• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ୩୦ରୁ ଅଧିକ ଯୁବକଙ୍କୁ ନିଯୁକ୍ତି ଦେଇ ରୋଜଗାରର ପନ୍ଥା ଦେଖାଇଛନ୍ତି

  • ନିଜ ଗାଁକୁ କଳାଗ୍ରାମରେ ପରିଣତ କରିବାକୁ ଲକ୍ଷ୍ୟ

ଆନନ୍ଦପୁର ( ମୁନା ସିଂ) : ଛାତ୍ର ଜୀବନରୁ କଳାପ୍ରତି ଥିଲା ଅହେତୁକ ଦୁର୍ବଳତା । ବିଦ୍ୟାଳୟରେ ପଢୁଥିବା ସମୟରେ ପଢା ଖାତା ବହି , ଶ୍ରେଣୀ ବ୍ଲାକ ବୋର୍ଡ କାନ୍ଥ ଏମିତିକି ଘର କାନ୍ଥବାଡରେ ମଧ୍ୟ ବିଭିନ୍ନ ପଶୁ ପକ୍ଷ, ଦେବା ଦେବୀଙ୍କ ଅବିକଳ ଚିତ୍ର ଆଙ୍କି ଚର୍ଚ୍ଚାରେ ଆସିଥିଲେ। ପଥର କାରିଗରୀ କଳା ପ୍ରମୋଦଙ୍କୁ ଆଜି ଆଗକୁ ବଢିବାରେ ପ୍ରେରଣା ଯୋଗାଇଛି । ନିଜର କଳା ସାଧନା ଏବଂ ପ୍ରଘାଢ ନିଷ୍ଠା ବଳରେ ସେ କେନ୍ଦୁଝର ଜିଲ୍ଲା ତଥା ରାଜ୍ୟରେ ଜଣେ ସୁନାମଧନ୍ୟ ପ୍ରସ୍ଥରଶିଳ୍ପୀ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।

ଘସିପୁରା ବ୍ଳକ ଅଳତୀ ଗ୍ରାମର ଶ୍ରୀନିବାସ ବରାଳ ଓ ମାତା ନିର୍ମଳାଙ୍କ ବଡ଼ ପୁଅ ପ୍ରମୋଦ। ତାଙ୍କ ହାତ ପରଶରେ ମାଟି ଓ କାନଭାସରେ ଗଢିଉଠେ ଅନନ୍ୟ ପ୍ରତିମା । କାଠ, ପଥର ,ସିମେଣ୍ଟ ଏବଂ ଫାଇବରରେ ତିଆରି ହୁଏ ଆର୍କଷଣୀୟ କାରୁକାର୍ଯ୍ୟ ଓ ଦେବାଦେବୀ ମୂର୍ତ୍ତୀ । ଗାଁ ସ୍କୁଲରୁ ମାଟ୍ରିକ ପାସ୍‌ ପରେ ସରକାରୀ ମହାବିଦ୍ୟାଳୟ ଖଲିକୋଟରୁ କଳାରେ ଡିଗ୍ରୀ ହାସଲ କରି ନିଜକୁ ଜଣେ ସଫଳ କାରିଗର ଭାବେ ପ୍ରତିଷ୍ଠିତ କରିପାରିଛନ୍ତି । ନିଜ ଗ୍ରାମ ଅଳତୀ ଠାରେ ମାର୍ବଲ,ଗ୍ରାନାଇଟ୍ ସହ ନାଲି ପଥରରେ ଭଳିକି ଭଳି ମୂର୍ତ୍ତି ସହ କାନଭାସ ଚିତ୍ରର ଏକ ସୁନ୍ଦର ଫାର୍ମ ପ୍ରତିଷ୍ଠା କରିଛନ୍ତି । ଆଉ ସେଥିରେ ୩୦ରୁ ଅଧିକ ଯୁବକଙ୍କୁ ନିଯୁକ୍ତି ଦେଇ ସେମାନଙ୍କୁ ରୋଜଗାରର ପନ୍ଥା ଦେଖାଇଛନ୍ତି ।

ତାଙ୍କ ଫାର୍ମରୁ ଶତାଧିକ ଯୁବକ ତାଲିମ ନେଇ ନିଜେ ଆତ୍ମନିର୍ଭରଶିଳ ହୋଇଛନ୍ତି । ଏପରି କି ଦେଶ ବାହାରେ ମାଲେସିଆ ଓ ଇଣ୍ଡୋନେସିଆରେ ମଧ୍ୟ କାଠ ଖୋଦେଇ ମୂର୍ତ୍ତି ମଡର୍ନ ଆର୍ଟ ଆଣ୍ଡ କ୍ରାଫ୍ଟସ ତାଙ୍କର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଯାଜପୁର ରୋଡଠା ରେ ଇନ୍ଦିରାଗାନ୍ଧୀ , ଓଡ଼ିଶା ଖଦି ବୋର୍ଡ ଭୁବନେଶ୍ବରରେ ମୁଗୁନି ପଥରର ନିର୍ମିତ ମହାତ୍ମାଗାନ୍ଧୀଙ୍କ ଅରଟ ଚଳାଇବା ବେଳର ବିରାଟ ପ୍ରତିକୃତି ଏବଂ ଓଡ଼ିଶା ବିଧାନ ସଭା ପରିସରରେ ଥିବା ମଧୁବାବୁଙ୍କ ପ୍ରତିମା ତାଙ୍କ ଅନନ୍ୟ କୃତିତ୍ୱର ଗାଥା ବହନ କରେ । ସେ ଏହି କଳାସାଧନା ପାଇଁ ୧୯୮୭ରେ ଓଡ଼ିଶା ରାଜ୍ୟ ହସ୍ତଶିଳ୍ପ ନିଗମ ତରଫରୁ ଓ ୧୯୯୯ ମସିହାରେ ଉତ୍କଳିକା ତରୁ ବିଶିଷ୍ଟ ଶିଳ୍ପୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

ସେହିପରି ୨୦୧୦ରେ ମୁମ୍ବାଇଠାରେ ଟାଟା ନ୍ୟାସନାଲ ଭଚୁଆଲ ଏକାଡେମୀ ପକ୍ଷରୁ ତାଙ୍କୁ ଫିଲୋସଫି ଆୱାର୍ଡରେ ସମ୍ମାନିତ କରାଯାଇଛି । ଏହା ବ୍ୟତୀତ ୨୦୧୨ରେ ଶିଳ୍ପୀ ଶିରୋମଣୀ ୨୦୧୩ରେ ଭୂବନ ପୂଜ୍ୟ ପୂଜା ପରିଷଦ ପକ୍ଷରୁ ଭୂମିପୁତ୍ର , ୨୦୧୫ରେ ଧାମ ନଗର , ଭଦ୍ରକ ତରଫରୁ ଶ୍ରେଷ୍ଠ ଶିଳ୍ପୀ ସମ୍ମାନ, ୨୦୧୬ରେ ଆନନ୍ଦପୁର ମହୋତ୍ସବରେ ବିଶିଷ୍ଟ ଶିଳ୍ପୀ ସମ୍ମାନ ଓ ବନମାଳୀ ପଣ୍ଡା ସ୍ମୃତି ସଂସଦ, ବାତୋ ତରଫରୁ ଶିଳ୍ପୀ ଗୌରବ ସମ୍ମାନର ଅଧିକାରୀ ହୋଇ ବେଶ ସୁନାମ ଅର୍ଜନ କରିଛନ୍ତି । କଳା କାରିଗରୀ ପ୍ରତି ଥିବା ଉତ୍ସାହକୁ ପାଥେୟ କରି ସେ ଆଜି ଏତେବାଟ ଅତିକ୍ରମ କରି ପାରିଛନ୍ତି ।

ନିଜ ଗ୍ରାମକୁ ଏକ କଳାଗ୍ରାମରେ କରିବା ପାଇଁ ତଥା କାରିଗରୀ କଳା ବିଦ୍ୟାଳୟ ସ୍ଥାପନ କରି ସ୍ଥାନୀୟ ଯୁବକ ଯୁବତୀଙ୍କୁ ଆତ୍ମନିର୍ଭରଶୀଳ କରିବା ତାଙ୍କର ଲକ୍ଷ୍ୟ ରହିଛି । ଏଥିପାଇଁ ସରକାରଙ୍କ ତରଫରୁ ଆର୍ଥିକ ସାହାଯ୍ୟ ଏବଂ ପ୍ରୋସାହନ ମିଳିଲେ ଅଳତୀ ଗାକୁ ଏକ କଳାଗ୍ରାମ ଭାବେ ପରିଚିତ କରାଇ ପାରିବେ ବୋଲି ବିଶ୍ୱାସ ରଖିଛନ୍ତି ।