• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭଦ୍ରକ(ପାର୍ଥ ସାରଥୀ ନାୟକ) : ଗାନ୍ଧୀଙ୍କ ଆଦର୍ଶ ଓ ଅହିଂସା ମାର୍ଗ ସାରା ବିଶ୍ୱରେ ଅନୁକରଣୀୟ ହୋଇଛି । ଭାରତ ବର୍ଷରେ ମଧ୍ୟ ଗାନ୍ଧୀଜୀଙ୍କ ଚିନ୍ତା ଚେତନାକୁ ବହୁମାତ୍ରାରେ ସରକାର କାର୍ଯ୍ୟକାରୀ କରିଛନ୍ତି । କିନ୍ତୁ ସ୍ୱାଧୀନତା ଆନ୍ଦୋଳନ ସମୟରେ ଗାନ୍ଧୀଜୀ ଯେଉଁ ସବୁ ସ୍ଥାନକୁ ଯାଇ ସଂଗ୍ରାମକୁ ପ୍ରଜ୍ୱଳିତ କରିଥିଲେ, ସେ ସବୁ ସ୍ଥାନ ଏବେ ଅବହେଳିତ ହୋଇପଡ଼ିଛି । ସେ ସବୁ ସ୍ମୃତିପୀଠ ଗୁଡିକରେ ସାମଗ୍ରିକ ଉନ୍ନତି ପାଇଁ କେହି ଦୃଷ୍ଟି ଦେଉ ନାହାନ୍ତି । ଏଭଳି ଘଟଣା ଭଦ୍ରକ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି , ଯାହା ଲୋକଙ୍କୁ ବ୍ୟଥିତ କରୁଛି ।

ସ୍ୱାଧୀନତା ଆନ୍ଦୋଳନ ସମୟରେ ଜାତିର ପିତା ମହାତ୍ମାଗାନ୍ଧୀ ଦେଶର ବିଭିନ୍ନ ସ୍ଥାନକୁ ଯାଇ ଜାତୀୟତା ମନ୍ତ୍ରରେ ଉଦବୁଦ୍ଧ କରିଥିଲେ । ସେହି ସମୟରେ ସେ ଓଡିଶାକୁ ଅନେକ ଥର ଆସିଥିଲେ । ଆଉ ସେଥିମଧ୍ୟରୁ ଭଦ୍ରକ ଜିଲ୍ଲାକୁ କେବଳ ୩ ଥର ଆସିଥିଲେ ଏବଂ ରାତ୍ରି ଯାପନ କରିଥିଲେ । କେବଳ ସେତିକି ନୁହେଁ , ଏବେର ଐତିହାସିକ ଗାନ୍ଧୀପଡିଆ ଠାରେ ସମବେତ ହଜାର ହଜାର ଜନତାଙ୍କୁ ଉଦବୋଧନ ଦେଇଥିଲେ । ସେହିପରି ଏବେର ଗାନ୍ଧି ଓଡିଶା ବାଳାଶ୍ରମ ଠାରେ ୧୯୩୪ ମସିହା ଜୁନ ମାସ ୫, ୬, ୭ ତାରିଖ ଦିନ ରାତ୍ରୀଯାପନ କରିଥିଲେ । ଅନାଥ ଶିଶୁ ମାନଙ୍କୁ ଏଠାରେ ରଖି ଏକ ଆଶ୍ରମ ଚଳାଇବାକୁ ତାଙ୍କର ପଟ୍ଟ ଶିଷ୍ୟ ଜୀବରାମ କଲ୍ୟାଣ ଜୀଙ୍କୁ କହିଥିଲେ । ସେହି ଦିନଠାରୁ ଏଠାରେ ଆଶ୍ରମ ପ୍ରତିଷ୍ଠା ହୋଇଥିଲା । ଆଜି ଏହି ଆଶ୍ରମରେ ୧୩୫ ଅଧିକ ଛାତ୍ର ରହି ପାଠ ପଢୁଛନ୍ତି ।

ତେବେ ଭଦ୍ରକରେ ୩ ଦିନ ରହିଲା ପରେ ତାଙ୍କର ବହୁ ସ୍ମୃତି ଛାଡି ଦେଇ ଯାଇଛନ୍ତି । ସେଥିମଧ୍ୟରୁ ଗାନ୍ଧୀଜୀଙ୍କ ଡାଏରୀ, ଚରଖ, ହାତକଟା ସୂତା, ଚଷମା, ବିଛଣା, ଖଟ ଏପରି ଅନେକ ସାମଗ୍ରୀ ଏବେ ଗାନ୍ଧୀ ଓଡିଶା ବାଳାଶ୍ରମରେ ଏକ କକ୍ଷରେ ସାଇତା ହୋଇ ରହିଛି । କିନ୍ତୁ ଆବଶ୍ୟକୀୟ ରକ୍ଷଣା ବ୍ୟକ୍ଷଣ ଅଭାବରୁ ତାହା ନଷ୍ଟ ହେବାକୁ ଯାଉଛି । କେବଳ ଆଶ୍ରମରେ ଗାନ୍ଧୀ ଦର୍ଶନକୁ ଆଧାର କରି ଶିକ୍ଷାଦାନ ସହ ଦୈନିକ ଗାନ୍ଧୀ ଭଜନ ଗାନ କରାଯାଉଛି । ଯଦି ଏଠାରେ ଗାନ୍ଧୀ ସର୍କିଟିଏ ନିର୍ମାଣ କରାଯାଇ ପାରନ୍ତା ତେବେ ସମସ୍ତ ଜିନିଷ ସେଠାରେ ସାଇତା ହୋଇ ରହି ପରବର୍ତ୍ତ ପିଢି ପାଇଁ ସ୍ମୃତି ହୋଇ ରହିପାରନ୍ତା ବୋଲି କହିଛନ୍ତି ଆଶ୍ରମ ସଂପାଦକ ।

ସରକାର ଗାନ୍ଧିଜୀଙ୍କ ସ୍ମୃତି ପୀଠରେ ଗାନ୍ଧି ସର୍କିଟି ନିର୍ମାଣ କରି ସାମଗ୍ରିକ ବିକାଶ କରିବାକୁ ଘୋଷଣା କରିଥିଲେ ବି ତାହା ଆଦ୍ୟାବଧୀ କାର୍ଯ୍ୟକ୍ଷମ ହୋଇନଥିବାରୁ ସମସ୍ତଙ୍କୁ ବ୍ୟଥିତ କରିଛି । ଧିରେ ଧିରେ ଗାନ୍ଧୀଙ୍କ ସାଇତା ଓ ବ୍ୟବହୃତ ଜିନିଷ ନଷ୍ଟ ହେବାକୁ ବସିଲାଣି । ପ୍ରତିବର୍ଷ ସ୍ୱାଧିନତା ଦିବସ, ସାଧାରଣତନ୍ତ୍ର ଦିବସ ଓ ଗାନ୍ଧୀ ଜୟନ୍ତୀ ଆସିଲେ ସମସ୍ତଙ୍କ ମନେ ପଡେ ଗାନ୍ଧୀ ବାଳାଶ୍ରମ କଥା । ଏହାର ରକ୍ଷଣ ବେକ୍ଷଣ ପାଇଁ ମଧ୍ୟ ଲମ୍ବା ଲମ୍ବା ପ୍ରସ୍ତୁତି ମିଳିଥାଏ ଏହା କେବଳ ପ୍ରତଶୃତିରେ ହିଁ ସିମିତ ହୋଇଥାଏ ।