• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପଞ୍ଜଶିର : ପାକିସ୍ତାନର ଖୋଲାଖୋଲି ତାଲିବାନୀ ପ୍ରେମ । ଅଭେଦ୍ୟ ଗଡ଼ ପଞ୍ଜଶିରକୁ କବଜା କରିବା ପାଇଁ ସମସ୍ତ ଉଦ୍ୟମ କରୁଥିବା ତାଲିବାନ ଏବେ ପାକିସ୍ତାନର ସମର୍ଥନ ପାଇଛି । ସଦ୍ୟତମ ସୂଚନା ଅନୁସାରେ ପଞ୍ଜଶିରରେ ଡ୍ରୋନ୍ ଆକ୍ରମଣ କରିଛି ପାକିସ୍ତାନୀ ବାୟୁସେନା । ଆଫଗାନିସ୍ତାନର ସାମଙ୍ଗାନ ପ୍ରଦେଶର ପୂର୍ବତନ ସାଂସଦ ଜିଆ ଅରିୟନଜାଦୋ ଏହା ସ୍ପଷ୍ଟ କରିଛନ୍ତି । ଅନ୍ୟପକ୍ଷରେ ତାଲିବାନ ଏବଂ ରେଜିଷ୍ଟାନ୍ସ ଫ୍ରଣ୍ଟ ନିଜର ଦାବିରେ ଅଟଳ ଅଛନ୍ତି । ତାଲିବାନୀ ସଂଗଠନ ପଞ୍ଜଶିର ଉପତ୍ୟକାକୁ ନିୟନ୍ତ୍ରଣ କରିସାରିଥିବା ନେଇ ଦାବି କରୁଥିବା ବେଳେ ରେଜିଷ୍ଟାନ୍ସ ଫ୍ରଣ୍ଟ ଏକଥାକୁ ଖଣ୍ଡନ କରିଛି ।

ପଞ୍ଜଶିର ପ୍ରୋଭିନ୍ସର ପାରିୟାନ୍, ସୋତୁଲ୍, ଖେଞ୍ଜ୍ ଓ ଅବଶାର୍ ଆଦି ୪ଟି ଜିଲ୍ଲାକୁ ଦଖଲ କରିସାରିଥିବା ଦାବି କରିଛି ତାଲିବାନ୍ । ଅନ୍ୟପକ୍ଷରେ ପଞ୍ଜଶିର ରେଜିଷ୍ଟାଣ୍ଟ୍ ଫ୍ରଣ୍ଟ ଦାବି କରିଛି ଏପର୍ଯ୍ୟନ୍ତ ସେମାନେ ସ୍ୱାଧୀନ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ପଞ୍ଜଶୀର ପ୍ରଦେଶ ବ୍ୟତୀତ ସମଗ୍ର ଆଫଗାନିସ୍ତାନ ତାଲିବାନ ଦ୍ୱାରା ଅଧିକୃତ ହୋଇସାରିଛି । ଚଳିତ ସପ୍ତାହରେ ଆଫଗାନିସ୍ତାନରେ ସରକାର ଗଠନ କରିପାରେ ତାଲିବାନୀ ସଂଗଠନ ବୋଲି ଆକଳନ କରାଯାଉଛି ।

ପଞ୍ଜଶିର ପାକିସ୍ତାନୀ ଡ୍ରୋନ୍ ଷ୍ଟ୍ରାଇକ୍ ବିଷୟରେ କହିଛନ୍ତି ସାମଙ୍ଗାନ ପ୍ରଦେଶର ପୂର୍ବତନ ସାଂସଦ । ସେ କହିଛନ୍ତି, ଡ୍ରୋନ୍ ସାହାଯ୍ୟରେ ପାକିସ୍ତାନୀ ବାୟୁସେନା ପଞ୍ଜଶିରରେ ବୋମାମାଡ଼ କରିଛି । ଏଥିରେ ସ୍ମାର୍ଟ ବୋମା ବ୍ୟବହାର କରାଯାଇଛି । ତେବେ ଏହାରି ଭିତରେ ପଞ୍ଜଶିର ରେଜିଷ୍ଟାନ୍ସ ଫ୍ରଣ୍ଟ ପକ୍ଷରୁ ମଧ୍ୟ ଆପ୍ରାଣ ଉଦ୍ୟମ ଚାଲିଛି । ପଞ୍ଜଶିର ବିରୋଧୀ ସଂଗଠନର ନେତୃତ୍ୱ ନେଉଥିବା ଆଫଗାନିସ୍ତାନର ପୂର୍ବତନ ଉପ ରାଷ୍ଟ୍ରପତି ଥିବା ଅମରୁଲ୍ଲା ସାଲେହ ବର୍ତ୍ତମାନ ଏକ ଅଜ୍ଞାତ ସ୍ଥାନରେ ସୁରକ୍ଷିତ ଅଛନ୍ତି ବୋଲି କୁହାଯାଇଛି ।

ସେପଟେ ଆଫଗାନିସ୍ତାନରେ ସରକାର ଗଠନ ପାଇଁ ସଂଘର୍ଷ ଚାଲିଛି । ନିଜ ନିଜ ଭିତରେ ଲଢ଼େଇ ଯୋଗୁଁ ସରକାର ଗଠନରେ ବିଳମ୍ବ ହେଉଛି । ତାଲିବାନର ସହ-ପ୍ରତିଷ୍ଠାତା ମୁଲ୍ଲା ଅବଦୁଲ ଘନି ବରାଦର ଏବଂ ହକ୍କାନୀ ଗୋଷ୍ଠୀ ମଧ୍ୟରେ ଗୁଳି ବିନିମୟ ହୋଇଛି । ଆଫଗାନିସ୍ତାନ ଖବରକାଗଜ ପଞ୍ଜଶୀର ଅବଜରଭର ଅନୁସାରେ ଅନସ୍ ହକ୍କାନୀଙ୍କ ପକ୍ଷରୁ ଗୁଳି ମାଡ଼ ହୋଇଛି । ଆଉ ଏହି ଗୁଳିମାନରେ ମୁଲ୍ଲା ଅବଦୁଲ ଘନି ବରାଦର ଆହତ ହୋଇଛନ୍ତି ।

ଆଉ ଏହାର ଫାଇଦା ଉଠାଉଛନ୍ତି ପାକିସ୍ତାନ । ତାଲିବାନର ନିମନ୍ତ୍ରଣ ପାଇଁ ସରକାର ଗଠନ ପ୍ରକ୍ରିୟାରେ ପରାମର୍ଶ ଦେବାକୁ କାବୁଲ୍ ଯାଇଛନ୍ତି ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ମୁଖ୍ୟ ଫୈଜ୍ ହମିଦ୍ । ସେ ପ୍ରତିକ୍ରିୟାରେ କହିଛନ୍ତି, ସବୁ କିଛି ଠିକ୍ ହୋଇଯିବ ।