• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ରଥଯାତ୍ରା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଡିଜି ।

  • ପୁରୀ ଗୋପବନ୍ଧୁ ଆୟୁର୍ବେଦ ହସ୍ପିଟାଲ ପରିସରରେ ଏହି ସମୀକ୍ଷା ବୈଠକ ବସିଥିଲା ।

  • ରଥଯାତ୍ରା ସୁରକ୍ଷା ନେଇ ବ୍ୟାପକ ଆଲୋଚନା ହୋଇଥିଲା ।

ପୁରୀ: ରଥଯାତ୍ରା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଡିଜି । ପୁରୀ ଗୋପବନ୍ଧୁ ଆୟୁର୍ବେଦ ହସ୍ପିଟାଲ ପରିସରରେ ଏହି ସମୀକ୍ଷା ବୈଠକ ବସିଥିଲା । ଏହି ବୈଠକରେ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ, ପୁରୀ ଏସ୍‌ପିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ । ରଥଯାତ୍ରା ସୁରକ୍ଷା ନେଇ ବ୍ୟାପକ ଆଲୋଚନା ହୋଇଥିଲା ।

ଅନ୍ୟପଟେ ପରମ୍ପରା ଅନୁସାରେ ରଥଯାତ୍ରା ଲାଗି ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ନିମନ୍ତ୍ରଣ କରିଛି ଶ୍ରୀମନ୍ଦିର ପ୍ରଶାସନ । ଆଜି ତିନି ରଥ ସିଂହଦ୍ୱାର ସାମନାକୁ ଆସିବାବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଗୋବର୍ଦ୍ଧନ ପୀଠରେ ପହଞ୍ଚି ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ କରିଛନ୍ତି । ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ଜଗତଗୁରୁଙ୍କୁ ନିମନ୍ତ୍ରଣ ଦିଆଯାଇଛି । ଶ୍ରୀମନ୍ଦିର ପ୍ରଶାସନର ନିମନ୍ତ୍ରଣ ରକ୍ଷା କରି ନିଜର ୬ ଜଣ ଅନୁଗାମୀଙ୍କ ସହ ଯିବାକୁ ସମ୍ମତି ପ୍ରଦାନ କରିଛନ୍ତି ଶଙ୍କରାଚାର୍ଯ୍ୟ । ତେବେ ଶାନ୍ତିଶୃଙ୍ଖଳାର ସହ ରଥଯାତ୍ରା ସମାପନ କରିବାକୁ ଜଗଦଗୁର ପ୍ରଶାସନକୁ କହିଛନ୍ତି । ଏହାସହ କରୋନା କଟକଣା ଥିବାରୁ ଶ୍ରଦ୍ଧାଳୁମାନେ ଘରେ ରହି ରଥଯାତ୍ରା ଦର୍ଶନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏହାସହ ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ଶ୍ରୀମନ୍ଦିର ମାମଲାରେ ପ୍ରଶାସନ ତାଙ୍କୁ ଗୁରୁତ୍ୱ ଦେଉନାହିଁ । ପରିଚାଳନା କମିଟି ବୈଠକର ପୂର୍ଣ୍ଣାଙ୍ଗ ତଥ୍ୟ ତାଙ୍କୁ ଦିଆଯାଉନି କି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ ହେଉନଥିବା ସେ ଅଭିଯୋଗ କରିଛନ୍ତି ।

ତେବେ ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ବିଜେ ହେବେ ମହାବାହୁ । ଏଥିପାଇଁ ସିଂହଦ୍ୱାର ସାମନାରେ ଲାଗିଲା ତିନି ରଥ । ଆଜି ଶ୍ରୀମନ୍ଦିରରୁ ଆଜ୍ଞାମାଳ ରଥଖଳାକୁ ବିଜେ ହେବା ପରେ ପ୍ରଥମେ ନନ୍ଦିଘୋଷକୁ ସିଂହଦ୍ୱାର ସାମ୍ନାକୁ ଅଣାଯାଇଥିଲା । ତା’ପରେ ଦେବଦଳନ ଓ ଶେଷରେ ତାଳଧ୍ୱଜକୁ ସେବାୟତମାନେ ଟାଣି ଟାଣି ସିଂହଦ୍ୱାର ସାମ୍ନାକୁ ଆଣିଥିଲେ । ଏବେ ରଥ ପ୍ରସ୍ତୁତ, ପଥ ପ୍ରସ୍ତୁତ । ଆସନ୍ତାକାଲି ବିଶ୍ୱବାସୀଙ୍କୁ ଦର୍ଶନ ଦେବା ପାଇଁ ସ୍ୱୟଂ ମହାପ୍ରଭୁ ଶ୍ରୀମନ୍ଦିରରୁ ବାହାରକୁ ଆସିବେ । ବଡ଼ ଭାଇ ଓ ଭଉଣୀଙ୍କୁ ସାଙ୍ଗରେ ଧରି ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯିବେ । ଏଥିପାଇଁ ସବୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।

ଏଥର ମଧ୍ୟ ଗତଥର ଭଳି ବିନା ଭକ୍ତରେ ରଥଯାତ୍ରା ହେବ । କାରଣ ହେଉଛି କରୋନା ମହାମାରୀର ଆଶଙ୍କା । କେହି ଯେପରି ବଡ଼ଦାଣ୍ଡକୁ ଆସିନପାରିବେ, ସେଥିପାଇଁ ଆଜି ରାତି୮ଟାରୁ ପୁରୀରେ ଲାଗିବ କଟକଣା । ତେବେ କୌଣସି ଜରୁରୀ କର୍ଯ୍ୟ ପଡ଼ିଲେ ଲୋକେ ଟୋଲ୍ ଫ୍ରି ନମ୍ବର ୧୮୦୦-୩୪୫୭୪୯୫କୁ କଲ୍ କରି ଜିଲ୍ଲା ପ୍ରଶାସନର ସହାୟତା ନେଇପାରିବେ ।