• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଢ଼େଙ୍କାନାଳ( ରାଜଶ୍ରୀ ଶତପଥୀ) : ଇ ସାଇକେଲରେ ପରିଣତ ହେଲା ସାଧାରଣ ସାଇକେଲ । ବିନା ପେଡାଲରେ ସାଇଁ ସାଇଁ ଗଡ଼ୁଛି । ବାଟ ଦେଖାଇଲା ୟୁଟ୍ୟୁବ୍ । ଦୃଢ଼ ଇଚ୍ଛା ଶକ୍ତି ବଳରେ ସାଧାରଣ ସାଇକେଲକୁ ନୂଆ ରୂପ ଦେଲେ ୧୬ ବର୍ଷୀୟ ବାଳକ । ମାତ୍ର ତିନି ଦିନରେ ଏକ ନିଜ ସାଇକେଲକୁ ବ୍ୟାଟେରୀ ଚାଳିତ ଦୁଇ ଚକିଆ ଯାନରେ ରୂପାନ୍ତରିତ କରି ଏବେ ଚର୍ଚ୍ଚାରେ ଢେଙ୍କାନାଳର ସିଦ୍ଧାର୍ଥ । ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିରୁ ରକ୍ଷା ପାଇବା ସହ ପ୍ରଦୂଷଣ ରୋକିବା ଦିଗରେ ତାଙ୍କର ଏଭଳି ପ୍ରୟାସ ପାଇଁ ସବୁଆଡୁ ପ୍ରଶଂସାର ଛୁଅ ଛୁଟୁଛି ।

ଢେଙ୍କାନାଳର ସିଦ୍ଧାର୍ଥ ପ୍ରସାଦ ଦାସ । ବୟସ ମାତ୍ର ୧୬ ବର୍ଷ । ସିଦ୍ଧାର୍ଥ ଗତବର୍ଷ ମ୍ୟାଟ୍ରିକ ପରୀକ୍ଷା ଦେଇସାରିବା ପରେ ମହାମାରୀ କରୋନା ପାଇଁ ଘରେ ବସି ବସି ବିରକ୍ତ ହେଉଥିଲେ । କିଛି କରିବା ପାଇଁ ଚିନ୍ତା କରିଥିଲେ । ଆଉ ଏହି ସମୟରେ ସେ ତାଙ୍କ ସାଧାରଣ ସାଇକେଲଟିକୁ କିପରି ବ୍ୟାଟେରୀ ଚାଳିତ ସାଇକେଲରେ ରୂପାନ୍ତରିତ କରିବେ ସେନେଇ ପ୍ରୟାସ ଆରମ୍ଭ କରିଥିଲେ । ପିଲାଦିନୁ ସିଦ୍ଧାର୍ଥଙ୍କର ସାଇକେଲ ପ୍ରତି ଥିଲା ଅହେତୁକ ଦୁର୍ବଳତା । ପ୍ରଥମେ ୟୁଟ୍ୟୁବରୁ ଦେଖିବା ପରେ ଏଥିପ୍ରତି ତାଙ୍କର ବଢିଥିଲା ଆଗ୍ରହ ।

 

ସାଇକେଲକୁ ଇ ସାଇକେଲରେ ରୂପାନ୍ତରିତ ପାଇଁ ସେ ଏଥିରେ ୩୬ ଭୋଲ୍ଟ ବ୍ୟାଟେରୀ , କଣ୍ଟ୍ରୋଲର , ଇଲେକ୍ଟ୍ରିକ ମୋଟର , ଓ କନଭଟର ଆଦି ଲଗାଇଛନ୍ତି । ସବୁଠାରୁ ବଡ କଥା ହେଉଛି ଏଥିପାଇଁ ତାଙ୍କୁ ମାତ୍ର ତିନି ଦିନ ସମୟ ଲାଗିଥିଲା । ଏହି ସାଇକେଲ୍ ତିଆରି ପାଇଁ ତାଙ୍କୁ ୧୫ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା । ପରେ ସେ ଏହାକୁ ଇଣ୍ଡିଆ ବୁକ ଅଫ ରେକର୍ଡ ପାଇଁ ଆବେଦନ କରିଥିଲେ । ତାଙ୍କର ଏଭଳି ପ୍ରଚେଷ୍ଟା ପାଇଁ ସେ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ମଧ୍ୟ ପାଇଛନ୍ତି । ସିଦ୍ଧାର୍ଥଙ୍କ ଏଭଳି ସଫଳତା ପାଇଁ ସାଙ୍ଗସାଥିଙ୍କ ଠାରୁ ପରିବାର ଲୋକଙ୍କ ଖୁସି କହିଲେ ନସରେ ।

ସିଦ୍ଧାର୍ଥଙ୍କର ଏହି ବ୍ୟାଟେରୀ ଚାଳିତ ସାଇକେଲଟି ଥରେ ଚାର୍ଜ ହେବା ପାଇଁ ତିନି ଘଣ୍ଟା ସମୟ ନେଉଛି । ଆଉ ଥରେ ଚାର୍ଜ ହେଲେ ସାଇକେଲଟି ୩୦ ରୁ ୩୫ କିଲୋମିଟର ଚାଲୁଛି । କେବଳ ବ୍ୟାଚେରୀ ଚାଳିତ ସାଇକେଲ ନୁହେଁ କାଗଜ, ପଟି , ସୋଲ ମାଧ୍ୟମରେ ଏହି ଷୋହଳ ବର୍ଷୀୟ ବାଳକ ତିଆରି କରୁଛନ୍ତି ଜଗନ୍ନାଥଙ୍କ ମୁର୍ତ୍ତି ଓ କୁନି ରଥ । ନିଜ ହାତରେ ତିଆରି କରିଥିବା ଜଗନ୍ନାଥ ,ବଳଭଦ୍ର ଓ ସୁଭଦ୍ରାଙ୍କ ମୂର୍ତ୍ତି ଘରେ ରଖି ପୂଜା କରୁଛନ୍ତି । ସବୁବେଳେ ନୂଆ କିଛି କରିବାର ପ୍ରୟାସ ପାଇଁ ସେ ଜଣେ ଅସାଧାରଣ ବାଳକ ଭାବେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି ।