• translate
Sarbeswar

News Highlights

  • ଘନଉଛି ଆଫଗାନୀ ଶରଣାର୍ଥୀ ସଂକଟ

  • କୁଆଡେ ଯିବେ, କେମିତି ବଞ୍ଚିବେ ଶରଣାର୍ଥୀ?

  • କଣ ହେବ ଆଫଗାନୀ ଶରଣାର୍ଥୀଙ୍କ ଭବିଷ୍ୟତ?

କାବୁଲ: ଦିନକୁ ଦିନ ଆଫଗାନିସ୍ତାନର ସ୍ଥିତି ସଙ୍ଗୀନ ହେବାରେ ଲଗାଇଛି। ଖାଦ୍ୟ ନାହିଁ, ପାଣି ନାହିଁ, ସ୍ୱାସ୍ଥ୍ୟ ସେବା ବି ନାହିଁ। କୁଆଡେ ଯିବେ, କେମିତି ବଞ୍ଚିବେ? କଣ ହେବ ଏମାନଙ୍କ ଭବିଷ୍ୟତ? ତାଲିବାନର କାବୁଲ କବଜା ପରେ ସମଗ୍ର ବିଶ୍ୱ ଆଉ ଏକ ଶରଣାର୍ଥୀ ସଂକଟର ସାମ୍ନା କରିବାକୁ ଯାଉଛି। ତାଲିବାନୀ ଶାସନର ପ୍ରଥମ ପାଳିରେ ଯେତିକି ଆଫଗାନ ନାଗରିକ ଦେଶ ଛାଡିଥିଲେ ଏଥର ତାଠାରୁ ଢେର ଅଧିକ ଲୋକ ଦେଶ ଛାଡିବେ ବୋଲି ଆକଳନ କରିଛି ଜାତିସଂଘ। ଚଳିତ ବର୍ଷ ଶେଷ ସୁଦ୍ଧା ୫ ଲକ୍ଷରୁ ଅଧିକ ଲୋକ ବିଭିନ୍ନ ଦେଶରେ ଶରଣ ଲୋଡ଼ିବେ ବୋଲି କୁହାଯାଇଛି । ତେବେ ଏତେ ସଂଖ୍ୟାକ ଲୋକଙ୍କୁ କିଏ ଦେବ ଆଶ୍ରୟ? କ୍ରୁର ତାଲିବାନ ଶାସକଙ୍କ ଭୟରେ ଭିଟାମାଟି ଛାଡୁଥିବା ଲୋକଙ୍କୁ କିଏ ହେବ ସାହା? କିଏ ସେମାନଙ୍କ ଲାଗି କରିବ ଖାଇବା, ପିଇବା ଓ ମୁଣ୍ଡ ଗୁଞ୍ଜିବାର ବ୍ୟବସ୍ଥା? ଆଗକୁ ଖୁବ୍ ଜଟିଳ ସ୍ଥିତି ସୃଷ୍ଟି କରିବାକୁ ଯାଉଛି ଏହି ମାନବୀୟ ଦୁର୍ବିପାକ।

ଜୀବନ ବଞ୍ଚାଇ ପଡ଼ୋଶୀ ପାକିସ୍ତାନ ଓ ଇରାନରେ ପ୍ରବେଶ କରିଥିବା ଆଫଗାନ୍ ନାଗରିକଙ୍କ ଦୁର୍ଦ୍ଦଶା ଉପରେ ପାକିସ୍ତାନରେ ପୂର୍ବରୁ ୩୦ ଲକ୍ଷରୁ ଅଧିକ ଆଫଗାନିସ୍ତାନ ନାଗରିକ ଥିବା ବେଳେ, ଏବେ ହଜାର ହଜାର ଲୋକ ସୀମା ଦେଇ ପାକିସ୍ତାନରେ ପ୍ରବେଶ କରୁଛନ୍ତି। ସୀମାବର୍ତ୍ତୀ ଅଞ୍ଚଳରେ ଅସ୍ଥାୟୀ ଶିବିରରେ ଏମାନଙ୍କୁ ରହିବାକୁ ପଡୁଛି। ଖାଦ୍ୟ ଓ ପାନୀୟ ଘୋର ଅଭାବ ସାଙ୍ଗକୁ ମହିଳା, ଶିଶୁ ଓ ବୃଦ୍ଧବୃଦ୍ଧା ତଥା ରୋଗୀଙ୍କ ସ୍ୱାସ୍ଥ୍ୟସେବା ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହୋଇଛି। ତେବେ ପାକିସ୍ତାନ ଆଉ ଅଧିକ ଲୋକଙ୍କୁ ଅନୁମତି ଦେଇପାରିବ ନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍। ଦେଶର ସୀମାକୁ ଖୁବ୍ ଶୀଘ୍ର ସିଲ୍ କରିଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି। ସେହିପରି ଅନ୍ୟତମ ପଡୋଶୀ ଇରାନରେ ବି ହଜାର ହଜାର ଶରଣାର୍ଥୀ ପହଞ୍ଚୁଛନ୍ତି। ତିନିଟି ପ୍ରଦେଶରେ କ୍ୟାମ୍ପ କରିବା ସହ ଏମାନଙ୍କ ରହିବା ଲାଗି ବ୍ୟବସ୍ଥା କରିଛନ୍ତି ଇରାନ ସରକାର।

ତେବେ ଆଫଗାନିସ୍ତାନ ସ୍ଥିତିରେ ସୁଧାର ଆସିଲେ ସେମାନଙ୍କୁ ଫେରାଇ ଦିଆଯିବ ବୋଲି କହିଛି ତେହେରାନ। ଇସଲାମୀ ରାଷ୍ଟ୍ର ତୁର୍କୀରେ ପୂର୍ବରୁ ୧ଲକ୍ଷ ୩୦ ହଜାରରୁ ଅଧିକ ଆଫଗାନ ନାଗରିକ ଥିବା ବେଳେ କିଛି ନିର୍ଦ୍ଦିଷ୍ଟ ସଂଖ୍ୟକ ଶରଣାର୍ଥୀଙ୍କୁ ନେବାକୁ ରାଜି ହୋଇଛି ଅଙ୍କାରା। ତେବେ ବହୁ ସଂଖ୍ୟାରେ ଶରଣାର୍ଥୀ ଯେଭଳି ଇରାନ ଦେଇ ତୁର୍କୀରେ ପ୍ରବେଶ ନକରିବେ ସେଥିଲାଗି ସୀମାରେ ୩ ମିଟର ଉଚ୍ଚର ସିମେଣ୍ଟ ପାଚେରୀ ନିର୍ମାଣ କରୁଛି ରାଷ୍ଟ୍ରପତି ରିସେପ୍ ଏର୍ଡୋଗାନ୍ ପ୍ରଶାସନ।

କାବୁଲ୍ ବିମାନବନ୍ଦର ଛାଡ଼ିବା ପୂର୍ବରୁ ଆମେରିକୀୟ ନାଗରିକଙ୍କ ସହ ବହୁ ଆଫଗାନ ନାଗରିକଙ୍କୁ ବି ଉଦ୍ଧାର କରିଛି ଆମେରିକା। ତେବେ ଆମେରିକୀୟ ସେନାକୁ ସହଯୋଗ କରିଥିବା ୧୦ ହଜାରରୁ ଅଧିକ ଆଫଗାନିସ୍ତାନ ନାଗରିକଙ୍କୁ ନେବା ଲାଗି ଯୋଜନା କରିଛି ଜୋ ବାଇଡେନ୍ ପ୍ରଶାସନ। ସେହିପରି ବ୍ରିଟେନ୍ ୨୦ ହଜାର ଲୋକଙ୍କୁ ଆଶ୍ରୟ ଦେବ। ତେବେ ପ୍ରଥମ ବର୍ଷରେ କେବଳ ୫ ହଜାର ଲୋକଙ୍କୁ ନିଆଯିବ ବୋଲି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍। ତାଲିବାନ ଠାରୁ ଭୟ ଥିବା ପୂର୍ବତନ କର୍ମଚାରୀ ଓ ମହିଳାଙ୍କୁ ମିଶାଇ ମୋଟ ୨୦ ହଜାର ଆଫଗାନ୍ ନାଗରିକଙ୍କୁ ଆଶ୍ରୟ ଦେବାକୁ ରାଜି ହୋଇଛି। କାନାଡ଼ା, ଜର୍ମାନୀରେ ପୂର୍ବରୁ ଲକ୍ଷେ ୮୦ ହଜାର ଆଫଗାନ୍ ଶରଣାର୍ଥୀ ଥିବାରୁ ଆଉ ଅଳ୍ପ କିଛି ଲୋକଙ୍କୁ ଅନୁମତି ଦେବେ ବୋଲି କହିଛନ୍ତି ଚାନ୍ସେଲର ଆଞ୍ଜେଲା ମର୍କେଲ। ତେବେ ଆଫଗାନ୍ ନାଗରିକ ଫ୍ରାନ୍ସରେ ବେଆଇନ ଭାବେ ପ୍ରବେଶ କରିବାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ରାଷ୍ଟ୍ରପତି ଏମାନୁଏଲ ମାକ୍ରୋନ।

ଅନ୍ୟପକ୍ଷରେ ଅଷ୍ଟ୍ରିଆ ଓ ସୁଇଜରଲ୍ୟାଣ୍ଡ କୌଣସି ଆଫଗାନ୍ ନାଗରିକଙ୍କୁ ନେବେ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି। ୨୦୧୫ ସିରିଆ ଗୃହଯୁଦ୍ଧ ବେଳେ ୫ ଲକ୍ଷ ଲୋକ ୟୁରୋପରେ ପ୍ରବେଶ କରିବା ଦ୍ୱାରା ସେଠାରେ ଶରଣାର୍ଥୀ ସ୍ଥିତି ଅତି ଜଟିଳ ହୋଇଥିଲା। ତେଣୁ ଆଫଗାନିସ୍ତାନ ନାଗରିକଙ୍କୁ ନେବା ଲାଗି ଅଧିକାଂଶ ୟୁରୋପୀୟ ଦଶ ଅନିଚ୍ଛା ପ୍ରକାଶ କରିଛନ୍ତି। ଆଫଗାନିସ୍ତାନର ପଡୋଶୀ ପାକିସ୍ତାନ, ଇରାନ୍, ଉଜ୍ବେକିସ୍ତାନ ଓ ତାଜିକସ୍ତାନ ଦେଇ ଶରଣାର୍ଥୀ ଯେମିତି ୟୁରୋପରେ ନପଶିବେ ସେଥିଲାଗି ଏସବୁ ଦେଶରେ ସେମାନଙ୍କ ଥଇଥାନ ବ୍ୟବସ୍ଥା କରିବାକୁ ୬ଶହ ମିଲିୟନ ଡଲାରର ଆର୍ଥିକ ସହାୟତା ଦେବାକୁ ଯୋଜନା କରିଛି ୟୁରୋପୀୟ ସଂଘ।

ସେପଟେ ରୁଷ୍ ଆଫଗାନିସ୍ତାନ ଶରଣାର୍ଥୀଙ୍କୁ ନେବାକୁ ମନା କରିଦେଇଛି। ଶରଣାର୍ଥୀ ନାଁରେ ଆତଙ୍କବାଦୀଙ୍କୁ ପ୍ରବେଶ ଅନୁମତି ଦେବ ନାହିଁ ବୋଲି କହିଛି ରୁଷ୍। ଅନ୍ୟପକ୍ଷରେ କାତାର ସମେତ ଆଉ କିଛି ଉପସାଗରୀୟ ଦେଶ ଅଳ୍ପ ସଂଖ୍ୟା ଲୋକଙ୍କୁ ଆଶ୍ରୟ ଦେବାକୁ ରାଜି ହୋଇଛନ୍ତି। ତେଣୁ କଣ ହେବ ଆଫଗାନିସ୍ତାନରୁ ପଳାୟନ କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ଭବିଷ୍ୟତ ତାକୁ ନେଇ ବିଶ୍ୱବ୍ୟାପୀ ଚିନ୍ତା ବଢିଛି। ସେପଟେ ଭାରତ ଆସିବାକୁ ବହୁସଂଖ୍ୟକ ଆଫଗାନୀ ହିନ୍ଦୁ ଓ ଶିଖ୍ ଆଗ୍ରହୀ ଥିବା ବେଳେ, ସେମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଇ-ଭିସା ସୁବିଧା ଯୋଗାଇ ଦିଆଯାଉଛି।

Other Stories