• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ଦେଶର ଅନ୍ୟାନ୍ୟ ରାଜ୍ୟ ଭଳି କୋଇଲା ସଂକଟ ମୁହାଁ ହୋଇଛି କି ଓଡ଼ିଶା? ରାଜ୍ୟର ତାପଜ ବିଦ୍ୟୁତ କେନ୍ଦ୍ରରେ ମହଜୁଦ୍ ଅଛି ତ ପର୍ଯ୍ୟାପ୍ତ ପରିମାଣର କୋଇଲା? ପ୍ରଭାବିତ ହେବନି ତ ବିଦ୍ୟୁତ ଉତ୍ପାଦନ? ସ୍ଥିତି ମୁକାବିଲା ଲାଗି କେତେ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର? କେନ୍ଦ୍ରୀୟ ବିଦ୍ୟୁତ ପ୍ରାଧିକରଣ ବା CEAର ଅକ୍ଟୋବର ୭ କୋଲ୍ ଷ୍ଟକ୍ ରିପୋର୍ଟ କହୁଛି, ରାଜ୍ୟର ୩ଟି ପ୍ରମୁଖ ତାପଜ ବିଦ୍ୟୁତ୍ ପ୍ଲାଣ୍ଟରେ ପର୍ଯ୍ୟାପ୍ତ ପରିମାଣର କୋଇଲା ମହଜୁଦ ନାହିଁ। ଢେଙ୍କାନାଳ ଜିଏମଆର୍ କମଳାଙ୍ଗ ବିଦ୍ୟୁତ୍ ପ୍ଲାଣ୍ଟରେ ମାତ୍ର ଦିନକ ପାଇଁ କୋଇଲା ଥିବା ବେଳେ ଓଡ଼ିଶା ପାଓ୍ବାର ଜେନେରେସନ କର୍ପୋରେସନ ବା OPGC ଦ୍ୱାରା ପରିଚାଳିତ ୧୦୫୦ ମେଗାଓ୍ବାଟ କ୍ଷମତା ବିଶିଷ୍ଟ ଇବ୍ ଭ୍ୟାଲି ପ୍ଲାଣ୍ଟରେ ରହିଛି ମାତ୍ର ୩ ଦିନର କୋଇଲା।

ବେଦାନ୍ତ ଦ୍ୱାରା ପରିଚାଳିତ ଷ୍ଟେରଲାଇଟ୍ ବିଦ୍ୟୁତ୍ ପ୍ଲାଣ୍ଟ ପାଖରେ ରହିଛି ୬ ଦିନର କୋଇଲା ଷ୍ଟକ୍। ଓଡ଼ିଶାର ତାପଜ ବିଦ୍ୟୁତ୍ ଉତ୍ପାଦନ କ୍ଷମତା ପ୍ରାୟ ୧୭ ହଜାର ମେଗାୱାଟ୍। ଏଗୁଡ଼ିକ ଲାଗି ଦରକାର ୯୫ ମିଲିୟନ ଟନ୍ କୋଇଲା କିନ୍ତୁ ଏମସିଏଲରୁ ଉତ୍ତୋଳନ ହେଉଥିବା ୧୫୦ ମିଲିୟନ ଟନ୍ କୋଇଲାର ବଡ଼ ଭାଗ ରପ୍ତାନି ହେଉଛି। ଫଳରେ ରାଜ୍ୟର ଶିଳ୍ପ ପାଇଁ କୋଇଲା ଅଭାବ ଦେଖାଦେଇଛି। କୋଇଲା ଯୋଗାଣ ସ୍ଥିତିରେ ଯଦି ସୁଧାର ନଆସେ, ତେବେ ଆଗାମୀ ଦିନରେ ବିଦ୍ୟୁତ ଉତ୍ପାଦନ ସାଙ୍ଗକୁ ଇସ୍ପାତ ଓ ଆଲୁମିନିୟମ ସମେତ ଅନ୍ୟାନ୍ୟ ଶିଳ୍ପ ପ୍ରଭାବିତ ହେବା ଆଶଙ୍କା ବଢିଯାଇଛି। ତେବେ ଆଶ୍ୱସ୍ତିର ବିଷୟ, ରାଜ୍ୟରେ ଜଳ ବିଦ୍ୟୁତ ଉତ୍ପାଦନ ସନ୍ତୋଷଜନକ ଥିବାରୁ ଘରୋଇ ଗ୍ରାହକ ଅସୁବିଧାର ସମ୍ମୁଖୀନ ହେବେନି ବୋଲି କୁହାଯାଉଛି। 

ରାଜ୍ୟ ଶିଳ୍ପ ସଂସ୍ଥାଙ୍କୁ କୋଇଲା ଯୋଗାଣ ସୁନିଶ୍ଚିତ କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି -UCCI। ରାଜ୍ୟର ଅଧିକାଂଶ ଶିଳ୍ପସଂସ୍ଥାଙ୍କ ନିକଟରେ ଆଦୌ କୋଇଲା ନଥିବା ବା ସୀମିତ ପରିମାଣର ଷ୍ଟକ୍ ଥିବା ଚିଠିରେ ଉଲ୍ଲେଖ କରାଯାଇଛି। ସେପଟେ କୋଇଲା ଅଭାବ କାରଣକୁ ନେଇ ସ୍ପଟ ବୁକିଂରେ ବିଜୁଳି ଦର ୪ ଟଙ୍କାରୁ ବଢ଼ି ୧୩ ଟଙ୍କାରେ ପହଞ୍ଚିଲାଣି। ଏଭଳି ସ୍ଥିତି ଲାଗି ରହିଲେ ଆଗାମୀ ଦିନରେ ରାଜ୍ୟରେ ପୁଞ୍ଜିନିବେଶ ପ୍ରଭାବିତ ହେବ ବୋଲି UCCI ଚେତାଇ ଦେଇଛି। 

କେବଳ ଓଡ଼ିଶା ନୁହେଁ, କୋଇଲା ଅଭାବ ସ୍ଥିତିକୁ ନେଇ ଦିଲ୍ଲୀ, ପଞ୍ଜାବ, ରାଜସ୍ଥାନ, ଗୁଜରାଟ, ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟ ଉଦବେଗ ପ୍ରକାଶ କରିବା ସହ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ତେବେ କେନ୍ଦ୍ର ଶକ୍ତିମନ୍ତ୍ରୀ ରାଜକୁମାର ସିଂହ କୋଇଲା ଅଭାବ ଯୋଗୁ ବିଦ୍ୟୁତ ଉତ୍ପାଦନ ଓ ଶିଳ୍ପ ସଂସ୍ଥା ପ୍ରଭାବିତ ହେବା ଆଶଙ୍କାକୁ ଖଣ୍ଡନ କରିଛନ୍ତି। ଟାଟା ଓ ଗେଲ୍ ଭୁଲ ତଥ୍ୟ ଦେବା କାରଣରୁ ଶିଳ୍ପସଂସ୍ଥା ଛାନିଆ ହୋଇଥିବା ସେ କହିଛନ୍ତି। ଅନ୍ତର୍ଜାତୀୟ ବଜାରରେ କୋଇଲା ଦରବୃଦ୍ଧି ଓ ପ୍ରବଳ ବର୍ଷାରେ ଦେଶରେ କୋଇଲା ଉତ୍ତୋଳନ ବାଧାପ୍ରାପ୍ତ ହୋଇଥିଲା ମାତ୍ର ସ୍ଥିତିରେ ସୁଧାର ଆସିବା ସହ ଦୈନିକ ଯୋଗାଣ ସ୍ୱାଭାବିକ ଆଡକୁ ଯାଉଥିବା ସେ କହିଛନ୍ତି।

 
ରିପୋର୍ଟ: କପିଳେନ୍ଦ୍ର ପ୍ରଧାନ