• translate
Prangyan Parimita

News Highlights

  • ସ୍ୱାଧିନତା ସଂଗ୍ରାମୀମାନେ ବ୍ୟବହାର କରୁଥିବା ରେଡିଓ, ଚଷମା, ଅରଟ ରହିଛି

  • ହେଲେ ସୁରକ୍ଷା ପାଇଁ ଏଯାଏ ଗୋଟିଏ ସଂଗ୍ରହାଳୟ ଟିଏ ମଧ୍ୟ ହୋଇପାରି ନାହିଁ

ବରଗଡ଼(ଦୀପକ ଶର୍ମା) : ଓଡିଶାର ସଂଗ୍ରାମୀ ପୀଠ ଭାବରେ ବେଶ୍ ପରିଚିତ ବରଗଡ ଜିଲ୍ଳାର ପାଣିମୋରା ଗାଁ । ଅହିଂସା ଆନ୍ଦୋଳନରେ ଗାଁର ୩୨ ଜଣ ସଂଗ୍ରାମୀ ଇଂରେଜ ମାନଙ୍କ ବିରୁଦ୍ଧରେ ଲଢ଼େଇ କରି କାରାବରଣ କରିଥିଲେ । ଏମାନଙ୍କ ମଧ୍ୟରେ ଏବେ ଜଣେ ସ୍ୱାଧୀନତା ସଂଗ୍ରାମୀ ଜିତେନ୍ଦ୍ରିୟ ପ୍ରଧାନ ଜୀବିତ ଥିବା ବେଳେ ପାଣିମୋରା ଗାଁ ସେହି ସଂଗ୍ରାମୀ ମାନଙ୍କୁ ନେଇ ଏବେ ବି ଗର୍ବିତ ମନେ କରୁଛି । ଜୀବିତ ଥିବା ସ୍ୱାଧୀନତା ସଂଗ୍ରାମୀ ଜିତେନ୍ଦ୍ରିୟ ପ୍ରଧାନ ଏବେ ବୟସର ସାୟାନ୍ନରେ ଉପନୀତ ଥିବାବେଳେ ସଂଗ୍ରାମୀ ଗାଁ ପାଣିମୋରା କିନ୍ତୁ ଏବେ ବି ଅବହେଳିତ ।

ଇଂରେଜ ମାନଙ୍କୁ ଦେଶରୁ ତଡିବା ପାଇଁ ମହାତ୍ମାଗାନ୍ଧୀ ଆରମ୍ଭ କରିଥିଲେ ସ୍ୱରାଜ ଆନ୍ଦୋଳନ । ସେଥିରେ ଅନୁପ୍ରାଣିତ ହୋଇ ବରଗଡ ଜିଲ୍ଳା ପାଣିମୋରା ଗାଁର ୩୨ ଜଣ ଯୁବକ ଇଂରେଜ ମାନଙ୍କ ବିରୁଦ୍ଧରେ ଲଢ଼େଇ କରି କାରାବରଣ କରିଥିଲେ । ତେବେ ସ୍ୱଳ୍ପ ବୟସ ଯୋଗୁଁ ୧୦ ଜଣଙ୍କୁ ସେ ସମୟରେ ଆନ୍ଦୋଳନରେ ଫେରାଇ ଦିଆଯାଇଥିଲା । ଏବେ ସେହି ୩୨ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କୁ ନେଇ ସାରା ଦେଶରେ ଗର୍ବିତ ପାଣିମୋରା ଗାଁ । ଆଜି ବି ପାଣିମୋରା ଗ୍ରାମବାସୀ ସେ ସମୟର ସ୍ମୃତିକୁ ଉଜ୍ଜବୀତ କରି ରଖିବା ସହ ପ୍ରତିଦିନ ଗାଁରେ ସକାଳ ରାମଧୂନରୁ ଆରମ୍ଭ ହୋଇଥାଏ । ଗ୍ରାମ ସୀମାନ୍ତରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତି ରହିଥିବା ସହ ପାଖରେ ରହିଛି ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିପୀଠ ।

