମା ମନ୍ଦିର ଛକ, ବଜାର ଛକ ଏଭଳି ସବୁ ସ୍ଥାନରେ କୁକୁର ପଛରେ ଗୋଡ଼ାନ୍ତି । କେତେବେଳେ ତାଙ୍କ ଗାଡିକୁ ଅଟକାନ୍ତି ତ ଆଉ କେତେବେଳେ ଉପରେ ଚଢିଯାଆନ୍ତି । ମୋଚିରାମ୍ ବି ସେମାନଙ୍କୁ କମ ସ୍ନେହ କରନ୍ତିନି । ସେମାନଙ୍କ ପିଠିକୁ ସ୍ନେହରେ ଥାପୁଡ଼ାଇ ଦିଅନ୍ତି । ଆଉଁସି ଦିଅନ୍ତି, ଗେଲ ବି କରନ୍ତି । ବେଳ ବେଳେ ଏମାନେ ଅବୁଝା ହେଲେ ଚାବି ଦିଆ କଣ୍ଢେଇ ଭଳି କାନ ମଧ୍ୟ ମୋଡି ପକାନ୍ତି। ସ୍ନେହରେ ବିସ୍କୁଟ ଖୁଆଇ ଦିଅନ୍ତି । ଆଉ ଆଦରର ଭାଷାରେ ବାଙ୍ଗିରି, ପାଣ୍ଡା,ପାଣ୍ଡି,ମଲ୍ଲୀ, ରବି ବୋଲି କହାକୁ କେମିତି କେତେ କେତେ ନାଁରେ ଡାକନ୍ତି।

ବୁଲା କୁକୁର ପ୍ରତି ମୋଚିରାମଙ୍କ ସ୍ନେହକୁ ଦେଖିଲେ ଲାଗିବ ସତେ ଯେମିତ ସେମାନଙ୍କ ସହ ତାଙ୍କରି ଜନ୍ମ ଜନ୍ମର ସମ୍ପର୍କ । ଦିନେ କିମ୍ବା ଓଳିଏର କଥା ନୁହେଁ, ବହୁ ବର୍ଷ ହେଲା ମୋଚିରାମଙ୍କ ସହ କୁକୁର ଦଳର ଏହି ବନ୍ଧୁତା । ମଣିଷର ସବୁଠାରୁ ବିଶ୍ୱାସଯୋଗ୍ୟ ବନ୍ଧୁ ହେଉଛି କୁକୁର । ତେଣୁ ସେମାନେ ମୋ ଭାଇ,ବନ୍ଧୁ ଓ କୁଟୁମ୍ବ ବୋଲି କୁହଁନ୍ତି ମୋଚିରାମ । ମଣିଷ ଧୋକାବାଜ ହୋଇପାରେ,କିନ୍ତୁ କୁକୁର ନୁହଁ । ସବୁଠାରୁ ବଡ଼ କଥା ହେଲା ପାଖରେ ପଇସା ନଥିଲେ ମଧ୍ୟ କାହାଠୁ ବାକି କରି ଆଣି କୁକୁରଙ୍କୁ ମଧ୍ୟ ଖାଇବାକୁ ଦିଅନ୍ତି । ନିଆରା ମଣିଷର ପଶୁପ୍ରେମ ଦେଖି ମୋଚିରାମଙ୍କ ଭୁରି ଭୁରି ପ୍ରଶଂସା କରନ୍ତି ଲୋକେ ।