• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ରାଜଧାନୀରେ ଗର୍ଜିଲା ଡ୍ରାଇଭର ମହାସଂଘ ।

  • ୧୦ ଦଫା ଦାବି ନେଇ ସଂଘର ରଣହୁଙ୍କାର ।

  • ଷ୍ଟିଅରିଂ ଛାଡ୍ ଆନ୍ଦୋଳନ ପାଇଁ ଚେତାବନୀ ।

ଭୁବନେଶ୍ୱର: ୧୦ ଦଫା ଦାବି ନେଇ ରାଜଧାନୀରେ ରାଜ୍ୟ ଡ୍ରାଇଭର ମହାସଂଘର ରଣହୁଙ୍କାର । ବିିଭିନ୍ନ ଜିଲ୍ଲାରୁ ଆସିଥିବା ହଜାର ହଜାର ଡ୍ରାଇଭର ଆଜି ଶାନ୍ତି ପଦଯାତ୍ରା ସହ ବଡ଼ ଧରଣର ଆନ୍ଦୋଳନ କରି ନିଜ ସମସ୍ୟା ଓ ଦାବି ସଂପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏପଟେ ସରକାର ସଂଘ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିଛି ଡ୍ରାଇଭର ମହାସଂଘ ।

ସମ୍ମାନ, ସୁରକ୍ଷା, ଅଧିକାର । ଏ ୩ ପ୍ରସଙ୍ଗରେ ୧୦ ଦଫା ଦାବି ନେଇ ରାଜ୍ୟ ଡ୍ରାଇଭର ମହାସଂଘର ବିଶାଳ ରାଲି । ସମୟ ସକାଳ ୬ଟା ଦେହରେ ଖାକି, ହାତରେ ଲାଠି, ପଳାଶୁଣି ଛକରେ ରୁଣ୍ଡ ହୋଇଥିଲେ ହଜାର ହଜାର ଡ୍ରାଇଭର । ସେଇଠୁ ନବୀନ ନିବାସ ଅଭିମୁଖେ ଶୋଭାଯାତ୍ରା ପାଇଁ ଆରମ୍ଭ ହୋଇଥିଲା ପ୍ରସ୍ତୁତି । ଏପଟେ ଜାତୀୟ ରାଜପଥ ଉପରେ ଏତେ ସଂଖ୍ୟାରେ ଆନ୍ଦୋଲନକାରୀ ଦେଖି ଅପ୍ରସ୍ତୁତ ହୋଇପଡ଼ିଥିଲା ପୋଲିସ । ୭ଟା ବେଳକୁ ରସୁଲଗଡ଼, ବାଣୀବିହାର ଦେଇ ମାଷ୍ଟର କ୍ୟାଣ୍ଟିନ୍ ଆଡ଼କୁ ଝଡ଼ ଭଳି ମାଡ଼ି ଆସିଥିଲେ ହଜାର ହଜାର ସଂଖ୍ୟାରେ ଡ୍ରାଇଭର ।

ଏତେବଡ଼ ରାଲି ଆଉ ଏତେ ସଂଖ୍ୟାକ ଆନ୍ଦୋଳନକାରୀଙ୍କ ଯୋଗୁ ବିପର୍ଯ୍ୟସ୍ତ ହୋଇପଡ଼ିଥିଲା ସ୍ମାର୍ଟସିଟିର ଟ୍ରାଫିକ ବ୍ୟବସ୍ଥା । ତେଣୁ ବାଧ୍ୟ ହୋଇ ଜନପଥ ରୋଡ୍‌କୁ ଘଣ୍ଟା ଘଣ୍ଟା ଧରି ଡାଇଭର୍ଟ କରାଯାଇଥିଲା । ଏପଟେ ମାଷ୍ଟରକ୍ୟାଣ୍ଟିନରରେ ପହଞ୍ଚିବା ପରେ ନବୀନ ନିବାସ ନିଷ୍ପତ୍ତି ବଦଳାଇ ବିଧାନସଭା ଆଡ଼କୁ ମାଡ଼ି ଚାଲିଥିଲେ ଆନ୍ଦୋଳନକାରୀ ଡ୍ରାଇଭର । ତେବେ ପୋଲିସ ଆଲୋଚନା ପାଇଁ ଆଶ୍ୱାସନା ଦେବାରୁ ସେହି ଲୋୟର ପିଏମଜି ରାସ୍ତାରେ ବସି ନିଜ ଦାବି ପୂରଣ ପାଇଁ ନାରା ଦେଇଥିଲେ ।

ଡ୍ରାଇଭରଙ୍କ ରଣହୁଙ୍କାରରେ ପିଏମଜି କମ୍ପୁଥିବା ବେଳେ ସଂଘର ୫ ଜଣିଆ ପ୍ରତିନିଧି ଦଳ ସରକାରଙ୍କ ସହ ଆଲୋଚନା କରିଥିଲେ । ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ସାଂସଦ ସୁବାସ ସିଂ ସଂଘ ପ୍ରତିନିଧିଙ୍କ ସହ କଥାବାର୍ତ୍ତା କରିଥିଲେ । ୨୦ ଲକ୍ଷ ଟଙ୍କାର ଜୀବନ ବୀମା, ୧୦ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ଓ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ସହ ସେମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ଦେବା ଲାଗି ସଂଘ ଦାବି କରିଥିଲା । ୫୫ ବର୍ଷ ପରେ ପେନସନ୍, ଆବାସ ଯୋଜନାରେ ୫ ଲକ୍ଷ ଟଙ୍କା ଏବଂ ପିଲାଙ୍କ ଉଚ୍ଚଶିକ୍ଷା, ଡ୍ୟୁଟି ସମୟ ନିର୍ଧାରଣ, କାମ ଅନୁସାରେ ଦରମା ଦେବା ଲାଗି ସଂଘ ପକ୍ଷରୁ ଦାବି ରଖାଯାଇଥିଲା । କିଛି ଦାବି ପୂରଣ ପାଇଁ ପରେ ଆଲୋଚନା ଲାଗି ସରକାର ପ୍ରତିଶ୍ରୁତି ଦେଇଥିବାରୁ ଆନ୍ଦୋଳନକୁ ସ୍ଥଗିତ ରଖାଗଲା ବୋଲି ମହାସଂଘ ସଭାପତି ସୂଚନା ଦେଇଛନ୍ତି ।

ରାଜ୍ୟ ଡ୍ରାଇଭର ମହାସଂଘର ଦାବି ସମ୍ପର୍କରେ ଆସନ୍ତା ୧୬ ତାରିଖରେ ପରିବହନ ମନ୍ତ୍ରୀ, ପୋଲିସ ଡିଜିଙ୍କୁ ନେଇ ଆଲୋଚନା ଏବଂ ପରେ ୨୦ ତାରିଖ ସୁଦ୍ଧା ଆଉ ଏକ ବୈଠକ ବସି ବିଚାର କରାଯିବ ବୋଲି ସରକାର ପ୍ରତିଶ୍ରୁତି ଦେଇଛନ୍ତି । ସେପଟେ ଦାବି ପୂରଣ ନେହେଲେ ଆଗକୁ ଷ୍ଟିଂଅରି ଛାଡ଼ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛି ଡ୍ରାଇଭର ମହାସଂଘ ।