ସେହିପରି ମହାତ୍ମା ଗାନ୍ଧୀଙ୍କ ମହାପରାୟଣ ଦିବସ ଶୁକ୍ରବାରକୁ ଆଜି ମନେ ପକାଇବା ସହ ସପ୍ତାହର ଏହି ଦିନ ସଂଧ୍ୟାରେ ଗାନ୍ଧୀଙ୍କ ମହତବାଣୀ ଏବଂ ଭଜନ ଗାନ କରାଯାଇଥାଏ ଗାଁ ମନ୍ଦିରରେ । ପ୍ରତିବର୍ଷ ସ୍ୱାଧୀନତା ଦିବସ, ସାଧାରଣତନ୍ତ୍ର ଦିବସ ତଥା ଅଗଷ୍ଟ କ୍ରାନ୍ତି ଦିବସକୁ ମହା ଆଡମ୍ବର ସହକାରେ ପାଳନ କରାଯାଇଥାଏ ଗାଁରେ । ତେବେ ୧୯୪୨ ଭାରତ ଛାଡ ଆନ୍ଦୋଳନର ବହୁ ପୂର୍ବରୁ ୧୯୩୭ ମସିହାରେ ପାଣିମୋରା ଗାଁରେ ଜାତୀୟ କଂଗ୍ରେସ ଜନ୍ମ ନେବା ପରଠାରୁ ଏଠାରେ ମୂଳ ଦୁଆ ପଡିଥିଲା ସ୍ୱାଧୀନତା ସଂଗ୍ରାମ ନେଇ । ୧୯୪୦ ରେ ୯ ଜଣ ଏବଂ ପରବର୍ତ୍ତୀ ସମୟରେ ୧୯୪୨ ମସିହାରେ ୩୨ ଜଣ ଯୁବକ ନିଜ ପରିବାର ଛାଡି ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ।

ଭାରତ ଛାଡ ଆନ୍ଦୋଳନର ବହୁ ପୁର୍ବରୁ ୧୯୨୬ ମସିହାରେ ପରିବ୍ରାଜକ ଦିବ୍ୟ କିଶୋର ସାହୁଙ୍କ ନେତୃତ୍ୱରେ ପାଣିମୋରାଠାରେ ଆର୍ଯ୍ୟ ସମାଜ ଗଠିତ ହୋଇଥିବା ସହ ୧୯୪୨ ମସିହାରେ ବିଦେଶୀ ବସ୍ତ୍ର କୁ ବର୍ଜନ କରି ଚରଖାରେ ସୂତା କାଟି ପିନ୍ଧି ଥିଲେ ପାଣିମୋରା ଗ୍ରାମବାସୀ । ପାଣିମୋରା ଗାଁର ସ୍ୱାଧୀନତା ସଂଗ୍ରାମୀମାନଙ୍କ ମଧ୍ୟରୁ ବର୍ତ୍ତମାନ ଜିତେନ୍ଦ୍ରିୟ ପ୍ରଧାନ(୧୦୨) ଜୀବିତ ଥିବା ବେଳେ ଚଳିତ ବର୍ଷ ତାଙ୍କୁ ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଦିଆଯାଇଛି । ତାଙ୍କ ଠାରେ ଏବେ ବି ଦେଶ ପ୍ରେମ ଉଛୁଳି ପଡୁଛି । ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ପାଣିମୋରା ଗାଁର ପ୍ରତ୍ୟେକ ଲୋକଙ୍କ ଠାରେ ଦେଖିବାକୁ ମିଳେ ଦେଶପ୍ରେମ ।

ତେବେ ପଶ୍ଚିମ ଓଡିଶାର ପାଣିମୋରା ଗାଁରୁ ସର୍ବାଧିକ ବ୍ୟକ୍ତି ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ମଧ୍ୟ ଏବେ ବି ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ରହିଛି ଏହି ଗାଁ । ଯେଉ ସଂଗ୍ରାମୀ ମାନେ ନିଜ ଘରଦ୍ୱାର ଛାଡି ସ୍ୱାଧିନତା ସଂଗ୍ରାମରେ ଯୋଗ ଦେଇଥିଲେ , ସେମାନଙ୍କ ପ୍ରତିମୂର୍ତ୍ତି ଟିଏ ମଧ୍ୟ ଏଯାଏ ହୋଇପାରି ନାହି କି କୌଣଷି ତୋରଣ କିମ୍ବା ନାମ ଫଳକ ଟିଏ ବି ନାହିଁ । ସ୍ୱାଧିନତା ସଂଗ୍ରାମୀମାନେ ବ୍ୟବହାର କରୁଥିବା ରେଡିଓ, ଚଷମା, ଅରଟ ଆଜି ବି ରହିଥିବା ବେଳେ ତାହାର ସୁରକ୍ଷା ପାଇଁ ଏଯାଏ ଗୋଟିଏ ସଂଗ୍ରହାଳୟ ମଧ୍ୟ ହୋଇପାରି ନାହିଁ । ଯାହାକୁ ନେଇ ଗ୍ରାମବାସୀ କ୍ଷୋଭପ୍ରକାଶ କରିଛନ୍ତି । ସରକାର ଏହି ସଂଗ୍ରାମୀ ପୀଠ ପାଣିମୋରା ର୍ଗାକୁ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ଏହାର ସ୍ମୃତି ରକ୍ଷା ପାଇଁ ବିହିତ ପଦକ୍ଷେପ ନେବାକୁ ଦାବି ହେଉଛି ।

Other Stories